
ଆସିଛି ପାର୍ବଣର ଋତୁ। ଦୁଷ୍ଟ ଦଳନ ଆଉ ସନ୍ଥ ପାଳନ ପାଇଁ ଧରାବତରଣ କରିଛନ୍ତି ମା’ ଦୁର୍ଗା । ମା’ ଙ୍କୁ ଆଗମନକୁ ଅପେକ୍ଷା କରିଥିବା ଭକ୍ତଗଣ, କିଏ କେତେ ଭାବ ଓ ଭକ୍ତିରେ ପୂଜା କରିଥାନ୍ତି । ମାତ୍ର କେନ୍ଦ୍ରାପଡା ଜିଲ୍ଲାର ପଟ୍ଟାମୁଣ୍ଡାଇ ସହରର ବଙ୍ଗାଳି ସାହିରେମା’ଙ୍କୁ କୁଆଁରୀ କନ୍ୟା ରୂପରେ ପୂଜା କରିବାର ନିଆରା ବିଧି ପ୍ରଚଳିତ ।

ଅସିଣ ଆସିଲେ କେନ୍ଦ୍ରାପଡା ଜିଲ୍ଲାର ପଟ୍ଟାମୁଣ୍ଡାଇ ସହରର ବଙ୍ଗାଳି ସାହି ହୋଇପଡେ ଉତ୍ସବ ମୁଖର । ମା’ ଦୁର୍ଗା ଦେବୀ ଧରା ପୃଷୄଠକୁ ଓହ୍ଲାଇବା ପାଇଁ ଏଠି ଅପେକ୍ଷାରେ ଥାନ୍ତି ଭକ୍ତଗଣ । ଏମାନଙ୍କ ଘରେଘରେ ନିଆରା ପୂଜା ବିଧିର ପରମ୍ପରା ଚଳି ଆସିଛି ପ୍ରାୟ ୧୫୦ ବର୍ଷରୁ ଅଧିକ ହେଲାଣି ।ଏଠି ମା’ଙ୍କୁ ଭକ୍ତଗଣ ନିଜର କନ୍ୟା ସଦୃଶ ଦେଖିଥାନ୍ତି । ବର୍ଷକରେ ଥରେ କନ୍ୟା ଯେମିତି ବାପ ଘରକୁ ବୁଲି ଆସନ୍ତି ସେମିତି ମା’ଙ୍କ ପାଇଁ ସବୁରି ଘରେ ଚାଲେ ପିଠାପଣାର ଆସର। ନୂଆ ପୋଷାକ ସାଙ୍ଗକୁ ସ୍ୱାଦିଷ୍ଟ ବ୍ୟଞ୍ଜନରେ ମହକେ ସାହିଟା ସାରା ।ସାହି ମୁଣ୍ଡରେ ମା’ଙ୍କର ମୃଣ୍ମୟୀ ମୂର୍ତ୍ତି ତିଆରି କରିଥାନ୍ତି କାରୀଗର । ମା’ଙ୍କୁ ସଜେଇ ଦିଅନ୍ତି ନିଆରା ଆଭୂଷଣରେ । ମା’ଙ୍କୁ ଏଠି କାଳିକା ତନ୍ତ୍ରରେ ପୂଜା କରାଯାଏ । ବଙ୍ଗୀୟ ବ୍ରାହ୍ମଣ ଯଥା ଚକ୍ରବର୍ତ୍ତୀ , ମୁଖାର୍ଜୀ ଓ ମିଶ୍ର ସାଙ୍ଗିଆ ଧାରୀ ବ୍ରାହ୍ମଣ ମାନେ ଏଠି ମା’ଙ୍କର ପୂଜା କରିଥାନ୍ତି ।ମା’ଙ୍କ ପୂଜା ଆରାଧନା ପାଇଁ ସାରା ବଙ୍ଗାଳି ବସ୍ତିରେ ନିଆରା ସିହରଣ ଥାଏ ।ନବମି ତିଥିରେ ମା’ଙ୍କର କୁମାରୀ ପୂଜାର ମହାତ୍ମ୍ୟ ଅନ୍ୟ କେଉଁଠି ଦେଖାଯାଏନା । ସାହିର ୯ ଜଣ କୁମାରୀଙ୍କୁ ମା’ଙ୍କ ଛାମୁରେ ବସାଇ ପୂଜା କରାଯାଏ । ଏହି କୁମାରୀ ମାନଙ୍କର ବୟସ ମଧ୍ୟ ୯ ବର୍ଷ ବୟସର ହୋଇଥାଏ । ଯଦି ୯ ବର୍ଷର କୁମାରୀ ଏହି ସାହିରେ ନମିଳନ୍ତି ତେବେ ପାଖ ଓଡିଆ ସାହିରୁ ୯ ବର୍ଷର କନ୍ୟାଙ୍କୁ ଆଗରୁ ଖୋଜି ଯୋଗାଡ କରାଯାଇଥାଏ । ସେଦିନ ଏହି କନ୍ୟାଙ୍କ ସହ ତାଙ୍କର ପରିବାର ସମସ୍ତ ସଦସ୍ୟ ବ୍ରତ ପାଳିଥାନ୍ତି । ମୁଣ୍ଡରେ ଓଢଣା ଢାଙ୍କି ଏହି କନ୍ୟା ମାନଙ୍କୁ ଦେବୀ ରୂପରେ ସଜେଇ ଦିଆଯାଏ । ମାଙ୍କ ଚରଣ ତଳେ ବସାଇ ଅଭିମନ୍ତ୍ରିତ କରାଯାଏ ।ପରେ କାଳିକାଇ ତନ୍ତ୍ରରେ ପୂଜାପାନ୍ତି ଏହି ନବ କୁମାରୀ । ଦିନ ଦିପହର ମଧ୍ୟରେ ପୂଜା ଶେଷ ହେବାପରେ ବ୍ରତ ସମାପନ କରିଥାନ୍ତି ଏହି ବଙ୍ଗୀୟ ମାନେ । ପଟ୍ଟାମୁଣ୍ଡାଇ ସହରରେ ଅନେକ ସ୍ଥାନରେ ଦୁର୍ଗା ମଣ୍ଡପରେ ମା’ଙ୍କ ପୂଜାର୍ଚ୍ଚନା କରାଯାଉଥିଲେ ମଧ୍ୟ ବଙ୍ଗାଳି ସାହିର ଏହି ନିଆରା ଦୁର୍ଗାପୂଜା ଦେଖିବାକୁ କାହିଁ କେଉଁଠୁ ଭକ୍ତ ମାନେ ଏଠାକୁ ଆସି ମାଙ୍କ ଆଶୀର୍ବାଦ ନେଇଥାନ୍ତି ।
