ପଟ୍ଟାମୁଣ୍ଡାଇ କଲେଜ ସୁବର୍ଣ୍ଣ ଜୟନ୍ତୀ ସମାରୋହର ପ୍ରଥମ ଦିବସ

ପଟ୍ଟାମୁଣ୍ଡାଇ ୨୧/୪ -ଶିକ୍ଷା ହିଁ ସମାଜର ମୂଳ ପୁଞ୍ଜି। ଯେତେବେଳେ ସମାଜ ନିଜ ଅଧିକାର ସହ ଦାୟିତ୍ୱ ପ୍ରତି ସଚେତନ ହୁଏ ସେତେବେଳେ ସମାଜ ଆଗକୁ ବଢ଼େ। ଆଜିର ସମାଜରେ ଆମେ ନିଜର ଅଧିକାର ପ୍ରତି ଯେତେ ସଚେତନ, ଦାୟିତ୍ୱ ପ୍ରତି ମଧ୍ୟ ସେତିକି ସଚେତନ ରହିବା ଦରକାର । ଯେଉଁ ସମାଜ ଶିକ୍ଷାକୁ ଯେତେ ଗୁରୁତ୍ୱ ଦେବ, ସେ ସେତେ ଅଧିକ ସଫଳତା ହାସଲ କରିବ ବୋଲି ମଙ୍ଗଳବାର ପଟ୍ଟାମୁଣ୍ଡାଇ କଲେଜ ସୁବର୍ଣ୍ଣ ଜୟନ୍ତୀ ସମାରୋହରେ ଅତିଥିମାନେ ଏପରି ମତ ପ୍ରକାଶ କରିିଥିଲେ ।

ପଟ୍ଟାମୁଣ୍ଡାଇ କଲେଜର ଅଧ୍ୟକ୍ଷ ପ୍ରଫେସର ଉମାକାନ୍ତ ପାତ୍ରଙ୍କ ସଭାପତିତ୍ୱରେ ଅନୁଷ୍ଠିତ ଏହି ସୁବର୍ଣ୍ଣ ଜୟନ୍ତି ଉତ୍ସବରେ ପୁର୍ବତନ ଅଧ୍ୟକ୍ଷ ପ୍ରଫେସର ଦୁର୍ଯ୍ୟଧନ ପରିଡା ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ବର୍ତମାନ ଡିଜିଟାଲ୍ ଯୁଗ ଏତେ ଅଗ୍ରଗତି କରିଛି ଯେ ଆମେ ଡିଜିଟାଲ୍ ଓ ଏଆଇ ସହିତ ନିଶା ଭଳି ଯୁକ୍ତ ହୋଇଗଲୁଣି। ଏଭଳି ସମୟରେ ପିଲାମାନେ କେମିତି ଡିଜିଟାଲ୍ ବା ଏଆଇ ଫାଷ୍ଟ୍ କରିବେ, ତା’ ଉପରେ ଗୁରୁତ୍ୱାରୋପ କରିବା ଆବଶ୍ୟକ ବୋଲି ସେ କହିଥିଲେ ।
ମୁଖ୍ୟ ବକ୍ତାଭାବେ ପଟ୍ଟାମୁଣ୍ଡାଇ କଲେଜର ପୂର୍ବତନ ଇଂରାଜି ବିଭାଗ ପ୍ରଫେସର ଦୁର୍ଯ୍ୟୋଧନ ପରିଡା ଯୋଗ ଦେଇ ଜୀବନରେ ଅନେକ ଆହ୍ୱାନ ଆସିବ। ସେଥିରେ କିଛି ବିଫଳ ବି ହେବ। ବିଫଳତା ବଡ଼ କଥା ନୁହେଁ, ବିଫଳତାରେ ହତୋତ୍ସାହିତ ହୋଇ ସେଇଠି ଅଟକିଯିବା ହିଁ ବଡ଼ ବିଫଳତା। ପିଲାମାନେ ବିଫଳତାରୁ ଶିଖିବା ସହିତ ନିଜର ଅନ୍ତରାତ୍ମାର ସ୍ୱର ଯାହା କହୁଛି, ତାହା ଶୁଣିବାକୁ ସେ ଆହ୍ୱାନ ଦେଇ ଶିକ୍ଷା ଉପରେ ଦେଶ ରାଜ୍ୟ ଓ ଛାତ୍ରୀଛାତ୍ରଙ୍କ ଭବିଷ୍ୟତ ନିର୍ଭର କରୁଥିବାରୁ ଉତ୍ତମ ଚରିତ୍ରବାନ ଛାତ୍ରୀଛାତ୍ର ସୃଷ୍ଟି କରି ସମଗ୍ର ଓଡିଶାରେ ପଟ୍ଟାମୁଣ୍ଡାଇ କଲେଜର ସ୍ୱତନ୍ତ୍ର ପରିଚୟ ସୃଷ୍ଟି କରିବାକୁ ସେ ଆହ୍ୱାନ ଦେଇଥିଲେ ।
