ଚିନ୍ତାରେ ପ୍ରବାସୀଙ୍କ ପରିବାର

ପଟ୍ଟାମୁଣ୍ଡାଇ୨୯/୮ – ନେପାଳରେ ସୃଷ୍ଟି ହୋଇଥିବା ପ୍ରଳୟଙ୍କର ବନ୍ୟା, ପାହାଡ଼ ଧସିବା ଓ ବ୍ୟାପକ ବିପର୍ଯ୍ୟୟ ଯୋଗୁଁ କେନ୍ଦ୍ରାପଡ଼ା ଜିଲା ପଟ୍ଟାମୁଣ୍ଡାଇ ଅଂଚଳର ଶତାଧିକ ପ୍ରବାସୀ ଶ୍ରମିକ ସେଠାରେ ଫସି ରହିଛନ୍ତି। ଯୋଗାଯୋଗ ବିଚ୍ଛିନ୍ନ ହୋଇଯିବା ଫଳରେ ସେମାନଙ୍କର ସୁରକ୍ଷାକୁ ନେଇ ଏଠାକାର ଗାଁ ଗଣ୍ଡାରେ ଥିବା ପରିବାର ଲୋକେ ଗଭୀର ଚିନ୍ତା ଓ ଦୁର୍ଭାବନା ମଧ୍ୟରେ ଦିନ କାଟୁଛନ୍ତି। ଏତେବଡ଼ ସଙ୍କଟସଜନକ ପରିସ୍ଥିତି ସତ୍ୱେ ଜିଲା ଶ୍ରମ ବିଭାଗ ସମ୍ପୂର୍ଣ୍ଣ ସ୍ଥାଣୁ ଓ ନିଷ୍କ୍ରିୟ ହୋଇପଡ଼ିଥିବା ଅଭିଯୋଗ ହୋଇଛି।

ପଟ୍ଟାମୁଣ୍ଡାଇ, ଆଳି, ରାଜକନିକା ଓ ରାଜନଗର ଅଂଚଳ ହଜାର ହଜାର ଯୁବକ ଦଶନ୍ଧି ଦଶନ୍ଧି ଧରି ନେପାଳର କାଠମାଣ୍ଡୁ, ପୋଖରା ଓ ବୀରଗଞ୍ଜ ତିବ୍ଦତ ଭଳି ବିଭିନ୍ନ ସହରରେ ପ୍ଲମ୍ବିଙ୍ଗ କାମ କରି ନିଜ ପରିବାର ପ୍ରତିପୋଷଣ କରିଆସୁଛନ୍ତି। ତେବେ ନିକଟରେ ନେପାଳର ତିବ୍ଦତ ସୀମା ନିକଟରେ ଅବସ୍ଥିତ ରସୁୱାରେ ହୋଇଥିବା ଆକସ୍ମିକ ବନ୍ୟା ଅନେକ ଗାଁ ଏବଂ ପ୍ରକଳ୍ପ ସ୍ଥାନକୁ ଭସାଇ ନେଇଥିଲା ଏବଂ ବହୁ ଜୀବନ ଏବଂ ସମ୍ପତି କ୍ଷତି ହୋଇଛି । ବିପର୍ଯ୍ୟୟରେ ଅନେକଙ୍କ ମୃତ୍ୟୁ ହୋଇଥିବାବେଳେ ବହୁ ଲୋକ ନିଖୋଜ ଅଛନ୍ତି।

ପଟ୍ଟାମୁଣ୍ଡାଇ ବ୍ଲକର ବାଲିପାଟଣା, ଖଡ଼ିପାଳ, ନୀଳକଣ୍ଠପୁର ଓ ବେଲତଳ ଆଦି ଗାଁରବହୁ ଲୋକ ସେଠାରେ ରହୁଛନ୍ତି । ଟିଭିରେ ଦେଖାଯାଇଥିବା ଧ୍ୱଂସ ବିଦାରକ ଦୃଶ୍ୟ ଏଠଅକାର ପରିବାର ଲୋକଙ୍କ ହୃଦୟକୁ ଭୟ ଏବଂ ଚିନ୍ତାରେ ସ୍ପନ୍ଦିତ କରଦେଉଛି। ପରିବାରବର୍ଗ ଏବେ ପ୍ରତିମୁହୂର୍ତରେ ଭୟ ମଧ୍ୟରେ ଜୀବନ ବିତାଉଛନ୍ତି। ଗାଁର ଅନେକ ମହିଳା ଓ ବୃଦ୍ଧ ପିତାମାତା ନିଜ ସ୍ୱାମୀ ଓ ପୁଅଙ୍କ ସହ ଯୋଗାଯୋଗ କରି ନପାରି ଆଖିରୁ ଲୁହ ଗଡ଼ାଉଛନ୍ତି। ତିନି ଦିନ ହେବ ଫୋନ୍ ଲାଗୁନି, ସେମାନେ କେଉଁ ଅବସ୍ଥାରେ ଅଛନ୍ତି କିଛି ଜଣାପଡ଼ୁନାହିଁ ବୋଲି ଜଣେ ଆତଙ୍କିତ ପରିବାର ସଦସ୍ୟ କ୍ଷୋଭର ସହ ପ୍ରକାଶ କରିଛନ୍ତି।
ସେହିପରି ପଟ୍ଟାମୁଣ୍ଡାଇ ବ୍ଲକ ଅନ୍ତର୍ଗତ ନରସିଂହପୁର ଗାଁର ସସ୍ମିତା ସ୍ୱାଇଁ କୁହନ୍ତି ତାଙ୍କ ଭାଇଖରିପାଳ ଗାଁର ବିକାଶ ସ୍ୱାଇଁଙ୍କ ବିଷୟରେ ଚିନ୍ତିତ ଥିଲେ । ଯିଏ ଗତ ଦୁଇ ଦଶଦ୍ଧି ଧରି ନେପାଳରେ ରହିଆସୁଛନ୍ତି। ଶୁକ୍ରବାର ଭାଇଙ୍କ ସହ କଥା ହୋଇଥିଲି ଏବଂ ସେ କହିଥିଲେ ଯେ ସେ କାଠମାଣ୍ଡୁରେ ସୁରକ୍ଷିତ ଅଛନ୍ତି। କିନ୍ତୁ ଉତର ନେପାଳରେ ବନ୍ୟାରେ ଅନେକ ଲୋକ ମୃତ୍ୟୁବରଣ କରିଛନ୍ତି ବୋଲି ସେ କହିଛନ୍ତି। ଖଡିପାଳ ଗାଁର ଦୀପକ ସ୍ୱାଇଁ, ପ୍ରଶାନ୍ତ ସ୍ୱାଇଁ ଏବଂ ଅନ୍ୟମାନେ ମଧ୍ୟ ନେପାଳରେ ପାଣି ମିସ୍ତ୍ରୀ ଭାବରେ କାମ କରୁଛନ୍ତି। ପଟ୍ଟାମୁଣ୍ଡାଇ ବ୍ଲକ ଅନ୍ତର୍ଗତ ବାଲିପାଟଣା ଗାଁର ଜଣେ ପ୍ରବାସୀ ଦେବାଶିଷ ମହାନ୍ତି କହିଛନ୍ତି ଯେ କେନ୍ଦ୍ରାପଡା ଜିଲାର ପ୍ରାୟ ୨୦୦୦ ଲୋକ ନେପାଳରେ କାମ କରୁଛନ୍ତି। ୨୬ ଅଗଷ୍ଟରେ ନେପାଳ-ତିବ୍ଦତ ସୀମାରେ ଆରମ୍ଭ ହୋଇଥିବା ବଡ଼ ବନ୍ୟା ଏବଂ କାଦୁଅ ଧସିବା ପରେ ଗମ୍ଭୀର ସଙ୍କଟର