ଅଇନିପଡ଼ା-ପଛପଡ଼ା ଗାଁ ଉତ୍ସବ ‘ବସୁଧା’ ଉଦଯାପିତ
କେନ୍ଦ୍ରାପଡା ୨୫/୧୧-ଜାତିର ପିତା ମହାତ୍ମା ଗାନ୍ଧୀଙ୍କ ଅନୁଯାୟୀ ପ୍ରାଚୀନ ଭାରତର ଆତ୍ମା ଗାଁରେ ରହିଛି । ଆମ ଦେଶର ଗ୍ରାମଗୁଡ଼ିକ ସର୍ବଦା ପାରସ୍ପରିକ ସହଯୋଗ, ଭାଇଚାରା ଏବଂ ସାମୁହିକ ଜୀବନର ପ୍ରତୀକ ହୋଇଆସିଛି। ଲୋକମାନେ ପରସ୍ପରର ସୁଖ ଏବଂ ଦୁଃଖରେ ଏକାଠି ଠିଆ ହୋଇଥିଲେ, ଏବଂ ପ୍ରତ୍ୟେକ ପରିବାର ଏକ ଅତୁଟ ବନ୍ଧନ ବାଣ୍ଟୁଥିଲେ । ଗ୍ରାମଗୁଡ଼ିକର ଏହି ବୈଶିଷ୍ଟ୍ୟଗୁଡ଼ିକ ସେମାନଙ୍କୁ ସହରାଞ୍ଚଳ ଜୀବନଠାରୁ ପୃଥକ କରିରଖୂଥିଲା। ସଂପ୍ରତି ଗାଁଗୁଡ଼ିକ ଆଧୁନିକତାରେ ଆକର୍ଷିତ ହେବାରେ ଲାଗିଛି।ଗାଁଗୁଡ଼ିକରେ ଆଧୁନିକତା ପ୍ରବେଶ କରିବାଦ୍ୱାରା ସାମାଜିକ ସମ୍ପର୍କରେ ଏକ ଗୁରୁତ୍ୱପୂର୍ଣ୍ଣ ପରିବର୍ତ୍ତନ ପରିଲକ୍ଷିତ ହେଉଛି। ଆଧୁନିକତାକୁ ଗ୍ରହଣ କରିବାରେ, ଆମେ ଆମର ଗାଁର ମୂଳ ସ୍ୱଭାବକୁ ଭୁଲିଯାଉଛୁ। ଆଧୁନିକତାରେ ବିଭୋର ହୋଇ ଗାରିମାମୟ ଗାଁକୁ ଆଉ କଳୁଷିତ ଓ ବିକଳାଙ୍ଗ କରାନଯାଉ ବୋଲି ଅଇନିପଡ଼ା-ପଛପଡ଼ା ଗାଁଉତ୍ସବ ‘ବସୁଧା’ର ପଞ୍ଚଦଶତମ ଉତ୍ସବର ଉଦ୍ଯାପନୀ ସନ୍ଧ୍ୟାରେ ଯୋଗ ଦେଇ ବିଶିଷ୍ଟ ଅତିଥିମାନେ ମତ ପ୍ରକାଶ କରିଛନ୍ତି।
ଶିକ୍ଷାବିତ ସ୍ୱର୍ଗତ ପ୍ରହଲ୍ଲାଦ ନାଥଙ୍କ ସ୍ମୃତି ଉଦେଶ୍ୟରେ ଗଠିତ ସ୍ମୃତି କମିଟି ସଭାପତି ରଜନୀକାନ୍ତ ନାଥଙ୍କ ପୌରହିତ୍ୟରେ ଆୟୋଜିତ ମନୋଜ୍ଞ ଉତ୍ସବରେ ରାଜ୍ୟ ସଂସ୍କୃତି ବିଭାଗର ପୂର୍ବତନ ଯୁଗ୍ମ ସଚିବ ବିଶିଷ୍ଟ କବି ଡକ୍ଟର ରଂଜନ କୁମାର ଦାସ ଉଦ୍ଘାଟକ ଭାବେ ଯୋଗ ଦେଇ ତିନି ଚାରି ଦଶନ୍ଧି ପୂର୍ବେ, ଗାଁର ସବୁକିଛି ଅନନ୍ୟ ଥିଲା। ରାସ୍ତା କଡ଼ରେ ଥିବା ଆମ୍ବ ଏବଂ ଜାମୁ ଗଛ ଏବଂ ବାଉଁଶ ଗଛରୁ ପକ୍ଷୀଙ୍କ କିଚିରିମିଚିରି ଶବ୍ଦ ଏବଂ କୋକିଲର ଡାକ ଏବେ ବହୁତ କମ୍ ଶୁଣାଯାଉଛି। କ୍ଷେତରେ ଚରୁଥିବା ଗାଈ, ମଇଁଷି