କୁଳସାହି ଆଶ୍ରମ ବିଦ୍ୟାଳୟରେ ବନ୍ୟା ପାଣି

ପଟ୍ଟାମୁଣ୍ଡାଇ ୧୭/୮କଳ୍ପତରୁ ନାୟକ- କେନ୍ଦ୍ରାପଡ଼ା ଜିଲ୍ଲା ପଟ୍ଟାମୁଣ୍ଡାଇ ବ୍ଲକ୍ କୁଳସାହି ଆବାସିକ ସ୍କୁଲ୍ରେ ବ୍ରାହ୍ମଣୀ ନଦୀର ବନ୍ୟା ଜଳ ପଶିଯିବା ଯୋଗୁଁ ସ୍ଥିତି ଅତ୍ୟନ୍ତ ସଙ୍କଟଜନକ ହୋଇପଡ଼ିଛି । ଗତ ଦୁଇ ଦିନ ହେବ ସ୍କୁଲ୍ ଚାରିପାଖରେ ୮ ରୁ ୧୦ ଫୁଟ୍ର ବନ୍ୟା ପାଣି ଲହଡ଼ି ଭାଙ୍ଗୁଥିବାରୁ ପ୍ରାୟ ୩୦୦ ଜଣ ଛାତ୍ରୀଛାତ୍ର ଅସହାୟ ଭାବେ ଜଳବନ୍ଦୀ ହୋଇ ରହିଛନ୍ତି । ଗଣମାଧ୍ୟମ ଆଗରେ ପିଲାମାନେ କାନ୍ଦିକାନ୍ଦି ନିଜର ଦୁର୍ଦ୍ଦଶା ବଖାଣୁଛନ୍ତି । ମାତ୍ର ଜିଲା ପ୍ରଶାସନ ଓ ଅଗ୍ନିଶମ ବାହିନୀ ସ୍ଥିତି ଅନୁଧ୍ୟାନ ସହ ନଜର ରଖିଛନ୍ତି । କିଛି ପିଲାଙ୍କୁ ବାହାର କରାଯାଇଥିବା ବିଇଓ ଅଜିତ ବାରିକ ଦାବି କରୁଥିବା ବେଳେ ପିଲାମାନେ ସୁରକ୍ଷିତ ଉଦ୍ଧାର ପାଇଁ ଆକୁଳ ନିବେଦନ କରୁଛନ୍ତି ।
ପ୍ରାକାଶ ଯେ ବ୍ରାହ୍ମଣୀ ନଦୀର ଜଳସ୍ତର ବୃଦ୍ଧି ପାଇ କୂଳ ଲଙ୍ଘିବା ଯୋଗୁଁ ଆବାସିକ ବିଦ୍ୟାଳୟ ଚାରିପାଖରେ ବନ୍ୟା ପାଣି ମାଡ଼ି ଯାଇଛି । ଫଳରେ ରବିବାର ଠାରୁ ସ୍କୁଲ୍ ପରିସର ମଧ୍ୟରେ ପ୍ରାୟ ୩୨୦ ଜଣ ଛାତ୍ରୀଛାତ୍ର ଅସହାୟ ଭାବେ ଫସି ରହିଛନ୍ତି । ଛାତ୍ରାବାସ ତଳମହଲାରେ ପେଟେପାଣି ଘେରି ରହିଥିବାରୁ ପିଲାମାନେ ବାହାରକୁ ବାହାରି ପାରୁନାହାନ୍ତି ।ଘଟଣାର ଖବର ପାଇବା ପରେ ଜିଲା ଓ ବ୍ଲକ ପ୍ରଶାସନିକ ଅଧିକାରୀମାନେ ସ୍କୁଲ୍ରେ ପହଁଚି ସ୍ଥିତି ଅନୁଧ୍ୟାନ କରିଛନ୍ତି । ସୁରକ୍ଷା ଦୃଷ୍ଟିରୁ ଅଗ୍ନିଶମ ବାହିନୀର କର୍ମଚାରୀମାନେ ସେଠାରେ ପହଁଚି ନଜର ରଖିବା ସହ ପାହାରା ଦେଉଛନ୍ତି । ଛାତ୍ରୀଛାତ୍ରଙ୍କ ପାଇଁ ପର୍ଯ୍ୟାପ୍ତ ଖାଦ୍ୟ ଓ ପାନୀୟ ଜଳ ମହଜୁଦ ରଖାଯାଇଛି ଏବଂ ସେମାନଙ୍କ ସୁରକ୍ଷା ପ୍ରତି ସ୍ୱତନ୍ତ୍ର ଧ୍ୟାନ ଦିଆଯାଉଛି ବୋଲି ପ୍ରଶାସନ ପକ୍ଷରୁ ଦାବି କରାଯାଇଛି ।