
କେନ୍ଦ୍ରାପଡା ୯/୬- କେନ୍ଦ୍ରାପଡ଼ା ସହର ଉପକଣ୍ଠରେ ଥିବା ବାରୁଅ ସ୍ଥିତ ଅଗ୍ରଣୀ ଯୁବ ସ୍ୱେଚ୍ଛାସେବୀ ସଂଗଠନ ରୁରାଲ ଡେଭଲପମେଣ୍ଟ କଲଚରାଲ ୟୁଥ୍ ଅର୍ଗାନାଇଜେସନ୍ ଆନୁକୁଲ୍ୟରେ ସ୍ଥାନୀୟ ଭାବଗ୍ରାହୀ କଳା ନିକେତନର ଚିର ସବୁଜ ଅକ୍ଷୟ ମହାନ୍ତି କକ୍ଷରେ ଗ୍ରୀଷ୍ମ କାଳୀନ ଶାସ୍ତ୍ରୀୟ ସଙ୍ଗୀତ ଆସର ବିଶିଷ୍ଟ ଗୀତିକାର ତଥା ସଙ୍ଗୀତ ନିର୍ଦ୍ଦେଶକ ବିମଳ ପ୍ରସାଦ ପରିଡାଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଯାଇଛି। ଏହି ଭବ୍ୟ ସାରସ୍ୱତ ସାଂସ୍କୃତିକ କାର୍ଯ୍ୟକ୍ରମରେ ବିଶିଷ୍ଟ ଶାସ୍ତ୍ରୀୟ ତବଲା ଗୁରୁ ସମୀରଞନ ଦାସ ମୁଖ୍ୟ ଅତିଥି ଏବଂ ଓଡ଼ିଶୀ ଶାସ୍ତ୍ରୀୟ ସଙ୍ଗୀତ ଗୁରୁ ପ୍ରମୋଦ କୁମାର ଦାସ ମୁଖ୍ୟ ବକ୍ତା ଭାବରେ ଯୋଗ ଦେଇ ଦୈନନ୍ଦିନ ଜୀବନ ଚର୍ଯ୍ୟାରେ ସଙ୍ଗୀତର ଅଖଣ୍ଡ ପ୍ରଭାବ ସମ୍ପର୍କରେ ଆଲୋକପାତ କରିଥିଲେ। ଆରମ୍ଭରେ ବିଶିଷ୍ଟ ସଙ୍ଗୀତଜ୍ଞ ଗୋକୁଳ ଚନ୍ଦ୍ର ଶ୍ରୀଚନ୍ଦନ, ସଙ୍ଗୀତ ସୁଧାକର ବାଳକୃଷ୍ଣ ଦାଶ, ଅକ୍ଷୟ ମହାନ୍ତି, ଭିକାରୀ ବଳ, ନିମାଇଁ ହରିଚନ୍ଦନ, ଗଣକବି ଗୋପାଳ ଦାଶ, ଲୋକ କବି ଭାବଗ୍ରାହୀ ପରିଡା, କବି ପତ୍ନୀ ସରୋଜିନୀ ପରିଡାଙ୍କ ଫଟୋ ଚିତ୍ରରେ ମାଲ୍ୟାର୍ପଣ କରାଯାଇ ପ୍ରଦୀପ ପ୍ରଜ୍ୱଳନ କରାଯାଇଥିଲା। ବିଶିଷ୍ଟ କଣ୍ଠଶିଳ୍ପୀ ନିରୁପମା ଜେନା କାମ ବର୍ଦ୍ଧନୀ ରାଗ ଆଧାରିତ ସ୍ୱାଗତ ସଙ୍ଗୀତ ଗାଇଥିଲେ। କଣ୍ଠଶିଳ୍ପୀ ବିମଳ ପରିଡା ସ୍ୱାଗତ ଭାଷଣ ପ୍ରଦାନ ପୂର୍ବକ ବିଶ୍ୱ ବିଖ୍ୟାତ ହିନ୍ଦୁସ୍ଥାନୀ ଶାସ୍ତ୍ରୀୟ ସଙ୍ଗୀତଜ୍ଞ ତାନସେନ୍ କିପରି ନିଜର ନିଷ୍ଠାପର ସଙ୍ଗୀତ ସାଧନା ବଳରେ ଦୀପକ୍ ରାଗ ଗାଇ ଦୀପ ଜଳାଇ ପାରୁଥିଲେ ଏବଂ ମେଘ ମହ୍ଲାର ରାଗ ଗାଇ ବର୍ଷା ସୃଷ୍ଟି କରିପାରୁଥିଲେ, ସେ ବିଷୟରେ ବିଷଦ ଭାବରେ ଆଲୋଚନା କରିଥିଲେ। ଶ୍ରୀକୃଷ୍ଣଙ୍କ ମୋହନ ବଂଶୀର ଅପୂର୍ବ ମୂର୍ଚ୍ଛନାର ପ୍ରଭାବରେ ପ୍ରକୃତିରେ କିପରି ଅଭୂତପୂର୍ବ ପରିବର୍ତ୍ତନ ହେଉଥିଲା ସେ ସମ୍ପର୍କରେ ମଧ୍ୟ ତଥ୍ୟ ଭତ୍ତିକ ଆଲୋଚନା କରିବା ସହିତ ଆଧୁନିକ ଚିକିତ୍ସା ପଦ୍ଧତିରେ ସଙ୍ଗୀତ ଥେରାପିର ବ୍ୟବହାର ସମ୍ପର୍କୀତ ସୂଚନା ପ୍ରଦାନ କରିଥିଲେ। ଗୁରୁ ପ୍ରମୋଦ ଦାସ ରାଗ ଚୋଖି ଆଧାରିତ ଓଡ଼ିଶୀ ଶାସ୍ତ୍ରୀୟ ସଙ୍ଗୀତ ପରିବେଷଣ କରିଥିଲେ। ମହ୍ଲାର ଅର୍କେଷ୍ଟ୍ରାର ସମ୍ପାଦକ ରଞ୍ଜନ କୁମାର ବରାଳ ରାଗ ଭୈରବୀ ଆଧାରିତ ଓଡ଼ିଶୀ ଶାସ୍ତ୍ରୀୟ ସଙ୍ଗୀତ, ନିରୁପମା ଜେନା ମାଲକୋଷ ରାଗ ଆଧାରିତ ଓଡ଼ିଶୀ ସଙ୍ଗୀତ ଏବଂ ବିମଳ ପରିଡା ବସନ୍ତ ରାଗ ଆଧାରିତ ଭଜନ ଗାଇଥିଲେ। ଗୁରୁ ସମୀରଞନ ଦାସ ଏକତାଳି ତାଳରେ ତବଲା ଲହରା ଧିମା, ମଧ୍ୟ ଏବଂ ଦ୍ରୁତ ଲୟରେ ପରିବେଷଣ କରି ଉପସ୍ଥିତ ଶ୍ରୋତାମାନଙ୍କୁ ବିମୁଗ୍ଧ କରିଥିଲେ। ରୂପାଲି ସୂତାର ଏବଂ ସ୍ମୃତିରେଖା ବିଶ୍ୱାଳ ଓଡ଼ିଶୀ ଶାସ୍ତ୍ରୀୟ ନୃତ୍ୟ କ୍ରମରେ ମଙ୍ଗଳାଚରଣ ଏବଂ ଅଭିନୟ ପରିବେଷଣ କରିଥିଲେ। ଅନ୍ୟମାନଙ୍କ ମଧ୍ୟରେ ରେଡ଼ିଓ ଭାବଗ୍ରାହୀର ମୁଖ୍ୟ ଟ୍ରଷ୍ଟି ଧୀରାମଣି ପରିଡା, ସ୍ଥପତି ଗୈାରହରି ବେହେରା, ଶିକ୍ଷକ ବିଜୟ ଚନ୍ଦ୍ର ଦାସ, ନାଟ୍ୟକାର ଭୀମସେନ ପ୍ରଧାନ, ଅଙ୍କିତା ପରିଡା, ଭାଗ୍ୟଲକ୍ଷ୍ମୀ ପରିଡା, ଶୁଭଲକ୍ଷ୍ମୀ ପରିଡା, ପ୍ରଭାତ ବେହେରା, ପ୍ର୍ୱଚକ ବିକ୍ରମ କେଶରୀ ପରିଡା, ଇଂଜିନିୟର ବିଶ୍ୱଜିତ ପରିଡା, ସୁଶ୍ରୀ ସଙ୍ଗୀତା ଜେନା, ପଣ୍ଡିତ ପଦ୍ମନାଭ ଦାଶ, ବାଣୀ ୍ୱିନୋଦ ସାହିତ୍ୟ ସେବା ନିକେତନର ସଭାପତି ହରିଶ୍ଚନ୍ଦ୍ର ଜେନା ପ୍ରମୁଖ ଉପସ୍ଥିତ ଥିଲେ। ଶେଷରେ ଯୁବ ସ୍ୱେଚ୍ଛାସେବୀ ସଂଗଠନ ରୁରାଲ ଡେଭଲପମେଣ୍ଟ କଲ୍ଚରାଲ ୟୁଥ୍ ଅର୍ଗାନାଇଜେସନ୍ ତରଫରୁ ସମ୍ପାଦକ ଚିତ୍ତରଞ୍ଜନ ପ୍ରଧାନ ସମସ୍ତଙ୍କୁ ଧନ୍ୟବାଦ ଅର୍ପଣ କରିଥିଲେ।
