
ପଟ୍ଟାମୁଣ୍ଡାଇ ତା ୧୯/୯- ପଟ୍ଟାମୁଣ୍ଡାଇ ସହରର କ୍ରମବର୍ଦ୍ଧିଷ୍ଣୁ ଜନସଂଖ୍ୟା ବୃଦ୍ଧି ଯୋଗୁଁ ଟ୍ରାଫିକ ସମସ୍ୟା ଦିନକୁ ଦିନ ଉତ୍କଟ ରୂପ ଧାରଣ କରିଛି । ଯାହାଫଳରେ ସହର ମଧ୍ୟରେ ଟ୍ରାଫିକ ସମସ୍ୟା ଯୋଗୁଁ ଜନସାଧାରଣ ଓ ଯାନବାହନ ଦୀର୍ଘ ସମୟ ଧରି ଅଟକି ରହିବା ଦେଖାଯାଉଛି । କେନ୍ଦ୍ରାପଡ଼ା ଜିଲ୍ଲାପାଳ ରଘୁରାମ ଆର ଆୟାର ଏ ସମ୍ପର୍କରେ ଅବଗତ ହେବା ପରେ ପଟ୍ଟାମୁଣ୍ଡାଇ ସହରରୁ ଜବର ଦଖଲ ଉଛେଦ ପାଇଁ ନିର୍ଦେଶ ଦେଇଥିଲେ । ଜିଲ୍ଲାପାଳଙ୍କ ନିର୍ଦେଶରେ ଆଜି ପଟ୍ଟାମୁଣ୍ଡାଇ ପୌରପରିଷଦ ଓ ସ୍ଥାନୀୟ ପ୍ରଶାସନ ପକ୍ଷରୁ ଜବର ଦଖଲ ଉଛେଦ ଅଭିଯାନ କରାଯାଇଥିଲା । ଆଜି ଦିନ ୧୦ଘଟିକା ସମୟରେ ପଟ୍ଟାମୁଣ୍ଡାଇ ପୌର ପରିଷଦ କାର୍ଯ୍ୟାଳୟ ନିକଟରୁ ଜବରଦଖଲ ଉଛେଦ ଅଭିଯାନ ଆରମ୍ଭ କରାଯାଇ ପଟ୍ଟାମୁଣ୍ଡାଇ ବାଇପାସ, ଆହାର କେନ୍ଦ୍ର, ଜୀବନବୀମା କାର୍ଯ୍ୟାଳୟ ସମ୍ମୁଖ, ପଟ୍ଟାମୁଣ୍ଡାଇ ସରକାରୀ ବସ ଷ୍ଟାଣ୍ଡ ସମ୍ମୁଖରେ ସରକାରୀ ଜମି ଜବର ଦଖଲ କରି ଉଠା ଦୋକାନ କରିଥିବା ଦୋକାନୀ ମାନଙ୍କୁ ଉଛେଦ କରାଯାଇଥିଲା । ଏହି ଉଛେଦ ଅଭିଯାନ ଆସନ୍ତା ୩/୪ଦିନ ପର୍ଯ୍ୟନ୍ତ ଚାଲିବ । ଜବରଦଖଲ କରି ଥିବା କାହାରିକୁ ଛଡା ଯିବ ନାହିଁ ବୋଲି ପ୍ରଶାସନ ପକ୍ଷରୁ ସୂଚନା ଦିଆଯାଇଛି । ଏହି ଜବରଦଖଲ ଅଭିଯାନରେ ପଟ୍ଟାମୁଣ୍ଡାଇ ଅତିରିକ୍ତ ତହସିଲଦାର ଦିଲ୍ଲୀପ ନାଏକ, ପୌର ପରିଷଦ ନିର୍ବାହୀ ଅଧିକାରୀ ରଞ୍ଜନ କୁମାର ଦାଶ ଓ ଆଦର୍ଶ ଥାନା ଆଇ ଆଇ ସି ବନ୍ଦନା ପାତ୍ର ସମେତ ଅନ୍ୟାନ୍ୟ ପୋଲିସ ଓ ପ୍ରଶାସନିକ ଅଧିକାରୀ ପୋଲିସ ବାହିନୀ ସହିତ ସାମିଲ ହୋଇ ସରକାରୀ ଜମିରୁ ଜବର ଦଖଲ ଉଛେଦ କରିଥିଲେ । ପଟ୍ଟାମୁଣ୍ଡାଇ ସହରରୁ ଜବର ଦଖଲ ଉଛେଦ ପରେ ଉଠାଦୋକାନ କରି ପରିବାର ଚଳାଉଥିବା କ୍ଷୁଦ୍ର ବ୍ୟବସାୟୀମାନେ ଚିନ୍ତାରେ ପଡିଛନ୍ତି । ଶାରଦୀୟ ଦୂର୍ଗା ପୂଜା ପରେ ଜବର ଦଖଲ ଉଛେଦ ଦ୍ୱାରା କ୍ଷତିଗସ୍ତ ଉଠାଦୋକାନୀଙ୍କ ଥଇଥାନ ଦିଗରେ ନିଷ୍ପତ୍ତି ନିଆଯିବ ବୋଲି ପ୍ରଶାସନ ପକ୍ଷରୁ ସୂଚନା ଦିଆଯିବା ସହିତ ଜବରଦଖଲ ଉଛେଦରେ ସହଯୋଗ କରିବା ପାଇଁ ପରାମର୍ଶ ଦିଆଯାଇଛି ।
