
ପଟ୍ଟାମୁଣଇ ୨୨/୫ -ଓଡିଶାକୁ ପୁଣି ଫେରିଲା କରୋନା। ଭୁବନେଶ୍ୱରରେ ଜଣେ କରୋନା ଆକ୍ରାନ୍ତ ହୋଇଥିବା ସୁଚନା ମିଳିଛି । ଦେଶର ବିଭିନ୍ନ ସ୍ଥାନରେ ୨୫୭ କୋଭିଡ୍ ଭୁତାଣୁ ଚିହ୍ନଟ ହେଉଥିବା ବେଳେ ମୁମ୍ବାଇରେ ଦୁଇ ଜଣ ସଂକ୍ରମିତଙ୍କ ମୃତ୍ୟୁ ଘଟିଛି । ଏହି ଭାରିଆଂଟକୁ ନେଇ ସତର୍କ ରହିବାକୁ କେନ୍ଦ୍ର ସରକାରଙ୍କ ପକ୍ଷରୁ ସବୁ ରାଜ୍ୟକୁ ପରାମର୍ଶ ଦିଆଯିବାକୁ କୁହାଯାଇଛି। ବିଶ୍ୱର ବିଭିନ୍ନ ରାଷ୍ଟ୍ରରେ କେନ୍ଦ୍ରାପଡ଼ା ଜିଲା ପଟ୍ଟାମୁଣ୍ଡାଇ ବ୍ଲକ ଅଂଚଳର ଲୋକମାନଙ୍କ ଉପସ୍ଥିତି ଥିବାରୁ ଏଠାରେ ଚିନ୍ତା ବଢିବାରେ ଲାଗିଛି। କରୋନା ନୂଆ ଭାରିଆଂଟ ଯଦି ତା’ର କାୟା ବିସ୍ତାର କରେ ତାହାହେଲେ ପଟ୍ଟାମୁଣ୍ଡାଇ ପକ୍ଷେ ମୁକାବିଲା କରିବା କଷ୍ଟସାଧ୍ୟ ହୋଇପଡିବ ବୋଲି ସାଧାରଣରେ ମତ ପ୍ରକାଶ ପାଇଛି।
ସାମାଜିକକର୍ମୀ ରମେଶ ଦେ, ବୁଦ୍ଧିଜିବି ଭାସ୍କର ରାଉତ ରାୟ, ପ୍ରଫୁଲ୍ଲ ଦାଶ, ପରେଶ୍ୱର ସେଠୀ ପ୍ରମୁଖ କୁହନ୍ତି ଅତିତରେ କରୋନା ଲକ୍ଡାଉନ୍ ଯେତେବେଳେ ଆସିଥିଲା, ବହୁତ କିଛି ପଦକ୍ଷେପ ନିଆଯାଇଥିଲା । ଦ୍ରୁତ ସଂକ୍ରମଣକୁ ଲକ୍ଷ୍ୟ ରଖି ପଂଚାୟତ ସ୍ତରରେ ଅସ୍ଥାୟୀ ସ୍ୱାସ୍ଥ୍ୟକେନ୍ଦ୍ର ଖୋଲାଯାଇଥିଲା। ଲୋକମାନଙ୍କ ସୁବିଧାକୁ ଦୃଷ୍ଟିରେ ରଖି ଖଟ, ବେଡସିଟ୍ଠାରୁ ଆରମ୍ଭ କରି ଶୁଦ୍ଧ ପାଣି ପିଇବା ନିମନ୍ତେ ଆକ୍ୱାଗାର୍ଡର, ଫ୍ୟାନ, କୁଲର, କେଉଁଠି କେଉଁଠି ଏସି ବ୍ୟବସ୍ଥା କରାଯାଇଥିଲା। ମାତ୍ର କୋଟିକୋଟି ଟଙ୍କା ଖର୍ଚ୍ଚ ହୋଇଥିବା ଏହି ସାମଗ୍ରୀ ଅଲୋଡ଼ା ହୋଇ କେଉଁଠି ପଡ଼ିଛି ତାହା ଖବର କାହା ପାଖରେ ନାହିଁ। ମିଳିଥିବା ତଥ୍ୟ ମୁତାବକ, ୨୦୨୦ କରୋନା ସମୟରେ ୮,୪୭୯ ଜଣ ପ୍ରବାସୀ ପଟ୍ଟାମୁଣ୍ଡାଇ ବ୍ଲକ୍ ଓ ପୌରାଂଚଳକୁ ଆସିଥିଲେ। ପ୍ରବାସୀମାନଙ୍କୁ ଦୃଷ୍ଟିରେ ରଖି ୧୬୬ଟି ଅସ୍ଥାୟୀ ସ୍ୱାସ୍ଥ୍ୟକେନ୍ଦ୍ର ଖୋଲାଯାଇଥିଲା। ସେଥିପାଇଁ ୬,୪୭୨ ଖଟିଆ କିଣାଯାଇଥିଲା। ପ୍ରାୟ ସମସ୍ତ ଟିଏମ୍ସି ସେଂଟର ଗୁଡ଼ିକରେ ପ୍ରବାସୀ ରହି ବ୍ୟବହାର କରୁଥିଲେ। ମାତ୍ର କରୋନା ଟ୍ରେଣ୍ଢ୍ ଖସିବା ବର୍ଷକ ପରେ ଏ ସମସ୍ତ ସାମଗ୍ରୀ ଯେମିତି ଅଦରକାରୀ ହୋଇପଡ଼ିଥିଲା। ଏହି ଖଟିଆ ଗୁଡ଼ିକ ଏଣେତେଣେ ପଡ଼ି ଖତ ଖାଉଛି । ଯଦି ପୁଣି ଥରେ କରୋନା ଟ୍ରେଣ୍ଡ ଫେରେ , ତେବେ ପ୍ରଶାସନ କେମିତି ଏହାକୁ ମୁକାବିଲା କରିବ ତାହା ପ୍ରଶ୍ନବାଚୀ ସୃଷ୍ଟି କରିଛି ।
କଂଗ୍ରେସ ନେତା ମଳୟ ଦାସ, ସତ୍ୟପ୍ରିୟ ସାମଲ, ପ୍ରକାଶ ମହାନ୍ତି କହିଛନ୍ତି, କୋଭିଡ଼ ୧୯କୁ ଚାହୁଁ ଚାହୁଁ ୫ ବର୍ଷ ବିତିଗଲାଣି। ଏବେ ପୁଣି ଦେଶରେ କରୋନା କଡ଼ ଲେଉଟାଇଛି। ସତର୍କ ନରହିଲେ ସ୍ଥିତି ସଂଗିନ ହେବ ବୋଲି ଆଶଙ୍କା ପ୍ରକାଶ ପାଇଲାଣି। ତେବେ ୨୦୨୦ କରୋନା ବେଳେ ପ୍ରବାସୀ ଓଡିଆଙ୍କ ପାଇଁ କୋଟିକୋଟି ବ୍ୟାୟରେ ଯେଉଁ ସାମଗ୍ରୀ କିଣା ଯାଇଥିଲା ଅଧିକାଂଶ ସ୍ଥାନରେ ଚିହ୍ନବର୍ଣ୍ଣ ନାହିଁ। ସେଗୁଡିକୁ ଗାଏବ୍ କରାଯାଇଛି। ତେବେ ବ୍ଳକ ଓ ପୌର ପ୍ରଶାସନ ଏ ଦିଗରେ ତଦନ୍ତ କରିବା ସହିତ ସମସ୍ତ ସାମଗ୍ରୀ ଉଦ୍ଧାର କରି ସୁରକ୍ଷିତ ରଖିବାକୁ ସେମାନେ ଦାବି ହୋଇଛି।
୨୦୨୦ରେ ପଟ୍ଟାମୁଣ୍ଡାଇ କଲେଜ ଓବିସି ହଷ୍ଟେଲରେ ଉତ୍ସର୍ଗୀକୃତ କୋଭିଡ୍ ସ୍ୱାସ୍ଥ୍ୟକେନ୍ଦ୍ର ଖୋଲାଯାଇ ପଟ୍ଟାମୁଣ୍ଡାଇ, ଆଳି, ରାଜନଗର, ରାଜକନିକା, ରାଜନଗର, କେନ୍ଦ୍ରାପଡ଼ା ଆଦି ଅଂଚଳର କୋଭିଡ ଆକ୍ରାନ୍ତ ରୋଗୀମାନଙ୍କୁ ଚିକିତ୍ସା ଯୋଗାଇ ଦିଆଯାଉଥିଲା। କେନ୍ଦ୍ରାପଡ଼ା ଜିଲା ଜରୁରିକାଳୀନ ବିଭାଗ ଏହାର ପରିଚାଳନା କରୁଥିବାବେଳେ ଏଠାରେ ବେଡ,ଏସି, ଆକୁଆଗାଡଢ ଲଗାଯାଇଥିଲା । ଜିଲା ଚିକିତ୍ସାଧିକାରୀ ଚିକିତ୍ସା କେନ୍ଦ୍ର ଦାୟିତ୍ୱରେ ଥିଲେ। ଏହାର ରକ୍ଷଣାବେକ୍ଷଣ ଦାୟିତ୍ୱ ପଟ୍ଟାମୁଣ୍ଡାଇ ପୌର ପରିଷଦ ଓ ପୂର୍ତ ବିଭାଗ ଉପରେ ନ୍ୟସ୍ତ ଥିଲା। ମାତ୍ର କୋଭିଡହସ୍ପିଟାଲ ହଟିବା ପରେ ଏଠାରେ ଲାଗିଥିବା ପ୍ରାୟ ୨୦ରୁ ଉର୍ଦ୍ଧ୍ୱ ଏସି ,ବେଡ, ଚେଆର, ଟେବୁଲ କେଉଁ ଆଡେ ଗଲା ତାହା ସୁଚନା କାହା ପାଖରେ ନାହିଁ ।
