
କେନ୍ଦ୍ରାପଡ଼ା,୧୬ା୪: ଏକ ୫ ବର୍ଷର ନାବାଳିକା ବଳାତ୍କାର ମାମଲାର ବିଚାର କରି କେନ୍ଦ୍ରାପଡ଼ା ସ୍ୱତନ୍ତ୍ର ପୋକସୋ ଜଜ୍ ପ୍ରଜ୍ଞା ପରମିତା ରାଉଳ ଅଭିଯୁକ୍ତକୁ ଦୋଷୀସାବ୍ୟସ୍ତ କରିବା ସହ ୨୦ ବର୍ଷ ଜେଲଦଣ୍ଡରେ ଦଣ୍ଡିତ କରିଛନ୍ତି। ଏଥିସହ ୬୦ ହଜାର ଟଙ୍କା ଜରିମାନାରେ ଦଣ୍ଡିତ କରିଛନ୍ତି। ଜରିମାନା ଅନାଦେୟ ଅଧିକ ଏକ ବର୍ଷ ସଶ୍ରମ କାରାଦଣ୍ଡ ଭୋଗିବାକୁ ପଡିବ ବୋଲି ଜଜ୍ ତାଙ୍କ ରାୟରେ ଉଲ୍ଲେଖ କରିଛନ୍ତି। ଦଣ୍ଡିତ ଆସାମୀ ହେଉଛି ପଟ୍ଟାମୁଣ୍ଡାଇ ମଡେଲ ଥାନା(ବର୍ତ୍ତମାନ ଗ୍ରାମାଞ୍ଚଳ ଥାନା) ଅଞ୍ଚଳର ଚନ୍ଦ୍ର ଶେଖର ମଲ୍ଲିକ। ନାବାଳିକା ପରିବାରକୁ ୮ ଲକ୍ଷ ଟଙ୍କା କ୍ଷତିପୂରଣ ପ୍ରଦାନ କରିବାକୁ ଜିଲ୍ଲା ଆଇନ୍ସେବା ପ୍ରାଧିକରଣକୁ ଜଜ୍ ନିର୍ଦ୍ଦେଶ ଦେଇଛନ୍ତି।
ମାମଲାର ବିବରଣୀରୁ ପ୍ରକାଶ ୨୦୨୦ ମସିହା ଫେବୃୟାରୀମାସ ୨୭ ତାରିଖ ରାତିରେ ନାବାଳିକାଟି ତାଙ୍କ ମାଙ୍କ ପାଖରେ ଶୋଇଥିଲେ। ତାଙ୍କ ମା’ ଭୋର ପ୍ରାୟ ୪ଟାରେ ଶେଜରୁ ଉଠି ବାସନ ମାଜିବାକୁ ବାରି ପଛକୁ ଯାଇଥିଲେ। ଏହି ସମୟରେ ଅଭିଯୁକ୍ତ ଚନ୍ଦ୍ରଶେଖର ନାବାଳିକାଙ୍କ ଘରକୁ ପଶି ଶୋଇଥିବା ଅବସ୍ଥାରେ ନାବାଳିକାଙ୍କୁ ବଳାତ୍କାର କରିଥିଲା। ନାବାଳିକା ଜଣକ ଯନ୍ତ୍ରଣାରେ ଚିତ୍କାର କରିବାରୁ ନାବାଳିକାଙ୍କ ବୁଢି ମା’ ଘଟଣା ସ୍ଥଳକୁ ଆସି ଅଭିଯୁକ୍ତକୁ ବିରୋଧ କରିଥିଲେ। ଅଭିଯୁକ୍ତ ଫେରାର ହୋଇଯାଉଥିବା ସମୟରେ ପରିବାର ସଦସ୍ୟମାନେ ତାଙ୍କୁ କାବୁ କରିନେଇଥିଲେ। ଖବର ପାଇ ଅଭିଯୁକ୍ତର ବାପା ଘଟଣା ସ୍ଥଳକୁ ୪/୫ ଜଣ ସହଯୋଗୀଙ୍କ ସହ ଆସି ନାବାଳିକାର ପରିବାର ସଦସ୍ୟଙ୍କୁ ଧମକ ଦେଇଥିଲା। ଘଟଣା ଥାନାକୁ ନେଲେ ପରିବାରର ସମସ୍ତ ସଦସ୍ୟଙ୍କୁ ହତ୍ୟା କରିବ ବୋଲି କହି ପୁଅକୁ ଯୋର ଜବରଦସ୍ତ ଛଡାଇ ନେଇ ଯାଇଥିଲା। ନାବାଳିକାର ମା’ ଏ ନେଇ ପଟ୍ଟାମୁଣ୍ଡାଇ ମଡେଲ ଥାନାରେ ଏତଲା ଦେବା ପରେ ପୋଲିସ ଘଟଣା ସ୍ଥଳରେ ପହଞ୍ଚି ନାବାଳିକାଙ୍କୁ ଉଦ୍ଧାର କରି ଡାକ୍ତରଖାନାକୁ ନେଇଥିଲା। ଏଥିସହ ନାବାଳିକା ପିନ୍ଧିଥିବା ପୋଷାକକୁ ପରୀକ୍ଷା ପାଇଁ ରାଜ୍ୟ ଫରେନ୍ସିକ ଲାବୋରେଟୋରୀକୁ ପଠାଇଥିଲା। ଏହାପରେ ଫେରାର ଥିବା ଅଭିଯୁକ୍ତ ଓ ଗଣ୍ଡଗୋଳ କରିଥିବା ଅଭିଯୁକ୍ତର ବାପାକୁ ପଟ୍ଟାମୁଣ୍ଡାଇ ମଡେଲ ଥାନା ପୋଲିସ ଗିରଫ କରି ଜେଲ ପଠାଇଥିଲା। ଏ ନେଇ ମଡେଲ ଥାନାରେ ୯୯/୨୦୨୦ରେ ଏକ ମାମଲା ରୁଜୁ ହୋଇଥିଲା। ତଦନ୍ତକାରୀ ଅଧିକାରୀ ୨୦୨୦ ଏପ୍ରିଲ ମାସ ୧୬ ତାରିଖରେ ଅଭିଯୋଗଫର୍ଦ୍ଦ ଦାଖଲ କରିଥିଲେ। ୧୬ ଜଣ ସାକ୍ଷୀଙ୍କ ବୟାନ ଓ ପ୍ରମାଣକୁ ଭିତ୍ତିକରି ଜଜ୍ ଉପରୋକ୍ତ ରାୟ ପ୍ରଦାନ କରିଛନ୍ତି।
