
କେନ୍ଦ୍ରାପଡା ୩/୪- ଏପ୍ରିଲ ୨ ତାରିଖ ବିଶ୍ୱ ଅଟିଜିମ ସଚେତନତା ଦିବସ ଅବସରରେ ଭିନ୍ନକ୍ଷମଙ୍କ ଥେରାପି ସେବା ଓ ସଶକ୍ତିକରଣ ପାଇଁ କାର୍ଯରତ ‘ପୁନର୍ବାସ’ ଅନୁଷ୍ଠାନ ପକ୍ଷରୁ ପାଳନ କରାଯାଇଛି । ପୁନର୍ବାସର ମୁଖ୍ୟ ଉପଦେଷ୍ଟା ବିରଜା ରାଉତରାୟଙ୍କ ସଂଚାଳନାରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ଜିଲ୍ଲା ମୁଖ୍ୟ କାର୍ଯ୍ୟାଳୟ ମଣ୍ଡଳ ସାମାଜିକ ସୁରକ୍ଷା ଅଧିକାରୀ ସୁଧାଂଶୁ ଶେଖର ବେହୁରା, ତୁଳସୀ ମହିଳା ମହାବିଦ୍ୟାଳୟର ସମାଜ ବିଜ୍ଞାନ ବିଭାଗର ବରିଷ୍ଠ ପ୍ରାଧ୍ୟାପିକା ଡ଼ ସୁଜାତା ଭଟ୍ଟ, ଅଧ୍ୟାପକ ରଞ୍ଜିତ ଦାସ , ବିଶିଷ୍ଟ ସାମାଜିକ କର୍ମୀ ତଥା ସମାଜ ବିଜ୍ଞାନୀ ଅଲ୍ୟଳ ବଳ ଏବଂ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରୁ ରିସୋର୍ସ ପର୍ଶନ ଭାବେ ବାକ୍ ଓ ଶ୍ରବଣ ବିଶେଷଜ୍ଞ ଚନ୍ଦନ ବେହେରା ପ୍ରମୁଖ ଯୋଗ ଦେଇ ଅଟିଜିମ୍ର ବିଭିନ୍ନ ଲକ୍ଷଣ, ଚିହ୍ନଟ ପ୍ରକ୍ରିୟାର ବିବିଧ ଦିଗ ଓ ଅବସ୍ଥାଗତ ସ୍ୱାତନ୍ତ୍ର୍ୟତା ସମ୍ପର୍କରେ ଆଲୋକପାତ କରିଥିଲେ । ଏହା ଏକ ସ୍ନାୟୁ ଓ ବିକାଶଗତ ବ୍ୟତିକ୍ରମତା ହୋଇ ଥିବାରୁ ଏମାନେ ଶାରୀରିକ ଭାବେ ସଠିକ୍ ଜଣାପଡୁଥିଲେ ମଧ୍ୟ ଏମାନଙ୍କ ମଧ୍ୟରେ ବିକାଶ ପ୍ରକ୍ରିୟାର ଅଦ୍ଭୁତ ବିଲକ୍ଷଣତା ଦେଖିବାକୁ ମିଳିଥାଏ । ଉପଯୁକ୍ତ ସମୟରେ ଚିହ୍ନଟ କରି ଆରମ୍ଭରୁ ପ୍ରଶିକ୍ଷଣ ଓ ଥେରାପି ପ୍ରଦାନ କଲେ, ସେମାନେ ଉପକୃତ ହୋଇ ପାରିବେ । ପ୍ରାରମ୍ଭରେ ଆକ୍ୟୁପେସନାଲ ଥେରାପିଷ୍ଟ ଗୁଞ୍ଜନସ୍ମିତା ବେହେରା ଦିବସଟିର ତାତ୍ପର୍ଯ୍ୟ ଓ ଥିମ୍ ସମ୍ପର୍କରେ ଅବଗତ କରାଇ ଥିଲେ। ଅନ୍ୟମାନଙ୍କ ମଧ୍ୟରେ ଅନୁଷ୍ଠାନରେ ଥେରାପି ଗ୍ରହଣ କରୁଥିବା ଅଟିଜିମ୍ ଶିଶୁଙ୍କ ଅବିଭାବକମାନେ ଉପସ୍ଥିତ ରହି ନିଜ ନିଜର ଅନୁଭୂତି, ସଂଘର୍ଷ ଓ ଅନୁସନ୍ଧିତ୍ସା ଉତ୍ଥାପିତ କରିଥିଲେ । ଏହି ସଚେତନତା ସଭାରେ ତୁଳସୀ ମହିଳା ମହାବିଦ୍ୟାଳୟ, କେନ୍ଦ୍ରାପଡା ରେଡ଼କ୍ରସ ବିଭାଗର ପ୍ରତିନିଧି ଛାତ୍ରୀମାନେ ମଧ୍ୟ ସାମିଲ ହୋଇଥିଲେ । ଅନୁଷ୍ଠାନ ପକ୍ଷରୁ ଜ୍ୟୋତି ରଞ୍ଜନ ନାୟକ, ନୃସିଂହ ତ୍ରିପାଠୀ, ସଂଜୀବ ଜେନା, ରଚିତା ଜେନା, ରଂଜନ ସ୍ୱାଇଁ, କ୍ଷୀରୋଦ ପ୍ରମୁଖ ପରିଚାଳନାରେ ସହଯୋଗ କରିଥିଲେ। ପରିଶେଷରେ ସହସମ୍ପାଦକ ବଂଶୀଧର ମହାନ୍ତି ଧନ୍ୟବାଦ୍ ଅର୍ପଣ କରିଥିଲେ ।
