
କେନ୍ଦ୍ରାପଡା ୧୦/୫- ଜମ୍ମୁ କଶ୍ମୀରର ଅନନ୍ତନାଗ ଜିଲା ପହଲଗାମରେ ଗତମାସ ୨୨ରେ ପାକିସ୍ତାନ ଦ୍ୱାରା କରାଯାଇଥିବା ବର୍ବର ଆତଙ୍କବାଦୀ ଆକ୍ରମଣର ପ୍ରତିଶୋଧରେ ଭାରତ ଓ ପାକିସ୍ତାନ ମଧ୍ୟରେ ଉତେଜନା ବୃଦ୍ଧି ପାଇଛି। ଏହି ପରିପ୍ରେକ୍ଷୀରେ ଦେଶ ସାରା ସମ୍ବେଦନଶୀଳ ଅଞ୍ଚଳରେ ହାଇ ଆଲର୍ଟ ଜାରି କରାଯାଇଛି। ହେଲେ ଶୁକ୍ରବାର ଅପରାହ୍ନରେ ବଙ୍ଗୋପସାଗର କୂଳରେ କେନ୍ଦ୍ରାପଡ଼ା ଜିଲା ମହାକାଳପଡ଼ା ବ୍ଲକ ଅଧୀନ ସୁନିତି ଗୋଚ୍ଛାୟତପଡ଼ାର ମତ୍ସ୍ୟଜୀବୀ ଶ୍ରୀମନ୍ତ ଗୋଚ୍ଛାୟତ(୪୦) ସମୁଦ୍ରରେ ଜାଲ ବସାଇ ମାଛ ଧରିବା ବେଳେ ହଠାତ ଏକ ଅଜଣା ଡ୍ରୋନ୍ ପଡ଼ିଥିଲା। ଏ ନେଇ ଶ୍ରୀମନ୍ତ ସ୍ଥାନୀୟ ମତ୍ସ୍ୟଜୀବୀ ଓ ଗ୍ରାମବାସୀଙ୍କୁ ଜଣାଇଥିଲେ। ଖବରପାଇ ତନ୍ତିଆପାଳ ସାମୁଦ୍ରିକ ଥାନା ପୋଲିସ ଘଟଣାସ୍ଥଳରେ ପହଁଚି ଏହି ଡ୍ରୋନ୍କୁ ଜବତ କରିଛି। ତେବେ ଏହି ଘଟଣା ପ୍ରଚାରିତ ହେବା ପରେ ସ୍ଥାନୀୟ ଅଞ୍ଚଳରେ ଭୟର ବାତାବରଣ ସୃଷ୍ଟି ହୋଇଛି। ହେଲେ କୌଣସି ଭୟ ନ କରିବାକୁ ପୋଲିସ ପକ୍ଷରୁ ଅପିଲ କରାଯାଇଛି। ଅପରପକ୍ଷରେ କେନ୍ଦ୍ରାପଡା ଜିଲାର ଉତ୍ତରରେ ଚାନ୍ଦିପୁର କ୍ଷେପଣାସ୍ତ୍ର ଘାଟି ରହିଛି। ସେହିପରି ଦକ୍ଷିଣରେ ପାରାଦୀପ ବୃହତ ବନ୍ଦର ଓ ବୃହତ ଶିଳ୍ପାଞ୍ଚଳ ରହିଛି। ସେଥିପାଇଁ ସ୍ଥାନୀୟ ଲୋକ ଆଶା ଓ ଆଶଙ୍କାରେ ରହିଛନ୍ତି। ଏ ସଂକ୍ରାନ୍ତରେ ତନ୍ତିଆପାଳ ସାମୁଦ୍ରିକ ଥାନା ଅଧିକାରୀ କିଶୋର ତରାଇଙ୍କୁ ପଚାରିବାରେ ଏକ ତାଲିମ ପାଇଁ ଭୁବନେଶ୍ୱରରେ ଅଛନ୍ତି। ଖବର ମିଳିଛି ବୋଲି ସେ କହିଛନ୍ତି।
