
ପଟ୍ଟାମୁଣ୍ଡାଇ ୧୬/୫ -ଓଡ଼ିଶାର ସର୍ବବୃହତ ପଂଚକଳା ପ୍ରତିଷ୍ଠାନ ଗୋପାଳ ଦାଶ ସ୍ମାରକୀ କଳା ମନ୍ଦିର(ଗଡମେକର)ର ଶିଳ୍ପୀ ସୁଶ୍ରୀ ସମନ୍ୱିତା ଦାଶ ଓଡ଼ିଶୀ କଣ୍ଠ ସଙ୍ଗୀତରେ କେନ୍ଦ୍ର ସରକାରଙ୍କ ମର୍ଯ୍ୟାଦାଜନକ ସିସିଆରଟି ଜାତୀୟ ପ୍ରତିଭା ବୃତି ପାଇବାକୁ ଯୋଗ୍ୟ ବିବେଚିତ ହୋଇ ବୃତିଲାଭ କରିଛନ୍ତି। କଣ୍ଠଶିଳ୍ପୀ ସମ୍ୱନ୍ୱିତା କଦଳୀବଣ ଗ୍ରାମର ସରୋଜ କାନ୍ତ ଦାଶ ଓ ପଦ୍ମଜା ପ୍ରିୟଦର୍ଶିନୀ କରଙ୍କ ସୁପୁତ୍ରୀ ଅଟନ୍ତି । ସୁଶ୍ରୀ ସମନ୍ୱିତା ବାଲ୍ୟକାଳରୁ ଚମତ୍କାର ସଙ୍ଗୀତ ପରିବେଷଣର ଦକ୍ଷତା ରଖି ଆସିଛନ୍ତି । ଗୋପାଳ ଦାଶ ସ୍ମାରକୀ କଳା ମନ୍ଦିର ଗଡମେକର ପ୍ରତିଷ୍ଠାତା ନିର୍ଦ୍ଦେଶକ ତଥା ବିଶିଷ୍ଟ ଓଡ଼ିଶୀ ସଙ୍ଗୀତଗୁରୁ ଗୀତିକବି ସୁଶାନ୍ତ ପାଣିଙ୍କ ମାର୍ଗଦର୍ଶନରେ ଶାସ୍ତ୍ରୀୟ ଓଡ଼ିଶୀ କଣ୍ଠ ସଙ୍ଗୀତ ଶିକ୍ଷାଲାଭ କରି ନିଜର ସାଧନାରେ ସଫଳ ହୋଇ ବିଭିନ୍ନ ସ୍ତରରେ ପୁରସ୍କୃତ ଓ ସମ୍ମାନିତ ହୋଇଛନ୍ତି । ଓଡ଼ିଶୀ ସଙ୍ଗୀତରେ ଓଡ଼ିଶା ସଙ୍ଗୀତ ନାଟକ ଏକାଡେମୀରୁ ସଙ୍ଗୀତଶ୍ରୀ ଓ ପ୍ରାଚୀନ କଳା କେନ୍ଦ୍ର ଚଣ୍ଡିଗଡରୁ ସଙ୍ଗୀତ ଭୂଷଣ ଉପାଧ୍ୟାପ୍ରାପ୍ତ ସୁଶ୍ରୀ ସମନ୍ୱିତା ଏବେ ଅରୁଆ-କଦଳୀବଣ ଉଚ୍ଚ ଶିକ୍ଷାଶ୍ରମର ଅଷ୍ଟମ ଶ୍ରେଣୀରେ ପଢୁଛନ୍ତି । ନିକଟରେ ତାଙ୍କ ପରିବେଷିତ ଓଡ଼ିଶୀ ରାଗ ସଙ୍ଗୀତ ୟୁଟ୍ୟୁବରେ ଚମକ ସୃଷ୍ଟି କରିଛି। ବିଭିନ୍ନ କଳାମଂଚ ମାନଙ୍କରେ ତାଙ୍କ ଓଡ଼ିଶୀ ରାଗସଙ୍ଗୀତ ଓ ଭକ୍ତିସଙ୍ଗୀତ ଗାନ ଉଲ୍ଲେଖନୀୟ ସଫଳତା ହାସଲ କରିବା ସହିତ ପ୍ରଶଂସା ସାଉଁଟିଛି । ଭବିଷ୍ୟତରେ ସ୍ୱନାମଧନ୍ୟା ଶାସ୍ତ୍ରୀୟ ଓଡ଼ିଶୀ ସଙ୍ଗୀତ ଶିଳ୍ପୀ ଭାବେ ଓଡ଼ିଆ ଅସ୍ମିତାର ପ୍ରଚାର ପ୍ରସାର କ୍ଷେତ୍ରରେ ନିଜକୁ ସମର୍ପଣ କରିବାର ଲକ୍ଷ୍ୟ ରଖିଥିବା ସୁଶ୍ରୀ ସମନ୍ୱିତା ପ୍ରକାଶ କରିଛନ୍ତି ।
