
କେନ୍ଦ୍ରାପଡ଼ା,୨୩ା୩ : ସମାଜର ଦୃଷ୍ଟିଶକ୍ତି ପାଲଟିଛି କେନ୍ଦ୍ରାପଡା ବ୍ଲକ ଅନ୍ତର୍ଗତ ଓସ୍ତପୁରରେ ଥିବା ବସନ୍ତ କୁମାରୀ ଗ୍ରାମୀଣ ଚକ୍ଷୁ ଚିକିତ୍ସାଳୟ ଓ ଗବେଷଣା କେନ୍ଦ୍ର। ଏହି କେନ୍ଦ୍ରର ଉଦ୍ୟମ ଦ୍ୱାରା ହଜାର ହଜାର ଦୃଷ୍ଟିହୀନ ବ୍ୟକ୍ତି ଦୃଷ୍ଟିଶକ୍ତି ଫେରି ପାଇଛନ୍ତି। ଦୃଷ୍ଟିଶକ୍ତି ଫେରି ପାଇବା ପରେ ଦୁନିଆକୁ ସ୍ୱଚକ୍ଷୁରେ ଦେଖିବାର ଅଦ୍ୱିତୀୟ ସୁଯୋଗ ପାଇଛନ୍ତି ଅନେକ ଦୃଷ୍ଟିହୀନ। ଦୃଷ୍ଟିଶକ୍ତି ଫେରି ପାଇଥିବା ବ୍ୟକ୍ତିମାନେ ଅନୁଷ୍ଠାନର ମୁଖ୍ୟ ଡା. ସରୋଜ କୁମାର ତ୍ରିପାଠୀଙ୍କୁ ଭଗବାନ ଭାବେ ଅଭିହିତ କରିଛନ୍ତି। ସେମାନଙ୍କ ମତରେ ସେମାନେ ଜନ୍ମରୁ ଦୃଷ୍ଟିହୀନ ଥିଲେ। ଦୁନିଆ କଳା କି ଧଳା କି ରଙ୍ଗୀନ ତାହା ସେ ଜନ୍ମରୁ ଦେଖିନଥିଲେ। କିନ୍ତୁ ବସନ୍ତ କୁମାରୀ ଗ୍ରାମୀଣ ଚକ୍ଷୁ ଚିକିତ୍ସାଳୟର ଡାକ୍ତର ସରୋଜ କୁମାର ତ୍ରିପାଠୀଙ୍କ ଅଦମ୍ୟ ଉଦ୍ୟମ ସେମାନଙ୍କୁ ନୂଆ ଦୁନିଆ ଦେଖାଇବାରେ ସାହାଯ୍ୟ କରିଛି। କେବଳ ଦୃଷ୍ଟିହୀନ ବ୍ୟକ୍ତି ନୁହନ୍ତି କେନ୍ଦ୍ରାପଡା ଜିଲ୍ଲାର ଲକ୍ଷ ଲକ୍ଷ ଜନସାଧାରଣ ଏବେ ଡାକ୍ତର ସରୋଜ ତ୍ରିପାଠୀଙ୍କ ସମାଜସେବା ପ୍ରତି ରହିଥିବା ପ୍ରତିବଦ୍ଧତା ଉପରେ ଚର୍ଚ୍ଚା କରୁଛନ୍ତି। ପ୍ରାଚୁର୍ଯ୍ୟରେ ବଢି ମଧ୍ୟ ଜଣେ ସାଧାରଣ କୃଷକ ଭଳି ଜୀବନ ବିତାଇଥାନ୍ତି ଡାକ୍ତର ସରୋଜ ତ୍ରିପାଠୀ। ତାଙ୍କ ମନରେ ଗର୍ବ, ଅହଂକାର, ବଡିମା ଜମାରୁ ନାହିଁ। ତାଙ୍କ ସହ ଦୁଇପଦ କଥା ହୋଇଗଲେ ରୋଗୀଙ୍କର ଅଧା ରୋଗ ଭଲ ହୋଇଯାଏ ବୋଲି ଚିକିତ୍ସାଳୟର ଉନବିଂଶତମ ବାର୍ଷକ ଉତ୍ସବରେ ଯୋଗଦେଇ ଅତିଥି ଓ ସ୍ଥାନୀୟ ଜନସାଧାରଣ ମତବ୍ୟକ୍ତ କରିଛନ୍ତି। ଏହି ଅବସରରେ ଡାକ୍ତର ସରୋଜ ତ୍ରପାଠୀ କୁହନ୍ତି ତାଙ୍କ ଜୀବନର ସମସ୍ତ ପୁଞ୍ଜି