
କେନ୍ଦ୍ରାପଡ଼ା,୨୫ା୬:ସାରା ରାଜ୍ୟରେ ଛାତ୍ରୀ ମାନଙ୍କୁ ଅସଦାଚରଣ, ଅପହରଣ, ଦୁଷ୍କର୍ମ ଓ ହତ୍ୟାଭଳି ଘଟଣା ଅହେତୁକ ଭାବେ ବଢୁଥିବା ବେଳେ ରାଜ୍ୟର ବିଜେପି ସରକାର ନିରବଦ୍ରଷ୍ଟା ସାଜିଛନ୍ତି। ଏହା ବିରୋଧରେ ବିଜୁ ଯୁବ ଛାତ୍ର ଜନତାଦଳ ପକ୍ଷରୁ କେନ୍ଦ୍ରାପଡ଼ା ସ୍ୱୟଂଶାସିତ ମହାବିଦ୍ୟାଳୟ ଫାଟକ ସମ୍ମୁଖରେ ବୁଧବାର ବିକ୍ଷୋଭ ପ୍ରଦର୍ଶନ କରାଯାଇଥିଲା। ଛାତ୍ର ବିଜେଡି ଜିଲ୍ଲା ସଭାପତି ପ୍ରଦୀପ ସାହୁଙ୍କ ନେତୃତ୍ୱରେ ଅନୁଷ୍ଠିତ ଏହି ବିକ୍ଷୋଭରେ କେନ୍ଦ୍ରାପଡା ବିଧାୟକ ଗଣେଶ୍ୱର ବେହେରା ଯୋଗଦେଇ ଆଜିର ଦିନରେ ଛାତ୍ରୀଟିଏ ନିଜକୁ ଅସୁରକ୍ଷିତ ମଣୁଛି ବୋଲି କହିଥିଲେ। ଗୋପାଳପୁର ଗଣ ଦୁଷ୍କର୍ମ ଘଟଣାକୁ ନିନ୍ଦା କରିବା ସହ ବିଶ୍ୱ ଦରବାରରେ ଓଡିଶାର ଭାବମୂର୍ତ୍ତି କ୍ଷୂର୍ଣ୍ଣ ହୋଇଛି, ରାଜ୍ୟରେ ଆଇନଶୃଙ୍ଖଳା ପରିସ୍ଥିତି ନିୟନ୍ତ୍ରଣରେ ରଖିବାକୁ ସରକାରଙ୍କୁ ଚେତାବନୀ ଦେଇଥିଲେ। ଏହି କାର୍ଯ୍ୟକ୍ରମରେ ଜିଲ୍ଲାପରିଷଦ ସଭାପତି ସୁଶ୍ରୀ ଲିଲିିତା ଦାସ, ପୌରାଧକ୍ଷା ସରିତା ସାହୁ, ଯୁବନେତା ରାଜେଶ ପଣ୍ଡା, ଉମେଶ ନାୟକ, ରଞ୍ଜନ ସାହୁ, ରାଜଶ୍ରୀ ଦାସ, ଉଷାରାଣୀ ରାଉତ, ଇପ୍ସିତା ମଲ୍ଲିକ, ବିଜୟ ମଣ୍ଡଳ, ଲୋହିତ ମହାନ୍ତି ପ୍ରମୁଖ ଯୋଗଦେଇ ନାରୀ ଅପରାଧ ବିରୋଧରେ ରାଜ୍ୟ ସରକାରଙ୍କ ନିରବଦ୍ରଷ୍ଟାକୁ ତୀବ୍ର ସମାଲୋଚନା କରିଥିଲେ। ଅନ୍ୟମାନଙ୍କ ମଧ୍ୟରେ ମାନସ ପରିଡା, ରଞ୍ଜିତ ସାହୁ, ହିରଣ୍ୟ ପଣ୍ଡା, ପ୍ରଭାଶିଷ ପଣ୍ଡା ସୁକୁମାର ଦାସ, ନିରାକର ସ୍ୱାଇଁ, ସଙ୍ଗମ ସାମଲ, ପ୍ରକାଶ ସାହୁ, ଆଲୋକ ସାହୁ, ମୁକ୍ତାର ଖାଁ, ସେକ ଚନ୍ଦନ, ସେକ ଆକ୍ରମ, ଆମ୍ରିନ ସାହଦତ, ଲେଲିନ ସ୍ୱାଇଁ, ମହେନ୍ଦ୍ର ମିଶ୍ର ପ୍ରମୁଖ ଯୋଗଦେଇ ବିକ୍ଷୋଭକୁ ସଫଳ କରିଥିଲେ। ଶେଷରେ ମୁଖ୍ୟମନ୍ତ୍ରୀଙ୍କ କୁଶପୁତଳିକା ଦାହ କରାଯାଇଥିଲା।

ସେହିପରି ରାଜ୍ୟରେ ଆଇନ ଶୃଙ୍ଖଳା ବିପର୍ଯ୍ୟସ୍ତ ଏବଂ ଛାତ୍ରୀ ଦୁଷ୍କର୍ମ ବୃଦ୍ଧି ପାଉଥିବା ପ୍ରତିବାଦରେ ବୁଧବାର ପଟ୍ଟାମୁଣ୍ଡାଇ ବିଜୁ ଯୁବ ଛାତ୍ର ଜନତା ଦଳ ପକ୍ଷରୁ ବିକ୍ଷୋଭ ପ୍ରଦର୍ଶନ କରାଯାଇଛି । ଏନେଇ ପଟ୍ଟାମୁଣ୍ଡାଇ କଲେଜ କ୍ୟାମ୍ପସରେ ଶତାଧିକ ଯୁବ ଛାତ୍ର ମାନେ କଳା ବ୍ୟାଚ ପିନ୍ଧି ଶୋଭାଯାତ୍ରା କରିବା ସହିତ ପଟ୍ଟାମୁଣ୍ଡାଇ କଲେଜ ସମ୍ମୁଖ ପଟ୍ଟାମୁଣ୍ଡାଇ-ରାଜନଗର ରାସ୍ତାରେ ରାସ୍ତାରୋକ କରିଥିଲେ । ଏଥିରେ ପଟ୍ଟାମୁଣ୍ଡାଇ ଯୁବବିଜେଡି ଓ ଛାତ୍ର ବିଜେଡିର ଯୁବଛାତ୍ର ଯୋଗ ଦେଇ ରାଜ୍ୟ ସରକାର ଗୋପାଳପୁର ଛାତ୍ରୀ ଗଣଦୁଷ୍କର୍ମ ଘଟଣାରେ ଦୃଷ୍ଟାନ୍ତମୂଳକ ଦଣ୍ଡ ବିଧାନ, ଛାତ୍ରୀ ଓ ମହିଳାଙ୍କୁ ଉପଯୁକ୍ତ ସୁରକ୍ଷା ଓ ବିପର୍ଯ୍ୟସ୍ତ ଆଇନ ଶୃଙ୍ଖଳା ପରିସ୍ଥିତିରେ ସୁଧାର ନଆଣିଲେ ଯୁବ ଛାତ୍ର ବିଜେଡି ଆନ୍ଦୋଳନକୁ ତୀବ୍ର କରାଯିବ ବୋଲି ଚେତାବନୀ ଦେଇଥିଲେ ।
