
ପଟ୍ଟାମୁଣ୍ଡାଇ ୧୧/୧୧ – ପଟ୍ଟାମୁଣ୍ଡାଇ ବାଇପାସ ନିକଟ ମୁଖ୍ୟ କେନାଲରେ ମଙ୍ଗଳବାର ରାତିରେ ଏକ କୁମ୍ଭୀର ଭାସୁ ଥିବା ନେଇ କେତେକ ଲୋକ ଦେଖୁବାକୁ ପାଇଥିଲେ । ଏହି ଖବର ପ୍ରଚାରିତ ହେବା ପରେ କେନାଲ ନିକଟରେ ଲୋକଙ୍କ ଭିଡ଼ ଜମି ଥିଲା । ସ୍ଥାନୀୟ ପୋଲିସକୁ ଖବର ଦେବା ପରେ ପଟ୍ଟାମୁଣ୍ଡାଇ ଆଦର୍ଶ ଥାନା ପୋଲିସ ଘଟଣାସ୍ଥଳକୁ ଯାଇ ସରଜମିନ ଅନୁଧ୍ୟାନ କରିଥିଲେ । ମାତ୍ର ଲୋକଙ୍କ ଗହଳି ଓ କୋଳାହଳ ଯୋଗୁଁ କୁମ୍ଭୀରଟି କେନାଲ ମଧ୍ୟରେ ବୁଡି ଯାଇ ଅନ୍ତର୍ଧ୍ୟାନ ହୋଇଯାଇପାରେ ବୋଲି ସ୍ଥାନୀୟ ଲୋକେ କହିଛନ୍ତି । କେନାଲ କୂଳରେ ଥିବା ଲୋକମାନେ ସତର୍କ ରହିବା ଓ କେନାଲକୁ ନଯିବା ପାଇଁ ପ୍ରଶାସନ ପକ୍ଷରୁ ଅନୁରୋଧ କରାଯାଇଛି । ଏହି କୁମ୍ଭୀରକୁ ଧରିବା ପାଇଁ ପଟ୍ଟାମୁଣ୍ଡାଇ ଆଦର୍ଶ ଥାନା ଆଇଆଇସି ବନ୍ଦନା ପାତ୍ର ରାଜନଗର ବନ ବିଭାଗକୁ ଜଣାଇଛନ୍ତି । ପଟ୍ଟାମୁଣ୍ଡାଇ ବାଇପାସ ନିକଟସ୍ଥ କେନାଲରେ କୁମ୍ଭୀର ଭାସୁ ଥିବା ଖବର ମିଳିବା ପରେ ସାଧାରଣରେ ଆତଙ୍କ ସୃଷ୍ଟି ହୋଇଛି । ଜନସାଧାରଣଙ୍କ ସୁରକ୍ଷା ଦୃଷ୍ଟିରୁ ତୁରନ୍ତ କୁମ୍ଭୀର ଧରିବା ପାଇଁ ଜିଲ୍ଲା ପ୍ରଶାସନ ଓ ବନ ବିଭାଗ ପଦକ୍ଷେପ ନେବାକୁ ସାଧାରଣରେ ଦାବୀ ହେଉଛି ।