ସେ ସମାଜ ପାଇଁ ଲଗାଇ ଦେଇଛନ୍ତି। ତାଙ୍କ ଦେହରେ ପ୍ରବାହିତ ହେଉଥିବା ଶେଷ ରକ୍ତବୁନ୍ଦା ପର୍ଯ୍ୟନ୍ତ ସେ ଲୋକଙ୍କ ସେବା କରିବେ। ଲୋକଙ୍କ ସେବା କରି ଆଖିବୁଜି ଦେଲେ ତାଙ୍କ ଜୀବନ ସାର୍ଥକ ହୋଇଯିବ ବୋଲି ସେ ଗଣମାଧ୍ୟମକୁ ସୂଚନା ଦେଇଛନ୍ତି। ଚିକିତ୍ସାଳୟର ପ୍ରତିଷ୍ଠାତା ପ୍ରଫେସର ଡା. ବିମଳକାନ୍ତ ତ୍ରିପାଠୀଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଉତ୍ସବରେ କେନ୍ଦ୍ରାପଡା ସତ୍ୟସାଇ ସେବାସମିତି ସଭାପତି ଉମେଶ ଚନ୍ଦ୍ର ନାୟକ, ଭୁବନେଶ୍ୱର ରୋଟାରୀ କ୍ଲବ(ୟୁନିକ୍)ର ସଭାପତି ଲକ୍ଷ୍ମୀକାନ୍ତ ପାଲିତ ଓ କଟକ ରୋଟାରୀ ଚକ୍ଷୁ ଚିକିସାôଳୟର ଡା. ସନ୍ତୋଷ ମହାପାତ୍ର ପ୍ରମୁଖ ଅତିଥି ଭାବେ ଯୋଗଦେଇଥିଲେ। ଏହି ଚିକିତ୍ସାଳୟରେ ଏହା ମଧ୍ୟରେ ୨୦ହଜାରରୁ ଉର୍ଦ୍ଧ୍ୱ ରୋଗୀଙ୍କ ଅସ୍ର୍ତ୍ରୋପ୍ରଚାର ଏବଂ ଚିକିତ୍ସା କରାଯାଇଛି । ୧୯ବର୍ଷ ଅତିକ୍ରମ କରିଥିବା ଏହି ଚିକିତ୍ସାଳୟରେ ଚକ୍ଷୁ ଅସ୍ର୍ତ୍ରୋପ୍ରଚାର ପାଇଁ କଟକ, ଭୁବନେଶ୍ୱର ଭଳି ବଡ ବଡ ସହରକୁ ଯାଇପାରୁନଥିବା ଗରୀବ ଅସହାୟ ଲୋକମାନଙ୍କ ଚକ୍ଷୁରେ ଅସ୍ର୍ତ୍ରୋପ୍ରଚାର କରାଯାଉଛି । ସମାଜସେବାକୁ ନିଜ ଜୀବନର ବ୍ରତ କରିଥିବା ଡା. ସରୋଜ କୁମାର ତ୍ରିପାଠୀ ପ୍ରକୃତରେ ଏମାଟିର ଜଣେ ସୁଯୋଗ୍ୟ ସନ୍ତାନ ଓ ଏକ ବିରଳ ବ୍ୟକ୍ତିତ୍ୱ ବୋଲି ଅତିଥିମାନେ ମତବ୍ୟକ୍ତ କରିଥିଲେ । ଶେଷରେ ଇଂ ମନୋଜ କୁମାର ତ୍ରିପାଠୀ ଧନ୍ୟବାଦ ଅର୍ପଣ କରିଥିଲେ । ଅନ୍ୟମାନଙ୍କ ମଧ୍ୟରେ ଭୁବନେଶ୍ୱର ରୋଟାରୀ କ୍ଲବ(ୟୁନିକ୍)ର ପ୍ରାକ୍ତନ ସଭାପତି ପ୍ରଫେସର ଡା. ପ୍ରଫୁଲ୍ଲ କୁମାର ମହାପାତ୍ର, ଦିବ୍ୟରଞ୍ଜନ ଦାସ, ନିରଜନୟନ ଦତ୍ତ, ଡା. ନିରଞ୍ଜନ ପରିଡା, ସତ୍ୟବ୍ରତ ସିଂ ପ୍ରମୁଖ ଉପସ୍ଥିତ ଥିଲେ।
