
ପଟ୍ଟାମୁଣ୍ଡାଇ ୪/୯ – ପଟ୍ଟାମୁଣ୍ଡାଇ ସହର ଗତ କିଛି ଦିନ ହେବ ଅଶାନ୍ତ ହୋଇପଡିଛି । ସାମାନ୍ୟ ଘଟଣାକୁ ନେଇ ଦୁଇଟି ଗୋଷ୍ଠୀ ମଧ୍ୟରେ ବାରମ୍ବାର ଗଣ୍ଡଗୋଳ ହୋଇଛି । ଯାହାକୁ ନେଇ ପଟ୍ଟାମୁଣ୍ଡାଇ ଆଦର୍ଶ ଥାନା ପୋଲିସ ଉଭୟ ପକ୍ଷର ୪ଜଣଙ୍କୁ କୋର୍ଟ ଚାଲାଣ କରାଇଛି । ଏହି ଘଟଣାକୁ ସାମ୍ପ୍ରଦାୟିକ ଗଣ୍ଡଗୋଳରେ ପରିଣତ କରିବା ପାଇଁ କେତେକ ଅସାମାଜିକ ତତ୍ୱ ଶଡଯନ୍ତ୍ର କରିବା ଘଟଣା ପୋଲିସ ନଜରକୁ ମଧ୍ୟ ଆସିଛି । ଏହାର ସ୍ଥାୟୀ ସମାଧାନ ପାଇଁ ବୁଧବାର ପ୍ରଶାସନ ପକ୍ଷରୁ ଶାନ୍ତି କମିଟି ବୈଠକ ଆହୁତ ହୋଇଥିଲା । ତେବେ ବିଭିନ୍ନ ସ୍ଥାନରେ ଛାପା ଉତେଜନା ଲାଗି ରହିଥିବାରୁ ପୋଲିସ ପ୍ରଶାସନ ଜାଗତିଆର ରହିଛି । କେନ୍ଦ୍ରାପଡ଼ା ଏସପି ସିଦ୍ଧାର୍ଥ କଟାରିଆଙ୍କ ନିର୍ଦେଶରେ ଗୁରୁବାର ବିଳମ୍ବିତ ରାତିରେ ପଟ୍ଟାମୁଣ୍ଡାଇ ସହରରେ ପୋଲିସ ପକ୍ଷରୁ ଫ୍ଲାଗମାର୍ଚ୍ଚ କରାଯାଇଛି । ଏହି ଫ୍ଲାଗମାର୍ଚ୍ଚ ପଟ୍ଟାମୁଣ୍ଡାଇ ତହସିଲଦାର ଦିଲ୍ଲୀପ ନାୟକ, ଏସଡିପିଓ କ୍ଷମାସାଗର ପଣ୍ଡା, ଆଦର୍ଶ ଥାନା ଆଇଆଇସି ବନ୍ଦନା ପାତ୍ର ସମେତ ବହୁ ପ୍ରଶାସନିକ ଓ ପୋଲିସ ଅଧିକାରୀ ସାମିଲ ହୋଇଛନ୍ତି । ଯଦି କେହିବି ସହରରେ ଶାନ୍ତି ଶୃଙ୍ଖଳା ଭଙ୍ଗ କରନ୍ତି ତେବେ ତାଙ୍କ ଉପରେ କଠୋର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବା ବୋଲି ବାର୍ତା ଦେଇଛନ୍ତି ।
ସଂପ୍ରତି ପାର୍ବଣ ଋତୁ ଆରମ୍ଭ ହୋଇଯାଇଛି । ଚାରିଆଡେ ବିଭିନ୍ନ ସମ୍ପ୍ରଦାୟର ପର୍ବ ହେଉଛି । ଆସନ୍ତାକାଲି ପ୍ରଫେଟ୍ ମହମ୍ମଦଙ୍କ ଜନ୍ମବାର୍ଷିକୀ ପର୍ବ ଅଛି । ସହରେ କିଛି ଅଘଟଣ ନ ଘଟିବା ନେଇ ପ୍ରଶାସନ ପକ୍ଷରୁ ଆଗୁଆ ସତର୍କତା ମୂଳକ ପଦକ୍ଷେପ ସ୍ୱରୂପ ରାତି ସାଢେ ୧୦ଟାରେ ପୋଲିସ ଫ୍ଲାଗ ମାର୍ଚ୍ଚ ଆରମ୍ଭ କରିଛି । ଆଗକୁ ଶାରଦୀୟ ଦୂର୍ଗା ପୂଜା ଉତ୍ସବ ଥିବାରୁ ଯେକୌଣସି ପରିସ୍ଥିତିର ମୁକାବିଲା ପାଇଁ ପୋଲିସ ପ୍ରଶାସନ ପ୍ରସ୍ତୁତ ରହିବା ସହିତ ଫ୍ଲାଗମାର୍ଚ୍ଚ କରି ଗଣ୍ଡଗୋଳକାରୀଙ୍କୁ ସତର୍କ ସୂଚନା ଦେଇଛି ।ଆଗାମୀ ଦିନରେ କୌଣସି ବିଶୃଙ୍ଖଳା ଓ ଗଣ୍ଡଗୋଳକୁ ବରଦାସ୍ତ କରାଯିବ ନାହିଁ । ଯଦି କେହିବି ବିଶୃଙ୍ଖଳା କି ଗଣ୍ଡଗୋଳ ସୃଷ୍ଟି କରନ୍ତି କଠୋର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ପୋଲିସ ପକ୍ଷରୁ ସୂଚନା ଦିଆଯାଇଛି ।