କେନ୍ଦ୍ରାପଡ଼ା ଏବଂ ପଟ୍ଟାମୁଣ୍ଡାଇର ପୂର୍ବତନ ବିଧାୟକ ତଥା ପୁରାତନ ଛାତ୍ର କିଶୋର ତରାଇ ବିଶିଷ୍ଟ ଅତିଥି ଭାବେ ଯୋଗ ଦେଇ ଜୀବନ ସବୁବେଳେ ଆହ୍ୱାନପୂର୍ଣ୍ଣ। ବର୍ତମାନ ଯୁଗରେ ବହୁତ କିଛି କୃତ୍ରିମ ବୁଦ୍ଧିମତା କାମ କରୁଛି। ସବୁ ଯାନ୍ତ୍ରିକ ଜୀବନ ଭିତରେ ବି ମଣିଷପଣିଆର ବଡ଼ ମୂଲ୍ୟ ରହିଛି ଓ ରହିବ। ମଣିଷ ସହିତ ମଣିଷ ଯୋଡ଼ି ହେବା ଜୀବନ ପାଇଁ ଏକ ଅମୂଲ୍ୟ ସମ୍ପଦ ବୋଲି ସେ କହିବା ସହିତ ଶିକ୍ଷା କ୍ଷେତ୍ରରେ ଏ ଅଂଚଳର ପରିଚୟ ସୃଷ୍ଟି କରିଥିବା ପଟ୍ଟାମୁଣ୍ଡାଇ ଆମ ଗର୍ବ ଓ ଗୌରବର ପ୍ରତୀକ ହୋଇଥିବାରୁ ଏହାର ବିକାଶ ସହ ଗୌରବ ଓ ଗାରିମା ଅକ୍ଷୁର୍ଣ୍ଣ ରଖିବା ସମସ୍ତଙ୍କ କର୍ତ୍ତବ୍ୟ ହେବା ଉଚିତ ବୋଲି ପ୍ରକାଶ କରିଥିଲେ ।
ପୁରାତନ ଛାତ୍ର ସଂସଦ ସଭାପତି ରଶ୍ମୀରଞ୍ଜନ ପ୍ରଧାନ ଭାଷଣରେ କହିଥିଲେ, ବର୍ତମାନ ଦୁନିଆ ଅତି ତୀବ୍ର ଗତିରେ ବଦଳୁଛି, ସେହି ଅନୁସାରେ ଅଭିଜ୍ଞତା କମୁଛି। ଦୁନିଆ ବଦଳିବା ସାଙ୍ଗକୁ ନିଜକୁ ବି ବଦଳାଇବାକୁ ପଡ଼ିବ। ପୁସ୍ତକରେ ଯାହା ଲେଖା ଅଛି, ସେୟା ହିଁ ପଢ଼ି ରହିଗଲେ ସଫଳ ହେବା ନାହିଁ, ନୂଆ ନୂଆ ଅଭିଜ୍ଞତା ଅର୍ଜିବା ସହିତ ପ୍ରାକ୍ଟିକାଲ୍ ହେବାକୁ ସେ କହିଛନ୍ତି।
ପୁରାତନ ଛାତ୍ର ସଂସଦ ସମ୍ପାଦକ ତଥା ପୂର୍ବତନ ବ୍ଲକ ଅଧ୍ୟକ୍ଷ ନିଶିକାନ୍ତ ପ୍ରଧାନ ଯୋଗ ଦେଇ କଲେଜର ସୁବର୍ଣ୍ଣ ଜୟନ୍ତୀ ପାଳନ ଶିକ୍ଷାଗତ ଉତ୍କର୍ଷତା ଏବଂ ଗାରିମାକୁ ପୁନଃସ୍ଥାପିତ କରିବାର ଏକ ମହାନ ଅବସର। ଏହା କେବଳ ଉତ୍ସବ ନୁହେଁ, ବରଂ ଗତ ଅର୍ଦ୍ଧଶତାବ୍ଦୀର ସଫଳତା, ଅଭିଜ୍ଞତା ଏବଂ ଭବିଷ୍ୟତର ଲକ୍ଷ୍ୟକୁ ସମୀକ୍ଷା କରିବାର ସମୟ ବୋଲି ସେ କହିଥିଲେ।
