
ପଟ୍ଟାମୁଣ୍ଡାଇ ୫/୩ – ପଟ୍ଟାମୁଣ୍ଡାଇ ଆଦର୍ଶ ଥାନା ପୋଲିସ ବୁଧବାର ଜଣେ ମୋଟର ସାଇକେଲ ଲୁଟେରାକୁ ଗିରଫ କରି କୋର୍ଟ ଚାଲାଣ କରିଛି। ଲୁଟେରା ଜଣକ ହେଲା କେନ୍ଦ୍ରାପଡା ସଦର ଥାନା ଜାଗୁଳାଇପଡା ଅଂଚଳର ଦିପକ ସେଠୀ (୨୨)। ପୋଲିସ ୨ଟି ମୋଟର ସାଇକେଲ ଜବତ କରିଛି।
ସୂଚନା ଅନୁସାରେ ଗତ ୨୧ ତାରିଖରେ ପଟ୍ଟାମୁଣ୍ଡାଇ ବ୍ଲକ ନରସିଂହପୁର ଗ୍ରାମର ସୁଶାନ୍ତ ଦାଶ ପଟ୍ଟାମୁଣ୍ଡାଇ କୋର୍ଟ କାମସାରି ଘରକୁ ଯିବା ପାଇଁ କୋର୍ଟ ପରିସରରେ ରଖିଥିବା ନାଲି ରଙ୍ଗର ହିରୋ ହୋଣ୍ଡା ( OD 29 C 2840 ) ନମ୍ବର ମୋଟର ସାଇକେଲ ପାଖକୁ ଯିବାବେଳେ ମୋଟର ସାଇକେଲ ନଥିଲା । ଏହା ପରେ ବହୁ ଖୋଜା ଖୋଜି ପରେ ଗାଡି ନପାଇବାରୁ ବାଧ୍ୟ କୋର୍ଟ ସମ୍ମୁଖରେ ଥିବା ସିସିଟିଭି ଯାଂଚ ପରେ ଦିପକ ମୋଟର ସାଇକେଲ ଚୋରୀ କରି ନେଇ ଯାଉଥିବା ଦେଖିବାକୁ ପାଇଥିଲେ । ଏ ସମ୍ପର୍କରେ ସୁଶାନ୍ତ ପଟ୍ଟାମୁଣ୍ଡାଇ ଆଦର୍ଶ ଥାନାରେ ଲିଖିତ ଅଭିଯୋଗ କରିଥିଲେ । ସ୍ଥାନୀୟ ପୋଲିସ ଏନେଇ ମାମଲା ୫୪/୨୦୨୫ ରୁଜୁ କରି ମାମଲାର ତଦନ୍ତ ଚଳାଇଥିଲା । ସେହିପରି ଯଜ୍ଞ ପଡିଆରୁ ମଧ୍ୟ ଏକ ମୋଟର ସାଇକେଲ ଚୋରୀ ହୋଇଥିବା ବେଳେ ପୋଲିସ କେସ ନଂ ୫୨/୨୦୨୫ ରୁଜୁ କରି ଅନୁସଂଧାନ ଜାରି ରଖିଥିଲା। ତେବେ ପୋଲିସ ବୁଧବାର ଏହି ଘଟଣାରେ ଆସାମୀ ଦିପକକୁ ଗିରଫ କରି କୋର୍ଟ ଚାଲାଣ କରିଛି।
