
କେନ୍ଦ୍ରାପଡା ୭/୪:-କେନ୍ଦ୍ରାପଡା ବ୍ଲକର ବାରୋ ପଞ୍ଚାୟତର ଇଟିପୁର ଗ୍ରାମର ମୁଗବିଲଠାରେ ଜନଶକ୍ତିପାର୍ଟି ପକ୍ଷରୁ ଏକ ସଚେତନତା ପଦଯାତ୍ରା ଅନୁଷ୍ଠିତ ହୋଇଥିଲା। ଏହି ପଦଯାତ୍ରାରେ ଜନଶକ୍ତିପାର୍ଟିର ରାଜ୍ୟ ସଭାପତି ବରିଷ୍ଠ ଆଇନଜିବୀ ପ୍ରଦୀପ ଦାସ ନେତୃତ୍ୱ ନେଇ ଅପ୍ରେଲମାସର ପହିଲା ତାରିଖରୁ ଶ୍ରୀବଳଦେବଜୀଉଙ୍କ ମନ୍ଦିର ପାଖରୁ ଏକ ଶୋଭାଯାତ୍ରା ସାରା ରାଜ୍ୟ ପରିକ୍ରମାକରି ପୁରୀ ଶ୍ରୀଜଗନ୍ନାଥ ମନ୍ଦିର ପର୍ଯ୍ୟନ୍ତ ଯିବାର କାର୍ଯ୍ୟକ୍ରମ ରହିଛି ବୋଲି କହିଥିଲେ। ଏହାବ୍ୟତୀତ ଉତ୍କଳମଣି ପଣ୍ଡିତ ଗୋପବନ୍ଧୁ ଦାସ ଓ ଉତ୍କଳଗୌରବ ମଧୁସୂଦନ ଦାସଙ୍କୁ ଭାରତରତ୍ନ ଉପାଧି ପ୍ରଦାନ କରାଯିବା, ଚିଟ୍ଫଣ୍ଡରେ ଠକରେ ପଡିଥିବା ଉପଭୋକ୍ତାମାନଙ୍କୁ ସେମାନଙ୍କ ଅର୍ଥ ଫେରସ୍ତ କରିବା ଓ ଉଚ୍ଚଶିକ୍ଷା ପାଇଁ ବିଦ୍ୟାର୍ଥୀମାନଙ୍କୁ ସୁଧମୁକ୍ତ ଋଣ ପ୍ରଦାନ କରିବା, ବକେୟା ବିଦ୍ୟୁତବିଲ୍ ଛାଡ କରିବା, ରିଲିଫ୍ କୋର୍ଡ ସଂଶୋଧନ କରିବା, ପ୍ରାକୃତିକ ବିପର୍ଯ୍ୟୟ ସମୟରେ ବିପନ୍ନ ଲୋକଙ୍କୁ ଦିଆଯାଉଥିବା ରିଲିଫ୍ ସମାଗ୍ରୀ ବାଟମାରଣା କରାନଯିବା ପାଇଁ ସରକାର ଆବଶ୍ୟକ ପଦକ୍ଷେପ ନେବା ରାଜ୍ୟ ପଦଯାତ୍ରାର ଉଦ୍ଦେଶ୍ୟ ରହିଛି ବୋଲି ଶ୍ରୀ ଦାସ ସୂଚନା ଦେଇଥିଲେ। ପୁରୀ ପଦଯାତ୍ରା ସମୟରେ ମଝିରେ ମଝିରେ ପଥପ୍ରାନ୍ତ ସଭା କରାଯାଇ ଲୋକମାନଙ୍କୁ ଏ ଦିଗରେ ସଚେତନା କରାଯିବା ସହିତ ଟାଟା କମ୍ପାନିକୁ ରାଜ୍ୟରୁ ହଟାଇବା ପାଇଁ ମଧ୍ୟ ଦାବି କରାଯିବ। ଏହି କମ୍ପାନିର ଉଦାସୀନତାରୁ ଖରାଦିନେ ଲୋଭୋଲଟେଜ୍ ହେଉଥିବାରୁ ଏହାର ପ୍ରତିକାର ପାଇଁ ମଧ୍ୟ ଦାବି କରାଯାଇଥିଲା। ଏହି ସଚେତନତା ସଭାରେ ଗୌତମ ବେହେରା, ସୀତାକାନ୍ତ ନାୟକ, ରମାକାନ୍ତ ପଣ୍ଡା, ଉମେଶ ଦାସ, ଅଜୟ ପ୍ରଧାନ, ମାନସ ପଣ୍ଡା, କାମିନୀ ବେହେରା, ମମତା ପଣ୍ଡା ପ୍ରମୁଖ ବକ୍ତବ୍ୟ ରଖିଥିଲେ।
