
ମୌସୁମୀ ବର୍ଷାର ପ୍ରଥମ ଛୁଆଁରେ ଆନ ମନା ହୋଇଛି ଧରଣିରାଣୀ , ଧରଣିରାଣୀର ବୁକୁ ଚିରି ବାହାରି ଆସୁଛନ୍ତି ଲାଲ ଟୁକୁ ଟୁକୁ ସାଧବବୋହୂ । ପ୍ରକୃତିର ପରଶ ଛୁଆଁରେ ସତେ ଅବା କେହି ଜଣେ ରଙ୍ଗର ତୁଳି ଧରି ଆଙ୍କିଦେଇଛି ରଙ୍ଗ ବେରଙ୍ଗର ସୁନ୍ଦର ଉପମା ସବୁକୁ । ନଦୀ, ଝରଣା, ପାହାଡ, ପର୍ବତ, ସାଗର ସହିତ ରଙ୍ଗ ବେରଙ୍ଗର ବୃକ୍ଷରାଜି । ଏହି ସୁନ୍ଦର ସୃଷ୍ଟିରେ ସୃଷ୍ଟିକର୍ତ୍ତାଙ୍କ ନିଖୁଣ କାରିଗରୀରେ ସୃଷ୍ଟି ହୋଇଥିବା ଜୀବଜଗତ ଧରଣିରାଣୀକୁ ଅଧିକ ସୁନ୍ଦର କରିଛି । ବାରମାସରେ ଛଅ ଋତୁର ଋତୁଚକ୍ର ପ୍ରକୃତିର ଭିନ୍ନ ଏକ ସ୍ୱରୂପ ଭାବରେ ଘୁରି ଚାଲିଛି କାହିଁ କେଉଁ ଆବହମାନ କାଳରୁ । ସେହି ଋତୁମାନଙ୍କ ମଧ୍ୟରେ ବର୍ଷାଋତୁ ଋତୁମାନଙ୍କ ମଧ୍ୟରେ ଶ୍ରେଷ୍ଠ । ମୌସୁମୀର ପ୍ରଥମ ଛୁଆଁରେ ଉତ୍ତପ୍ତ ପୃଥିବୀକୁ ଶୀତଳତା ଭରିଦେଇଛି ବର୍ଷାର ପ୍ରଥମ ଛୁଆଁ । ଏହି ଶୀତଳତା ଭିତରେ ଶାନ୍ତ ସରଳ ପରିବେଶରେ ସବୁଜ ଘାସ ଗାଲିଚା ଉପରେ ଦେଖିବାକୁ ମିଳିଛି ଲାଲ ଟୁକୁ ଟୁକୁ ସାଧବବୋହୂଙ୍କୁ । ସାଧବବୋହୂ ହେଉଛି ସୃଷ୍ଟିକର୍ତ୍ତାଙ୍କ ଏକ ସୁନ୍ଦର ସୃଷ୍ଟି । ଦିନ ଥିଲା ଏହି ଗାଁ ଠାରୁ ଆରମ୍ଭ କରି ସହର ଅଞ୍ଚଳରେ ରହିଥିବା ପଡିଆମାନଙ୍କରେ ପ୍ରଥମ ମୌସୁମୀ ବର୍ଷାର ପରେ ପରେ ସାଧବବୋହୂମାନେ ବହୁସଂଖ୍ୟାରେ ଦେଖିବାକୁ ମିଳୁଥିଲେ । ସାଧବ ବୋହୂ ନାଲି ରଙ୍ଗର ଫରୁଆକୁ ଦେହରେ ବୋଲି ହୋଇ ଲାଜକୁଳୀ ବୋହୂଟିଏ ପରି ଧୀର ଧୀର ଚାଲିରେ ସବୁଜ ଘାସ ଗାଲିଚା ଉପରେ ଚାଲୁଥିବାର ଦୃଶ୍ୟ ପ୍ରକୃତିପ୍ରେମୀ ଏବଂ ଦର୍ଶକଙ୍କୁ ଆନମନା କରିଛି । ସାଧବବୋହୂ ପ୍ରକୃତିର ଯେ କେବଳ ସୌନ୍ଦର୍ଯ୍ୟ ବୃଦ୍ଧି କରିଥାଏ ତାହା ନୁହେଁ, ଏହି କୀଟଟି କୃଷକ ଭାଇର ଏକ ବନ୍ଧୁ ବୋଲି ଜଣାଯାଇଥାଏ । ଯେଉଁ କ୍ଷେତ ବା ପଡିଆରେ ଜୈବିକ ଉର୍ବରତା ରହିଥାଏ ସେହିଠାରେ ଏହି ସାଧବବୋହୂମାନେ ଦେଖାଯାନ୍ତି । ଏମାନଙ୍କ ଉପସ୍ଥିତି ସେହି ଅଞ୍ଚଳରେ ଉତ୍ତମ ଚାଷ ହେବାର ଏକ ସୂଚନା ଦେଇଥାନ୍ତି । ଦିନ ଥିଲା ଗ୍ରାମାଞ୍ଚଳର ଲୋକମାନେ ପ୍ରାକୃତିକ ଏବଂ ପାରମ୍ପରିକ ଜୀବନ ଜୀବିକାକୁ ନେଇ ସେମାନଙ୍କ ଜୀବନ ଧାରଣ କରୁଥିଲେ । ଘରେ ଘରେ ଗାଈ, ବଳଦ ପାଳୁଥିଲେ, ଏହି ଗାଈ ଏବଂ ବଳଦମାନେ ଗହିର ବିଲ ଏବଂ ଗାଁ ମୁଣ୍ଡ ପଡିଆରେ ଚରି ବୁଲି ଘାସ ଖାଇ ଘରକୁ ଫେରୁଥିଲେ । ଏବଂ ଏହି ସମୟରେ ସେମାନେ କ୍ଷେତ ପଡିଆରେ ମଳତ୍ୟାଗ କରୁଥିଲେ ଯାହା ମାଟିର ଉର୍ବରତା ବଢାଇବା ସହିତ ଜୈବିକ କୃଷିକୁ ଲୋକମାନେ ଅଗ୍ରାଧିକାର ଦେଉଥିଲେ । ଯାହା ସାଧବ ବୋହୂମାନଙ୍କ ବଂଶବୃଦ୍ଧି କରୁଥିଲା ଏବଂ ସବୁ ଜାଗାରେ ଏମାନଙ୍କ ଉପସ୍ଥିତି ଦେଖିବାକୁ ମିଳୁଥିଲା । ସାଧବ ବୋହୂର ବୈଜ୍ଞାନିକ ନାମ ରେଡ ଭେଲଭେଟ ମାଇଟ । ଏହି କୀଟଟିର ଜୀବନଚକ୍ର ଏକ ସ୍ୱତନ୍ତ୍ର ଅଟେ । ଏହି କୀଟଟି ବୁଢିଆଣୀ ପ୍ରଜାତିର ହୋଇଥିବା ବେଳେ ଏମାନଙ୍କର ପ୍ରାୟ ଏକହଜାର ପ୍ରଜାତି ରହିଛନ୍ତି, ବର୍ଷାର ପ୍ରଥମ ସ୍ପର୍ଶରେ ଏହି ସାଧବବୋହୂର ଜନ୍ମ ହୋଇଥାଏ । ଏହି କୀଟମାନଙ୍କର ଜୀବନଚକ୍ର ଏକ ସ୍ୱତନ୍ତ୍ର ପ୍ରକାରର ହୋଇଥାଏ । ସାଧବବୋହୂର ଜୀବନ ଧାରଣ ବୟସ ଏକ ଦିନରୁ ତିନିଦିନ ହୋଇଥାଏ । ଏହି କୀଟଟି ଯେଉଁଠାରେ ଦେଖାଦେଇଥାଏ ସେହିଠାରେ ମୃତ୍ୟୁ ହେବା ପରେ ଏହାର ଶରୀର ମାଟିରେ ମିଶି ଯାଇଥାଏ ଏବଂ ପରବର୍ତ୍ତୀ ସମୟରେ ପହିଲି ମୌସୁମୀ ବର୍ଷାର ପରଶ ପୃଥିବୀ ପୃଷ୍ଟରେ ପଡିଲା ପରେ ଉତ୍ତପ୍ତ ମାଟି ସହିତ ମୌସୁମୀ ବର୍ଷାର ସ୍ପର୍ଶରେ ଏକ ରାସାୟନିକ ପ୍ରକ୍ରିୟା ସୃଷ୍ଟି ହୋଇଥାଏ ଏବଂ ସାଧବ ବୋହୁର ମୃତ ଶରୀର ପୂର୍ବରୁ ମାଟିରେ ମିଶିଥିବା ହେତୁ ସେଠାରେ ଏକ ଲାର୍ଭା ସୃଷ୍ଟି ହୋଇଥାଏ, ଏହି ଲାର୍ଭାର ସାଧବବୋହୂମାନଙ୍କର ସୃଷ୍ଟି ହୋଇଥାଏ । ଏହିଭଳି ଭାବରେ ସାଧବ ବୋହୂର ଜୀବନଚକ୍ର ରହିଥାଏ । ଆଜିକାଲି ଚାଷ କ୍ଷେତ୍ରରେ ପ୍ରଚୁର ମାତ୍ରାରେ ରାସାୟନିକ ସାର ଏବଂ କୀଟନାଶକ ପ୍ରୟୋଗ ଏହି ଜୀବ ମାନଙ୍କ ଅବସ୍ଥିତିକୁ ନଷ୍ଟ କରିଦେଇଛି । ଏହି ସାଧବବୋହ ଆଜିର ସମୟରେ ବିରଳ ହୋଇ ଯାଇଛନ୍ତି ।