ସମ୍ମୁଖୀନ ହେଉଛି। ଶହ ଶହ ଲୋକଙ୍କ ମୃତ୍ୟୁ ହୋଇଥିବା ଜଣାପଡ଼ିଛି ଏବଂ ପୁନରୁଦ୍ଧାର କାର୍ଯ୍ୟ ଜାରି ରହିଛି । ମାତ୍ର ଭୋଟେ କୋଶୀ ନଦୀରେ ବନ୍ୟା ଜଳ ପ୍ରବାହିତ ହେବା ଫଳରେ ରସୁୱା ଜିଲାର ତିମୁରେ ଏବଂ ନିକଟବର୍ତୀ ସ୍ୟାଫ୍ରୁବେସି ଅଂଚଳରେ ବ୍ୟାପକ କ୍ଷୟକ୍ଷତି ଘଟିଛି। ସୀମାନ୍ତ ସହର ଏବଂ ବାଣିଜ୍ୟ କେନ୍ଦ୍ର ତିମୁରେ ଓଡ଼ିଆ ଶ୍ରମିକଙ୍କ ସଂଖ୍ୟା ବହୁତ ଅଧିକ। ଟିମୁର ସମ୍ପୂର୍ଣ୍ଣ ଭାବରେ ନଷ୍ଠ ହୋଇଯାଇଛି ବୋଲି ସେ କହିଥିଲେ। ଏତେ ବଡ଼ ଅପ୍ରୀତିକର ପରିସ୍ଥିତି ଉପୁଜିଥିଲେ ସୁଦ୍ଧା କେନ୍ଦ୍ରାପଡ଼ା ଜିଲା ଶ୍ରମ ବିଭାଗ ନିଷ୍କ୍ରିୟ ହୋଇ ବସିଛି। ପ୍ରବାସୀ ଶ୍ରମିକଙ୍କ ତଥ୍ୟ ସଂଗ୍ରହ କରିବା, ନେପାଳରେ ଫସିଥିବା ଶ୍ରମିକଙ୍କୁ ଉଦ୍ଧାର କରିବା କିମ୍ବା ସେମାନଙ୍କ ସୁରକ୍ଷିତ ପ୍ରତ୍ୟାବର୍ତନ ପାଇଁ ରାଜ୍ୟ ସରକାର ଓ ବୈଦେଶିକ ମନ୍ତ୍ରଣାଳୟ ସହ ଯୋଗାଯୋଗ କରିବାରେ ବିଭାଗ କୌଣସି ତତ୍ପରତା ଦେଖାଉନାହିଁ। ଶ୍ରମ କାର୍ଯ୍ୟାଳୟ ପକ୍ଷରୁ କୌଣସି ସ୍ୱତନ୍ତ୍ର ହେଲ୍ପଲାଇନ୍ ନମ୍ବର କିମ୍ବା ସହାୟତା କେନ୍ଦ୍ର ଖୋଲାଯାଇ ନଥିବାରୁ ସ୍ଥାନୀୟ ଲୋକଙ୍କ ମଧ୍ୟରେ ତୀବ୍ର ଅସନ୍ତୋଷ ପ୍ରକାଶ ପାଇଛି। କେନ୍ଦ୍ରାପଡ଼ାର ସହାୟକ ଜିଲ୍ଲା ଶ୍ରମ ଅଧିକାରୀ ଅଶୋକ ମୁର୍ମୁ କହିଛନ୍ତି ଯେ ଜିଲାର ଅନେକ ପାଣି ମିସ୍ତ୍ରୀ ନେପାଳ ଏବଂ ଅନ୍ୟାନ୍ୟ ଦେଶରେ କାମ କରନ୍ତି। ଆଜି ପର୍ଯ୍ୟନ୍ତ ନେପାଳରେ ଜିଲାର ଶ୍ରମିକମାନଙ୍କ ଦୁର୍ଦ୍ଦଶା ବିଷୟରେ ଆମେ କୌଣସି ସୂଚନା ପାଇନାହୁଁ ।
