- ପୁରୀରେ ୧୫ଲକ୍ଷରୁ ଊର୍ଦ୍ଧ୍ୱ ଶ୍ରଦ୍ଧାଳୁ
- ପାଦେ ଗଡିଲା ନନ୍ଦିଘୋଷ
- ବଳଗଣ୍ଡିରେ ତାଳଧ୍ୱଜ, ମରିଚିକୋଟରେ ଅଟକିଲା ଦର୍ପଦଳ
- ଶନିବାର ସକାଳ ୯.୩୦ରୁ ପୁଣି ରଥଟଣା
- ହରିବୋଲ, ହୁଳହୁଳିରେ ପ୍ରକମ୍ପିତ ଶ୍ରୀକ୍ଷେତ୍ର
- ଅଧିକ ଭକ୍ତଙ୍କ ପାଇଁ ରଥଟଣା ବିଳମ୍ବ : ଆଇନ ମନ୍ତ୍ରୀ

ପୁରୀ,୨୭ା୬(ଲୋକମତ): ଆରମ୍ଭ ହେଲା ଲୀଳାମୟ ଠାକୁରଙ୍କ ନବଦିନାତ୍ମକ ଯାତ୍ରା। ଘଣ୍ଟ ଘଣ୍ଟା ଧ୍ୱନି ମଧ୍ୟରେ ତିନି ରଥକୁ ଗୁଣ୍ଡିଚା ମନ୍ଦିର ଅଭିମୁଖେ ଟାଣିଲେ ଭକ୍ତ। ରତ୍ନସିଂହାସନରୁ ରଥ ଉପରକୁ ଆସି ଭକ୍ତଙ୍କୁ ଦର୍ଶନ ଦେଇଛନ୍ତି ଚତୁର୍ଦ୍ଧାମୂର୍ତ୍ତି। ଆଜି ବିଶ୍ୱ ପ୍ରସିଦ୍ଧ ରଥଯାତ୍ରା ଅନୁଷ୍ଠିତ ହୋଇଯାଇଛି। ନିର୍ବିଘ୍ନରେ ଅନୁଷ୍ଠିତ ହୋଇଛି ବିଶ୍ୱନିୟନ୍ତାଙ୍କ ଚଳିତ ବର୍ଷର ବିଶ୍ୱ ପ୍ରସିଦ୍ଧ ରଥଯାତ୍ରା। ଅନୁକୁଳ ପାଗ ଏଥର ରଥଯାତ୍ରାକୁ ଆସିଥିବା ଭକ୍ତଙ୍କ ପାଇଁ ଥିଲା ବଡ଼ ଆଶ୍ୱସ୍ତି। ଶ୍ରୀ ମନ୍ଦିରର ନୀତିକାନ୍ତି ପରେ ପହଣ୍ଡି ବିଜେ କରିଥିଲେ ଶ୍ରୀଜିଉ। ପ୍ରଥମେ ପ୍ରଭୁ ସୁଦର୍ଶନ, ତା ପରେ ବଡ଼ଭାଇ ବଳଭଦ୍ର ଓ ଦେବୀ ସୁଭଦ୍ରାଙ୍କ ସହିତ ମହାପ୍ରଭୁ ଶ୍ରୀଜଗନ୍ନାଥ ଧାଡ଼ି ପହଣ୍ଡିରେ ଆସି ରଥ ଉପରେ ବିରାଜମାନ କରିଥିଲେ। ସକାଳ ୭.୧୫ରେ ମଙ୍ଗଳ ଆଳତି ପରେ ନିର୍ଦ୍ଧାରିତ ସମୟ ଅନୁସାରେ ମଇଲମ ଓ ତଡ଼ପଲାଗି ନୀତି, ଅବକାଶ ପୂଜା, ସୂର୍ଯ୍ୟ ପୂଜା, ଗୋପାଳବଲ୍ଲଭ ଓ ସକାଳ ଧୂପ ଓ ମଙ୍ଗଳାର୍ପଣ ପରେ ୧୦ଟା ୧୫ରେ ଆରମ୍ଭ ହୋଇଥିଲା ପହଣ୍ଡି। ଧାଡ଼ି ପହଣ୍ଡିରେ ପ୍ରଥମେ ଚକ୍ରରାଜ ସୁଦର୍ଶନ ପରେ ଦେବୀ ସୁଭଦ୍ରା ବିଜେ କରିଥିଲେ ରଥକୁ। ଏହାପରେ ରଥକୁ ବିଜେ କରିଥିଲେ ବଡ ସାମନ୍ତ ପ୍ରଭୁ ବଳଭଦ୍ର। ଆଉ ଶେଷରେ ଟାହିଆ ହଲାଇ ସିଂହଦ୍ୱାର ଦେଇ ବାହାରକୁ ଆସିଥିଲେ କାଳିଆ ସାଆନ୍ତ। ସାଢେ ୧୨ ସୁଦ୍ଧା ଶେଷ ହୋଇଥିଲା ଚତୁର୍ଦ୍ଧା ମୂରତିଙ୍କ ପହଣ୍ଡି ବିଜେ। ଏହାପରେ ଜଗଦଗୁରୁ ଶଙ୍କରାଚାର୍ଯ୍ୟ ରଥକୁ ଆସି ମହାପ୍ରଭୁଙ୍କୁ ଦର୍ଶନ କରିଥିଲେ। ପରେ ଶ୍ରୀନଅରରୁ ତାମଜାନରେ ରଥ ନିକଟକୁ ଆସିଥିଲେ ଗଜପତି ମହାରାଜା। ତିନିରଥରେ ଛେରାପହଁରା ସରିବ ପରେ ଅପରାହ୍ନ ୪ ଟା ୮ରେ ପ୍ରଥମେ ଆରମ୍ଭ ହୋଇଥିଲା ବଡ଼ଠାକୁର ବଳଭଦ୍ରଙ୍କ ରଥଟଣା। ନିର୍ଦ୍ଧାରିତ ସମୟରେ ରଥଟଣା ଆରମ୍ଭ ହୋଇଥିଲେ ବି କୌଣସି ରଥ ଆଜି ଶରଧା ବାଲିରେ ପହଞ୍ଚିପାରିଲାନି। କାରଣ ଥିଲା ବଡ଼ ଠାକୁରଙ୍କ ରଥର ମନ୍ଥର ଗତି। ଅତି ଧୀରେ ଧୀରେ ଆଗକୁ ଗଡ଼ିଥିଲା ତାଳଧ୍ୱଜ। ଗୋଟିଏ ସମୟରେ ମାତ୍ର ୫୦ ମିଟର ଗଡ଼ି, ବାଗେଡ଼ିଆ ଧର୍ମଶାଳା ସମ୍ମୁଖରେ ପ୍ରାୟ ୨୦ ମିନିଟ୍ କାଳ ଅଟକି ଯାଇଥିଲା ତାଳଧ୍ୱଜ। ୧୬ ଥର ରଥକୁ ଟାଣିବାକୁ ପ୍ରୟାସ ସତ୍ତ୍ୱେ ଆଗକୁ ଇଞ୍ଚେମାତ୍ର ହଲି ନଥିଲା ବଳଭଦ୍ରଙ୍କ ରଥ। ପରେ ଅତି ଧୀରେ ଧୀରେ ଆଗକୁ ବଢ଼ିଥିଲା ପ୍ରଥମ ରଥ। ଯେଉଁଥିପାଇଁ ଦେବୀ ସୁଭଦ୍ରା ଓ ମହାପ୍ରଭୁଙ୍କ ରଥ ଟଣା ବିଳମ୍ବିତ ହୋଇଥିଲା। ଅପରାହ୍ନ ପ୍ରୟ ସାଢେ ୫ଟା ପାଖାପାଖି ଦର୍ପଦଳନ ରଥ ଟଣା ଆରମ୍ଭ ହୋଇଥିଲା। ଏସବୁ ସତ୍ତ୍ୱେ ବଡ଼ଦାଣ୍ଡରେ ରଥାଋଢ ଚତୁର୍ଦ୍ଧା ମୂରତିଙ୍କୁ ଦର୍ଶନ କରି ଧନ୍ୟ ହୋଇଛନ୍ତି ଲକ୍ଷ ଲକ୍ଷ ଭକ୍ତ। ପୂର୍ବ ପ୍ରସ୍ତୁତି ଅନୁଯାୟୀ ଆଜି ନିର୍ଦ୍ଧାରିତ ସମୟରେ ନୀତିକାନ୍ତି ସଂପନ୍ନ ହୋଇଥିଲେ ମଧ୍ୟ ନନ୍ଦିଘୋଷ ରଥଟଣାରେ ବିଳମ୍ବ ହୋଇଥିଲା। ଆସନ୍ତାକାଲି ସକାଳ ସାଢ଼େ ୯ଟାରେ ପୁଣି ଥରେ ମହାପ୍ରଭୁଙ୍କ ରଥ ଗଡ଼ିବ ବୋଲି ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ଡ. ଅରବିନ୍ଦ ପାଢ଼ୀ ଗଣମାଧ୍ୟମକୁ ଏହି ସୂଚନା ଦେଇଛନ୍ତି। ସେ କହିଛନ୍ତି, ସବୁ କିଛି ମହାପ୍ରଭୁଙ୍କ ଇଚ୍ଛାରେ ଚାଲିଛି। ଆସନ୍ତାକାଲି ପୁଣି ରଥ ଟଣା ହେବ। ବିଶ୍ୱନିୟନ୍ତାଙ୍କର ଏହି ଅଦ୍ଭୁତ ଲୀଳା ଦେଖିବାକୁ ପୁରୀରେ ଏକାଠି ହୋଇଛନ୍ତି ଲକ୍ଷ ଲକ୍ଷ ଶ୍ରଦ୍ଧାଳୁ। ତେଣୁ ଭିଡ଼ ଓ ଟ୍ରାଫିକ୍ ନିୟନ୍ତ୍ରଣକୁ ବ୍ୟବସ୍ଥିତ କରିବା ପାଇଁ ଏଥର ପୋଲିସ ପକ୍ଷରୁ କରାଯାଇଛି ଅଭୂତ ପୂର୍ବ ବ୍ୟବସ୍ଥା। ଚଳିତ ରଥଯାତ୍ରାରେ ସର୍ବାଧିକ ୨୦୦ ପ୍ଲାଟୁନ ପୋଲିସ ଫୋର୍ସ ମୁତୟନ ହୋଇଛନ୍ତି। ବିଏସ୍ଏଫ୍, ରାପିଡ ଆକ୍ସନ ଫୋର୍ସ, ବମ ସ୍କ୍ୱାର୍ଡ ଓ ଡଗ୍ ସ୍କ୍ୱାର୍ଡ ସହ ସିସିଟିଭି ସର୍ଭେଲାନ୍ସର ବ୍ୟବସ୍ଥା କରାଯାଇଛି। ପ୍ରଥମ ଥର ପାଇଁ ପୁରୀରେ କାର୍ଯ୍ୟକ୍ଷମ ହୋଇଛି ଇଣ୍ଟିଗ୍ରେଟେଡ କମାଣ୍ଡକଣ୍ଟ୍ରୋଲ ରୁମ୍। ଭିଡ଼ ଓ ଟ୍ରାଫିକ୍ ନିୟନ୍ତ୍ରଣ ପାଇଁ ଭୁବନେଶ୍ୱର-ପୁରୀ ଓ ପୁରୀ- କୋଣାର୍କ ରାସ୍ତା ସହିତ ପୁରୀ ସହରରେ ୨୭୫ଟି ଏଆଇ କ୍ୟାମେରା ଲଗାଯାଇଛି। ଏଥିସହ ଆଣ୍ଟି ଡ୍ରୋନ ବ୍ୟବସ୍ଥା, ଡଗ ସ୍କ୍ୱାର୍ଡ ଓ ଆଣ୍ଟି ଟେରରିଷ୍ଟ ସ୍କ୍ୱାର୍ଡ ମଧ୍ୟ ମୁତୟନ ହୋଇଛନ୍ତି। ସେହିପରି ଚଳିତବର୍ଷ ୨୧ ଆଇପିଏସ୍, ୧୨ଶହ ଅଫିସରଙ୍କ ସହିତ ୨୦୫ ପ୍ଲାଟୁନ୍ ପୁଲିସ ଫୋର୍ସର ବ୍ୟବସ୍ଥା କରାଯାଇଛି। ଜଳପଥ ତଟ ସୁରକ୍ଷା ପାଇଁ ମେରାଇନ୍ ପୁଲିସ ଟିମ୍, କୋଷ୍ଟଗାର୍ଡ, ନୌବାହିନୀ ଟିମ୍ ମୁତୟନ ହୋଇଥିଲେ। ସୂଚନାଯୋଗ୍ୟ, ଗତ କାଲି ସନ୍ଧ୍ୟାରେ ତିନି ରଥ ସିଂହଦ୍ୱାର ସାମ୍ନାରେ କଡ଼ା ସୁରକ୍ଷା ବଳୟ ଭିତରେ ପହଞ୍ଚିଥିଲା। ଶ୍ରୀମନ୍ଦିରରୁ ଆଜ୍ଞାମାଳ ବିଜେ ହେଲା ପରେ ରଥଗୁଡ଼ିକ ରଥଖଳାରୁ ସିଂହଦ୍ୱାରକୁ ନିଆଯାଇଥିଲା।
