
ପଟ୍ଟାମୁଣ୍ଡାଇ ୧୧/୦୩ କେନ୍ଦ୍ରାପଡ଼ା ଜିଲ୍ଲା ବିଶେଷ କରି ପଟ୍ଟାମୁଣ୍ଡାଇ ଅଂଚଳର ବିଭିନ୍ନ ଜନ ସମସ୍ୟାକୁ ନେଇ ଦୀର୍ଘ ବର୍ଷ ଧରି ଲଢେଇ କରି ଆସୁଥିବା ଗଣସଙ୍ଗଠନ ‘ଜନମଂଚ’ ପକ୍ଷରୁ ‘ଆମ ପୂର୍ବସୂରୀ, ଆମ ପରଂପରା, ଆମ ଐତିହ୍ୟ ପରିଚିତି’ କାର୍ଯ୍ୟକ୍ରମରେ ଓଡ଼ିଆ ଅସ୍ମିତାର ଅପ୍ରତିମ ପ୍ରଣମ୍ୟ ପୁରୁଷ ଉତ୍କଳ ଗୌରବ ମଧୁସୂଦନ ଦାସଙ୍କ ଜନ୍ମଭୂମି ସାଲେପୁରର ସତ୍ୟଭାମାପୁର ଠାରୁ ମହାନ ତ୍ୟାଗୀ, ସ୍ୱାଧୀନତା ସଂଗ୍ରାମୀ ଗୋପବନ୍ଧୁ ଚୌଧୁରୀ ଓ ରମାଦେବୀଙ୍କ କର୍ମଭୂମି ଯାଜପୁରର ବରୀ ଆଶ୍ରମ ଯାଏଁ ସଂଗଠନର ସଭ୍ୟସଭ୍ୟାମାନେ ଯାତ୍ରା କରିବା ସହିତ ଏହି ଐତିହାସିକ ସ୍ଥାନ ଗୁଡିକୁ ପରିଦର୍ଶନ କରିଥିଲେ । ଜନମଂଚର ଆବାହକ ପ୍ରଫେସର ଦୁର୍ଯ୍ୟୋଧନ ପରିଡ଼ାଙ୍କ ନେତୃତ୍ୱରେ କାଦମ୍ବିନୀ ପାଳ ମହିଳା କଲେଜର କ୍ରୀଡ଼ା ଶିକ୍ଷକ ଡ଼. ସୁବାସିନୀ ତ୍ରିପାଠୀ ଓ ଶମ୍ଭୁନାଥ ତ୍ରିପାଠୀଙ୍କ ମାର୍ଗଦର୍ଶନରେ ୧୯୪୨ ମସିହା ଭାରତଛାଡ଼ ଆନ୍ଦୋଳନର ସହୀଦପୀଠ ବରୀର ‘କଳାମାଟିଆ’ ତଥା କୃଷ୍ଣନଗରର ‘ସହୀଦ ସ୍ୱାଧୀନତା ସଂଗ୍ରାମୀ ସ୍ମୃତିପୀଠ’ ବୁଲି ଦେଖିଥିଲେ । ସତ୍ୟଭାମାପୁର ଜନ୍ମପୀଠର ତତ୍ୱାବଧାରିକା ସନ୍ଧ୍ୟା ମଲ୍ଲିକ ଓ ବରୀ ଆଶ୍ରମର ସଂପାଦକ ରମାକାନ୍ତ ମଣ୍ଡଳ ଓ କାର୍ଯ୍ୟକାରୀ ସଭାପତି ଡ଼. ସୁବାସ ଚନ୍ଦ୍ର ବିଶ୍ୱାଳଙ୍କ ସହିତ ଜନମଂଚ ପ୍ରତିନିଧିଦଳ ଆଲୋଚନା କରିଥିଲେ । ଏହି ପ୍ରତିନିଧି ଦଳରେ ଜନମଂଚର ଅନ୍ତର୍ଯ୍ୟାମୀ ପରିଡ଼ା, ସରୋଜ ପଣ୍ଡା, ରବିନ୍ଦ୍ର କୁମାର ପରିଡ଼ା, ନିତ୍ୟାନନ୍ଦ ନାଥ, ବାବାଜୀ ଦାସ, ବିଭୁପ୍ରସାଦ ଦାସ, ପ୍ରଫୁଲ୍ଲ ଶତପଥୀ, ଶରତ ବିଶ୍ୱାଳ, ଅଶୋକ ପରିଡ଼ା, କନକଲତା ନାୟକ, କିର୍ତିରାଜ ନାୟକ, ପ୍ରମୋଦ ବେହେରା, ଗଗନବିହାରୀ ସୂତାର, ରମେଶ ଚନ୍ଦ୍ର ପାତାଳସିଂହ, ପ୍ରସନ୍ନ କୁମାର ଭଞ, ପ୍ରତାପ ନାୟକ, ଅଧ୍ୟାପକ ପ୍ରମୋଦ ଦାସ, ଶତୃଘ୍ନ ସିଂହ, ଶଶିଭୂଷଣ ଦାସ ପ୍ରମୁଖ ବିଶିଷ୍ଟ ବ୍ୟକ୍ତିଙ୍କ ସହିତ କେନ୍ଦ୍ରାପଡ଼ା ଜିଲ୍ଲାର ପଟ୍ଟାମୁଣ୍ଡାଇ, ରାଜନଗର, ଆଳି, କେନ୍ଦ୍ରାପଡ଼ା, ଡ଼େରାବିଶ, ମହାକାଳପଡ଼ା ସମେତ ଯାଜପୁର, ଖୋର୍ଦ୍ଧା ଓ ବାଲେଶ୍ୱର ଜିଲ୍ଲାର ବହୁ ବିଶିଷ୍ଟ ବ୍ୟକ୍ତିମାନେ ସାମିଲ ହୋଇଥିଲେ ।
