
କେନ୍ଦ୍ରାପଡ଼ା,୯/୦୯: ସ୍ୱତନ୍ତ୍ର ସଘନ ସଂଶୋଧନ କାର୍ଯ୍ୟକ୍ରମ (SIR)-୨୦୨୬ର ଅଗ୍ରଗତି ଓ କାର୍ଯ୍ୟାନ୍ୱୟନର ସମୀକ୍ଷା ପାଇଁ ସମବାୟ ବିଭାଗର କମିଶନର-ତଥା-ଶାସନ ସଚିବ ଏବଂ SIRର ରୋଲ ପର୍ଯ୍ୟବେକ୍ଷକ ରାଜେଶ ପ୍ରଭାକର ପାଟିଲ ଆଜି କେନ୍ଦ୍ରାପଡ଼ା ଜିଲ୍ଲା ଗସ୍ତ କରିଥିଲେ। ଗସ୍ତ ସମୟରେ ଶ୍ରୀ ପାଟିଲ ୯୭-କେନ୍ଦ୍ରାପଡ଼ା ନିର୍ବାଚନ ମଣ୍ଡଳୀ ଅନ୍ତର୍ଗତ ବଡମୂଳବସନ୍ତ ପ୍ରାଥମିକ ବିଦ୍ୟାଳୟର ବୁଥ୍ ନମ୍ବର ୪୯ ଓ ୫୦, ସରକାରୀ ଉନ୍ନୀତ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ, ଅଢ଼ାଖଣ୍ଡ ମଠସାହିର ବୁଥ୍ ନମ୍ବର ୧୩୩ ଏବଂ ବଜ୍ର ମହାକାଳୀ ଉଚ୍ଚ ବିଦ୍ୟାଳୟ, ଅଠରବାଟିଆର ବୁଥ୍ ନମ୍ବର ୧୩୪ ଓ ୧୩୫ ପରିଦର୍ଶନ କରିଥିଲେ।ଏହି ଅବସରରେ ସେ ବୁଥ୍ ସ୍ତରୀୟ ଅଧିକାରୀ (BLO), BLO ସୁପରଭାଇଜର, ବୁଥ୍ ସ୍ତରୀୟ ଏଜେଣ୍ଟ (BLA) ଏବଂ ପିଆରଆଇ ସଦସ୍ୟମାନଙ୍କ ସହ SIR-୨୦୨୬ ସମ୍ପର୍କରେ ପୁଙ୍ଖାନୁପୁଙ୍ଖ ଆଲୋଚନା କରିଥିଲେ। ନିର୍ଭୁଲ ଭୋଟର ତାଲିକା ପ୍ରସ୍ତୁତ, ଯୋଗ୍ୟ ଭୋଟରମାନଙ୍କ ଯୋଗ କରିବା ଏବଂ ଅଯୋଗ୍ୟଙ୍କୁ ତାଲିକାରୁ ବାଦ ଦେବା ସହ , ତଥ୍ୟ ଯାଞ୍ଚ ଏବଂ SIR ପ୍ରକ୍ରିୟାର ସୁଚାରୁ କାର୍ଯ୍ୟାନ୍ୱୟନ ସମ୍ପର୍କରେ ସେ ଆବଶ୍ୟକ ପରାମର୍ଶ ଦେଇଥିଲେ। କ୍ଷେତ୍ର ପରିଦର୍ଶନ ସମୟରେ ପଟ୍ଟାମୁଣ୍ଡାଇ ବିଡ଼ିଓ ଶୀତଲ ଅଗ୍ରୱାଲ ଏବଂ ତହସିଲଦାର ପଞ୍ଚାନନ ନାୟକ ଉପସ୍ଥିତ ଥିଲେ |ପରେ ସେ ସର୍କିଟ ହାଉସଠାରେ ଜିଲ୍ଲାପାଳ ତଥା ଜିଲ୍ଲା ନିର୍ବାଚନ ଅଧିକାରୀ ଶ୍ରୀ ରଘୁରାମ ଆର. ଆୟରଙ୍କ ସମେତ ଜିଲ୍ଲାର ୫ଟି ନିର୍ବାଚନ ମଣ୍ଡଳୀର ନିର୍ବାଚନ ପଞ୍ଜୀକରଣ ଅଧିକାରୀ (ERO) ଓ ସହକାରୀ ନିର୍ବାଚନ ପଞ୍ଜୀକରଣ ଅଧିକାରୀ (AERO)ମାନଙ୍କ ସହ SIR-୨୦୨୬ର ଜିଲ୍ଲାସ୍ତରୀୟ ଅଗ୍ରଗତି ଉପରେ ସମୀକ୍ଷା ବୈଠକ କରିଥିଲେ।ବୈଠକରେ ୯୬-ପାଟକୁରା ନିର୍ବାଚନ ମଣ୍ଡଳୀର ERO ଶ୍ରୀ ଅଜାମ୍ବର ମହାନ୍ତି, ୯୭-କେନ୍ଦ୍ରାପଡ଼ାର ERO ଶ୍ରୀ ଅରୁଣ କୁମାର ନାୟକ, ୯୮-ଆଳିର ERO ଶ୍ରୀ ନବକ୍ରିଷ୍ଣ ଜେନା, ୯୯-ରାଜନଗରର ERO ଶ୍ରୀ ରବୀନ୍ଦ୍ର କୁମାର ମଲ୍ଲିକ ଏବଂ ୧୦୦-ମହାକାଳପଡ଼ାର ERO ସନ୍ଧ୍ୟାଞ୍ଜଳୀ ମାଝୀଙ୍କ ସମେତ AERO ଅଭିଷେକ ସ୍ୱାଇଁ, ଅନିରୁଦ୍ଧ ବେହେରା, ତ୍ରିନାଥ ବେହେରା ଓ ଇପ୍ସିତା ପ୍ରିୟଦର୍ଶିନୀ ଏବଂ ଡେପୁଟି କଲେକ୍ଟର (ନିର୍ବାଚନ) ଅମୀୟ କେତନ ସ୍ୱାଇଁ ଉପସ୍ଥିତ ଥିଲେ।
ବୈଠକରେ SIR-୨୦୨୬ର ବିଭିନ୍ନ ପର୍ଯ୍ୟାୟରେ ହୋଇଥିବା ପ୍ରଗତି, କ୍ଷେତ୍ରସ୍ତରୀୟ କାର୍ଯ୍ୟାନ୍ୱୟନ, ଭୋଟରମାନଙ୍କ ଅଂଶଗ୍ରହଣ ଏବଂ ଭୋଟର ତାଲିକାର ସଠିକତା ସୁନିଶ୍ଚିତ କରିବା ନେଇ ବିସ୍ତୃତ ଆଲୋଚନା ହୋଇଥିଲା। SIR-୨୦୨୬ର ସଫଳ ରୂପାୟନ ପାଇଁ ସମସ୍ତ ଅଧିକାରୀ, BLO ଓ କ୍ଷେତ୍ରସ୍ତରୀୟ କର୍ମଚାରୀ ସମନ୍ୱିତ ଭାବେ କାର୍ଯ୍ୟ କରିବା ସହ ଯୋଗ୍ୟ ଭୋଟରମାନଙ୍କୁ ଏହି ପ୍ରକ୍ରିୟାରେ ସାମିଲ କରିବା ଉପରେ ଶ୍ରୀ ପାଟିଲ ଗୁରୁତ୍ୱାରୋପ କରିଥିଲେ।
