
କେନ୍ଦ୍ରାପଡ଼ା,୯ା୯:କେନ୍ଦ୍ରାପଡା ବିଧାନସଭା ନିର୍ବାଚନ ମଣ୍ଡଳୀରୁ ୪ଶହ ଯୋଗ୍ୟ ସଂଖ୍ୟାଲଘୁ ଭୋଟରଙ୍କ ନାମ କାଟିଦେବା ପାଇଁ ଷଡଯନ୍ତ୍ର ହୋଇଛି। ଏନେଇ କେନ୍ଦ୍ରାପଡା ଟାଉନଥାରେ ଏତଲା ଦିଆଯାଇଛି। ସେଥିରେ ଉଲ୍ଲେଖ କରାଯାଇଛି କେନ୍ଦ୍ରାପଡା-୯୭(ଏସସି) ଅନ୍ତର୍ଗତ କେନ୍ଦ୍ରାପଡା ପୈାରାଞ୍ଚଳର ୧୬ ନମ୍ବର ୱାର୍ଡ ଫକୀରାବାଦର ବୁଥ ନମ୍ବର-୨୫୩ ଓ ୨୫୪ରେ ୨ଜଣ ବିଜେପି ଦଳର ବୁଥ ଲେଭେଲ ଏଜେଣ୍ଟ(ବିଏଲଏ) ହୃଷିକେଶ ସାହୁ ଓ ଦେବେନ୍ଦ୍ର ପ୍ରସାଦ ମେକାପ ଉଭୟ ବୁଥରେ ୨ଶହ ଲେଖାଏଁ ଭୋଟରଙ୍କ ନାମ କାଟିଦେବା ପାଇଁ ଫର୍ମ ନମ୍ବର-୭ରେ ଆବେଦନ କରିଛନ୍ତି। ସେହି ଭୋଟରମାନେ ଏବେ ଜୀବିତ ଅଛନ୍ତି ଓ ସେମାନେ ଯୋଗ୍ୟ ଭୋଟର ବୋଲି ଅଭିଯୋଗ ହୋଇଛି। ସେମାନେ ଫକୀରାବାଦ ଗ୍ରାମର ସ୍ଥାୟୀ ବାସିନ୍ଦା ତଥା ପଞ୍ଜିକୃତ ବୈଧ ଭୋଟର ଅଟନ୍ତି। ଏଭଳି ଏକ ସଙ୍ଗୀନ ଅପରାଧିକ ଷଡ଼ଯନ୍ତ୍ର ଏବଂ ଜାଲିଆତି ସମ୍ପର୍କରେ ବିଜେଡିର ବୁଥଲେଭେଲ ଏଜେଣ୍ଟ(ବିଏଲଏ) ମହମ୍ମଦ ଜାକିର ଓ ମୀର ୟାସିର ଆରାଫତ ଅବଦୁଲ ମଜିଜ କେନ୍ଦ୍ରାପଡା ଟାଉନ ଥାନାରେ ଏତଲା ଦେଇଛନ୍ତି। ଉଭୟ ଏଜେଣ୍ଟଙ୍କୁ ସମର୍ଥନ କରି ଅବଦୁଲ ମଜିଦଙ୍କ ନେତୃତ୍ୱରେ ବିଜୁଜନତାଦଳର ହିବଜୁର ରହେମାନ, ମହମ୍ମଦ ନିଆଜ(ମତୁ), ମୀର କୁବେର, ଓସିଉଲ୍ଲା ଖାନ,ସେକ ଅକ୍ତର, ଅମୀର ଅହେମ୍ମଦ, ଗୋରା ଖାଁ, ବାସା ଖାଁ ଓ କଂଗ୍ରେସ ପକ୍ଷରୁ ସୟଦ ଅବଦୁଲ ସତ୍ତାର, ତାଜୁଦ୍ଦିନ ଖାଁ, ଫୁରକାନ ଖାନ ପ୍ରମୁଖ କେନ୍ଦ୍ରାପଡା ଟାଉନ ଥାନାକୁ ଯାଇ ଏତଲା ଦେବାସହିତ କେନ୍ଦ୍ରାପଡା ଉପଜିଲ୍ଲାପାଳଙ୍କୁ ମଧ୍ୟ ଲିଖିତ ଅଭିଯୋଗ ପତ୍ର ପ୍ରଦାନ କରିଛନ୍ତି। ସେମାନେ ଅଭିଯୋଗ କରିଛନ୍ତି ଯେ ଭାରତୀୟ ଜନତା ଦଳ ପକ୍ଷରୁ ସଂଖ୍ୟାଲଘୁ ଭୋଟରମାନଙ୍କ ନାମ ଉଦ୍ଦେଶ୍ୟମୂଳକ କାଟିଦିଆଯିବାକୁ ଷଡଯନ୍ତ୍ର କରାଯାଇଛି। ସେହିପରି ଅଭିଯୁକ୍ତ କର୍ମଚାରୀଙ୍କୁ ବିଭ୍ରାନ୍ତ କରିବା ଏବଂ ଗ୍ରାମବାସୀଙ୍କ ସାମ୍ବିଧାନିକ ମତଦାନ ଅଧିକାରକୁ ଛଡାଇ ନେବା ଉଦ୍ଦେଶ୍ୟରେ ଏହା କରାଯାଇଛି। ଏହା ଲୋକ ପ୍ରତିନିଧ୍ୱ ଆଇନ ୧୯୫୦ ର ଧାରା ୩୧ ଅନୁଯାୟୀ ଏକ ସଙ୍ଗୀନ ଆଇନଗତ ଅପରାଧ। ତେଣୁ ସମସ୍ତ ଜାଲ କାଗଜପତ୍ର ଜବତ କରି ଅଭିଯୁକ୍ତଙ୍କ ବିରୋଧରେ ତୁରନ୍ତ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ସଂଖ୍ୟାଲଘୁ ଭୋଟରମାନଙ୍କ ପକ୍ଷରୁ ଅନୁରୋଧ କରାଯାଇଛି। ଫକିରାବାଦରେ ଏଭଳି ଘଟଣା ଜାଣିବା ପରେ ପୈାରାଞ୍ଚଳର ଅନ୍ୟ ସଂଖ୍ୟାଲଘୁ ୱାର୍ଡ ଗୁଡିକରେ ଅସନ୍ତୋଷ ପ୍ରକାଶ ପାଇଛି।
