
ପଟ୍ଟାମୁଣ୍ଡାଇ ୨୭/୯ -କେନ୍ଦ୍ରାପଡ଼ା ଜିଲା ରାଜନଗର ନିର୍ବାଚନମଣ୍ଡଳୀ ଅନ୍ତର୍ଗତ ପଟ୍ଟାମୁଣ୍ଡାଇ ବ୍ଲକ ଚନ୍ଦନ ନଗର ପଂଚାୟତ ବନ୍ତୋ ଠାରେ ରାଜନଗର ବିଧାୟକ ଧ୍ରୁବ ସାହୁଙ୍କ ଉଦ୍ୟମକ୍ରମେ ଏକ ଜିଲା ବିଜ୍ଞାନ କେନ୍ଦ୍ର ପ୍ରତିଷ୍ଠା କରିବା ପାଇଁ ଗତ ସରକାର ସମୟରେ ନୀତିଗତ ନିଷ୍ପତି ନିଆଯାଇ ତତ୍କାଳୀନ ମୁଖ୍ୟମନ୍ତ୍ରୀ ନବୀନ ପଟନାୟକ ଭିଡ଼ିଓ କନଫରେନ୍ସ ଯୋଗେ ଜିଲା ବିଜ୍ଞାନକେନ୍ଦ୍ରର ଶୁଭ ଦେଇଥିଲେ । ଏହା ପରେ ବିଜ୍ଞାନକେନ୍ଦ୍ର କାର୍ଯ୍ୟ ଆରମ୍ଭ କରାଯାଇଥିଲା । ସମ୍ପ୍ରତି ସରକାର ପରିବର୍ତନ ପରେ ପଟ୍ଟାମୁଣ୍ଡାଇର ବନ୍ତୋରୁ ଜିଲା ବିଜ୍ଞାନ କେନ୍ଦ୍ର ସ୍ଥାନାନ୍ତର ପାଇଁ ଚକ୍ରାନ୍ତ ଆରମ୍ଭ ହୋଇଥିବା ଶୁଣିବାକୁ ମିଳୁଛି । ତେବେ ଏହାର ସତ୍ୟାସତ୍ୟ ଓ ସ୍ଥିତି ସମ୍ପର୍କରେ ଜାଣିବା ପାଇଁ ରାଜନଗର ବିଧାୟକ ଧ୍ରୁବ ସାହୁ ରାଜ୍ୟ ବିଧାନସଭାରେ ଏ ନେଇ ପ୍ରଶ୍ନ ଉଥାପନ କରି ବିଭାଗୀୟମନ୍ତ୍ରୀଙ୍କ ଠାରୁ ଜବାବ ମାଗି ଥିଲେ । ବିଧାୟକଙ୍କ ପ୍ରଶ୍ନର ଉତରରେ ରାଜ୍ୟ ବିଜ୍ଞାନ ଓ କାରିଗରୀ ବିଭାଗ ମନ୍ତ୍ରୀ କୃଷ୍ଣ ଚନ୍ଦ୍ର ପାତ୍ର ଭଦ୍ରକ, ଗଞ୍ଜାମ, ବଲାଙ୍ଗିର, ସୁନ୍ଦର ଗଡ଼ରେ ଜିଲା ବିଜ୍ଞାନକେନ୍ଦ୍ର ନିର୍ମାଣା ଧୀନ ଥିବାବେଳେ କେନ୍ଦ୍ରାପଡା, ଜଗତସିଂହପୁର, କଳାହାଣ୍ଡି, ବୌଦ୍ଧ, ଝାରସୁଗୁଡା, ନୂଆପଡ଼ା ଏବଂ ଗଜପତି ଠାରେ ଜିଲ୍ଲା ବିଜ୍ଞାନ କେନ୍ଦ୍ର ନିର୍ମାଣ ପାଇଁ ତା ୨୮. ୨. ୨୦୨୪ ରିଖରେ ଭିଭିପ୍ରସ୍ତର ସ୍ଥାପନ କରାଯାଇଥିଲା। ଏଥି ମଧ୍ୟରୁ ପ୍ରଥମେ କେନ୍ଦ୍ରାପଡା ଜିଲା ପଟ୍ଟାମୁଣ୍ଡାଇ ତହସିଲ ଅଧୀନ ବନ୍ତୋ ଠାରେ ଭିତରକନିକା ଜାତୀୟ ଉଦ୍ୟାନ ଦୃଷ୍ଟିରୁ ସର୍ବାଧିକ ପରିଦର୍ଶକଙ୍କ ଆଗମନକୁ ବିଚାରକୁ ନେଇ ସେ ସମୟରେ ଜିଲା ବିଜ୍ଞାନ କେନ୍ଦ୍ର ପ୍ରତିଷ୍ଠା କରିବା ପାଇଁ ନିଷ୍ପତି ନିଆଯାଇଥିଲା । କିନ୍ତୁ ପରବର୍ତୀ ପରିବହନ ସଂଯୋଗର ଉପଲବ୍ଧତାକୁ ଦୃଷ୍ଟିରେ ରଖି କେନ୍ଦ୍ରପଡା ସଦର ମହକୁମାର ବଳଦେବଜୀଉ ମନ୍ଦିର ଏବଂ ତତ ସଂଲଗ୍ନ ଶିକ୍ଷାନୁଷ୍ଠାନ ନିକଟରେ ଅନ୍ୟ ଏକ ଉପଯୁକ୍ତ ଜାଗା ପ୍ରଦାନ କରିବା ପାଇଁ କେନ୍ଦ୍ରାପଡା ଜିଲାପାଳଙ୍କୁ ଅନୁରୋଧ କରାଯାଇଛି । ଏ ବାବଦରେ ଜିଲାପାଳଙ୍କ ଠାରୁ ଜାଗା ବିଷୟରେ ଚୁଡାନ୍ତ ପ୍ରସ୍ତାବ ଆସିଲେ ରାଜ୍ୟ ବିଜ୍ଞାନ ଓ ପ୍ରଯୁକ୍ତିବିଦ୍ୟା ବିଭାଗ ପକ୍ଷରୁ ପରବର୍ତୀ ପଦକ୍ଷେପ ନିଆଯାଇ ଜିଲା ବିଜ୍ଞାନ କେନ୍ଦ୍ରର ନିର୍ମାଣ କାର୍ଯ୍ୟ ଆରମ୍ଭ କରାଯିବ ବୋଲି ମନ୍ତ୍ରୀ ବିଧାନସଭା ଗୃହରେ ପ୍ରକାଶ କରିଛନ୍ତି । ଏ ସମ୍ପର୍କରେ ଜଣାପଡିବା ପରେ ପଟ୍ଟାମୁଣ୍ଡାଇ ରାଜନଗର ଅଂଚଳରେ ତୀବ୍ର ପ୍ରତିକ୍ରିୟା ପ୍ରକାଶ ପାଇଛି ।ଭିତର କନିକାର ଜୈବ ବିବିଧତା ଉପରେ ଗବେଷଣା ପାଇଁ ଛାତ୍ରୀଛାତ୍ର ଓ ଗବେଷକ ଓ ପରିବେଶବିତଙ୍କ ପାଇଁ ବନ୍ତୋ ଉପଯୁକ୍ତ ସ୍ଥାନ ଓ ଏଠାରେ ଜିଲ୍ଲା ବିଜ୍ଞାନକେନ୍ଦ୍ର ନିର୍ମାଣର ଯଥାର୍ଥତା ରହିଛି । ରାଜ୍ୟ ସରକାର କେଉଁ ଉଦେଶ୍ୟରେ କେନ୍ଦ୍ରାପଡ଼ା ସଦର ଓ ମହାକାଳପଡା ସୀମା ପର୍ଯ୍ୟନ୍ତ ନେବା ପାଇଁ ଉଦ୍ୟମ କରୁଛନ୍ତି ତାହା ରହସ୍ୟାବୃତ ହୋଇପଡିଛି । ବନ୍ତୋରୁ ଜିଲ୍ଲା ବିଜ୍ଞାନକେନ୍ଦ୍ର ସ୍ଥାନାନ୍ତର ପାଇଁ ଚକ୍ରାନ୍ତ ବିଷୟରେ ଜଣାପଡିବା ପରେ ପଟ୍ଟାମୁଣ୍ଡାଇ ଓ ରାଜନଗର ଅଂଚଳର ବିଭିନ୍ନ ସଂଗଠନ ଶିକ୍ଷାବିତ, ବୁଦ୍ଧିଜୀବୀ, ପରିବେଶବିତ ଓ ଜନସାଧାରଣଙ୍କ ମଧ୍ୟରେ ତୀବ୍ର ପ୍ରତିକ୍ରିୟା ସୃଷ୍ଟି ହେବା ସାଙ୍ଗକୁ ଗଭୀର ଉଦବେଗ ପ୍ରକାଶ ପାଇଛି । ରାଜ୍ୟ ସରକାର ବନ୍ତୋରୁ ଜିଲା ବିଜ୍ଞାନକେନ୍ଦ୍ର ସ୍ଥାନାନ୍ତର ନିଷ୍ପତି ପରିବର୍ତନ ନକଲେ ପଟ୍ଟାମୁଣ୍ଡାଇ ଓ ରାଜନଗର ଅଂଚଳର ବିଭିନ୍ନ ସଂଗଠନ ପକ୍ଷରୁ ବ୍ୟାପକ ଆନ୍ଦୋଳନ କରାଯିବ ବୋଲି ଚେତାବନୀ ଦିଆଯାଇଛିା