ଅନ୍ୟମାନଙ୍କ ମଧ୍ୟରେ ପୁରାତନ ଛାତ୍ର ସଂସଦ ସହ ସମ୍ପାଦକ ରଜେନ୍ଦ୍ର ଦାଶ ସମ୍ମାନିତ ଅତିଥି ଭାବେ ଯୋଗ ଦେଇ କଲେଜର ସୁବର୍ଣ୍ଣ ଜୟନ୍ତୀ ପାଳନ ସମୟରେ ଶିକ୍ଷାଗତ ଉତ୍କର୍ଷତା ପାଇଁ ଗ୍ରହଣ କରାଯାଉଥିବା କେତେକ ପ୍ରମୁଖ ପଦକ୍ଷେପ ଏବଂ ଦିଗ ଉପରେ ଆଲୋକ ପାତ କରିଥିଲେ।
ପ୍ରାରମ୍ଭରେ କଲେଜ ପ୍ରିନ୍ସିପାଲ୍ ପାତ୍ର ସ୍ୱାଗତ ଭାଷଣ ଦେଇଥିବା ବେଳେ ଅଧ୍ୟାପିକା ଡ଼ ଅଞ୍ଜଳି ଦାଶ ଅତିଥି ପରିଚୟ ପ୍ରଦାନ କରିଥିଲେ । ଏହି ଅବସରରେ ସ୍ମୃତି ସ୍ତମ୍ଭ ଉନ୍ମୋଚନ କରାଯାଇଛି ।
ସନ୍ଧ୍ୟାରେ ଓଡ଼ିଶୀ ନୃତ୍ୟ, ସମ୍ବଲପୁରୀ ନୃତ୍ୟ ଭଳି ଚିତାକର୍ଷକ ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଷଣ ହୋଇଥିଲା। କଲେଜର ପୁରାତନ ଛାତ୍ରସଂଘ ପକ୍ଷରୁ ଆୟୋଜିତ ହୋଇଥିବା ଏହି ସମାରୋହରେ ବହୁ ପୁରାତନ ଛାତ୍ରୀଛାତ୍ର ଏକତ୍ର ହୋଇ କାର୍ଯ୍ୟକ୍ରମକୁ ସଫଳ ଭାବେ ପରିଚାଳନା କରିଥିଲେ। ସୁବର୍ଣ୍ଣ ଜୟନ୍ତୀ ସମାରୋହ ଆଉ ଦୁଇଦିନ ଚାଲିବ। ଗୁରୁବାର ଉଦ୍ଯାପନୀ ସମାରୋହରେ ଶିଳ୍ପ ମନ୍ତ୍ରୀ ଯୋଗଦେବାର କାର୍ଯ୍ୟକ୍ରମ ରହିଛି।
ସୁବର୍ଣ୍ଣ ଜୟନ୍ତୀର ପ୍ରଥମ ଦିବସ କାର୍ଯ୍ୟକ୍ରମରେ ମୁଖ୍ୟଅତିଥି ରାଜ୍ୟ ପୂର୍ତ୍ତ ଓ ଆଇନ ମନ୍ତ୍ରୀ ପୃଥ୍ୱୀରାଜ ହରିଚନ୍ଦନ ପଟ୍ଟାମୁଣ୍ଡାଇ କଲେଜ ଗସ୍ତ ହଠାତ ବାତିଲ ହୋଇଯିବାରୁ ଉତ୍ସବର ମୁଖ୍ୟବକ୍ତା ରାଜନଗର ବିଧାୟକ ଧ୍ରୁବ ସାହୁ ଯୋଗ ଦେଇପାରି ନଥିଲେ । ଫଳରେ ପୁରତନ ଛାତ୍ର ଓ ଛାତ୍ରୀଛାତ୍ରଙ୍କ ମଧ୍ୟରେ ଅସନ୍ତୋଷ ପ୍ରକାଶ ପାଇଥିଲା ।
ଏହି ସଭାରେ ଅନ୍ୟମାନଙ୍କ ମଧ୍ୟରେ ପୂର୍ବତନ ଅଧ୍ୟକ୍ଷ ପ୍ରଫେସର ଦିଲ୍ଲିପ ଭୁୟାଁ, କୈଳାସ ପାତ୍ର, ଶ୍ରୀମାଂଚଳ ଭୋଳ, ନୃସିଂହ ମିଶ୍ର, ଡ଼ ନିଳମଣୀ ଲେଙ୍କା ପ୍ରମୁଖ ଯୋଗ ଦେଇଥିବା ବେଳେ ଡ଼ ଅରବିନ୍ଦ ପାଣ୍ଡବ ରଞ୍ଜନ ଗାହାଣ, ରଞ୍ଜନ ବେହୁରା, ସରୋଜିନ ମିଶ୍ର ସମେତ ଅଧ୍ୟାପିକା/ ଅଧ୍ୟପକ କାର୍ଯ୍ୟକ୍ରମ ପରିଚାଳନାରେ ସହଯୋଗ କରିଥିଲେ । ବହୁ ମାନ୍ୟଗଣ୍ୟ ବ୍ୟକ୍ତି ଓ ଛାତ୍ରୀଛାତ୍ର ଯୋଗ ଦେଇଥିଲେ ।