ତେବେ ପ୍ରଶାସନର ଦାବି ଏବଂ ପ୍ରତ୍ୟକ୍ଷ ସ୍ଥିତି ମଧ୍ୟରେ ବଡ଼ ଫରକ ଦେଖିବାକୁ ମିଳିଛି । ସୋମବାର ଗଣମାଧ୍ୟମରେ ଭିଡିଓରେ ପିଲାମାନେ କାନ୍ଦିକାନ୍ଦି ସେମାନଙ୍କର ଅସହ୍ୟ ଅସୁବିଧା ବଖାଣୁଛନ୍ତି । ଶୌଚାଳୟରେ ବନ୍ୟା ପାଣି ପଶିଯାଇଥିବାରୁ ଝାଡ଼ା ଓ ପରିସ୍ରା ଯିବା ପାଇଁ ନାହିଁ ନଥିବା ସମସ୍ୟାର ସମ୍ମୁଖୀନ ହେବାକୁ ପଡ଼ୁଛି । ଏପରିକି ବିଶୁଦ୍ଧ ପାନୀୟ ଜଳ ଅଭାବରୁ ବାଧ୍ୟ ହୋଇ ସେମାନଙ୍କୁ ଗୋଳିଆ ପାଣି ପିଇବାକୁ ପଡ଼ୁଥିବା ପିଲାମାନେ ଅଭିଯୋଗ କରିଛନ୍ତି । ଏହାସହ ନଦୀ ପାଣି ସହ ବିଷାକ୍ତ ସରୀସୃପ ଏବଂ କୁମ୍ଭୀର ଚାରିପାଖରେ ବୁଲୁଥିବାରୁ ପିଲାମାନେ ଆତଙ୍କିତ ଅବସ୍ଥାରେ ଅଛନ୍ତି । ବହୁ ସାପ ମରାଯାଇଥିବା ପିଲାମାନେ କହିଛନ୍ତି । ଅନ୍ୟପଟେ ଜିଲା ପ୍ରଶାସନ ଓ ଅଗ୍ନିଶମ ବାହିନୀ ସ୍କୁଲ୍ ପରିସରରେ ପହଁଚିି ପାହାରା ଦେଉଛନ୍ତି । ପର୍ଯ୍ୟାପ୍ତ ଖାଦ୍ୟ ଓ ପାନୀୟ ମହଜୁଦ ଥିବା ବିଇଓ କହୁଥହିବା ବେଳେ କିଛି ପିଲାଙ୍କୁ ଖାଦ୍ୟପେୟରେ ଅସୁବିଧା ହେଉଥିବା ଦାବି କରିଛନ୍ତି । ପିଲାମାନଙ୍କର କାନ୍ଦିବାର ଭିଡିଓ ଭାଇରାଲ ହେବା ପରେ ସେମାନଙ୍କ ଅଭିଭାବକ ଓ ସ୍ଥାନୀୟ ଲୋକଙ୍କ ମଧ୍ୟରେ ଅସନ୍ତୋଷ ଏବଂ ତୀବ୍ର ଉଦ୍ବେଗ ପ୍ରକାଶ ପାଇଛି । ବର୍ତମାନ ପ୍ରଶାସନ ପକ୍ଷରୁ ତୁରନ୍ତ ଉଦ୍ଧାର କାର୍ଯ୍ୟ କରାଯାଇ ପିଲାମାନଙ୍କୁ ସୁରକ୍ଷିତ ଭାବେ ବାହାରକୁ ଆଣିବା ପାଇଁ ଦାବି କରୁଛନ୍ତି । ଅଭିଭାବକମାନେ ନିଜ ପିଲାଙ୍କ ସୁରକ୍ଷାକୁ ନେଇ ଗଭୀର ଚିନ୍ତାରେ ଅଛନ୍ତି । ଯୁଦ୍ଧକାଳୀନ ଭିତିିରେ ପିଲାମାନଙ୍କୁ ତୁରନ୍ତ ସୁରକ୍ଷିତ ଭାବେ ଉଦ୍ଧାର କରିବା ପାଇଁ ଦାବି ଜୋର୍ ଧରିଛି ।