ଏବଂ ବଳଦଙ୍କ ବେକରେ ବନ୍ଧା ହୋଇଥିବା ଘଣ୍ଟିର ଶବ୍ଦକୁ ଟ୍ରାକ୍ଟରର ଶବ୍ଦ ଢାଙ୍କି ଦେବା ଆରମ୍ଭ କରିଛି। କୁକୁଡ଼ାର ଡାକ ଶୁଣି ଉଠିଥିବା ଚାଷୀମାନେ ଏବେ ମୋବାଇଲ୍ ଫୋନ୍ରେ ଆଲାର୍ମ ଲଗାଇବା ଆରମ୍ଭ କରିଛନ୍ତି। ପୂର୍ବରୁ ଅତିଥିମାନଙ୍କୁ ବହୁତ ଯତ୍ନର ସହିତ ବ୍ୟବହାର କରାଯାଉଥିଲା। ଲେମ୍ବୁ କିମ୍ବା ଦହିର ସରବତ ପରିବେଷଣ କରାଯାଉଥିଲା। ମାତ୍ର ଏବେ ଅତିଥିମାନଙ୍କୁ ଥଣ୍ଡା ପାନୀୟ ସହିତ ସ୍ୱାଗତ କରାଯାଉଛି । ଆମେ ଏପରି ଏକ ସ୍ଥାନରେ ପହଞ୍ଚିଛୁ ଯେଉଁଠାରେ ଆମେ ବହୁତ ଏକାକୀ ଅନୁଭବ କରୁଛୁ। ଲୋକଙ୍କ ପାଖରେ ପରସ୍ପର ପାଇଁ ସମୟ ନାହିଁ। ଆମେ ଆଧୁନିକତାରେ ଏତେ ବ୍ୟସ୍ତ ହୋଇଗଲୁଣି ଯେ ଆମେ ଆମର ସମ୍ପର୍କ ଏବଂ ଯୋଗାଯୋଗକୁ ପଛରେ ପକାଇ ଦେଇଛୁ।ମାତ୍ର ସାମ୍ପ୍ରତିକ ସମୟରେ ବିଲୁପ୍ତ ହୋଇଥିବା ଗାଁର ଅଭୁଲା କଳା, ସଂସ୍କୃତି, ଭାଇଚାରା ଓ ପରମ୍ପରାକୁ ଉଜ୍ଜୀବିତ କରିବା ପାଇଁ ବସୁଧା ଆରମ୍ଭ କରିଥିବା ପ୍ରୟାସ ସଫଳ ହେଉ ବୋଲି ସେ କାମନା କରିଥିଲେ।
କେନ୍ଦ୍ରାପଡ଼ା ଜିଲ୍ଲାପାଳ ରଘୁରାମ ଆ,ର୍ ଆୟାର୍ ମୁଖ୍ୟଅତିଥି ଭାବେ ଯୋଗ ଦେଇ ଗାଁ ର କୁନି କୁନି ପିଲାମାନଙ୍କୁ ସଫଳ କ୍ୟାରିୟର ଗଠନ କରି ଜୀବନର ସବୁ କ୍ଷେତ୍ରରେ ସଫଳ ହେବା ଦିଗରେ ଉପଯୁକ୍ତ ମାର୍ଗ ଦର୍ଶନ କରିବାକୁ ଗ୍ରାମବାସୀ ଓ ଅଭିଭାବକମାନଙ୍କୁ ଆହ୍ୱାନ ଦେଇଥିଲେ । ବରିଷ୍ଠ ସାମ୍ବାଦିକ ମାନସ ପଣ୍ଡା ମୁଖ୍ୟବକ୍ତା ଭାବେ ଯୋଗ ଦେଇ ବିଲୁପ୍ତ ହୋଇଥିବା ଗାଁ ର ସ୍ନେହ ପ୍ରେମ ଓ ଭାଇଚରା ପୁନଃ ପ୍ରତିଷ୍ଠା ପାଇଁ ପ୍ରତ୍ୟେକ ଗାଁରେ ବସୁଧା ଭଳି ଗାଁ ଉତ୍ସବ ପାଳନ କରାଗଲେ ଅଇନିପଡା – ପଛପଡା ଗାଁ ଉତ୍ସବ ବସୁଧା ଆୟୋଜନ ର ଲକ୍ଷ୍ୟ ଓ ଉଦେଶ୍ୟ ସଫଳ ହେବା ସହିତ ସୁନ୍ଦର ସୁସ୍ଥ ସମାଜ ଗଠନ ହୋଇପାରିବ ବୋଲି ମତ ପ୍ରକାଶ କରିଥିଲେ ।
ଏଇ ଅବସରରେ ବସୁଧା ପକ୍ଷରୁ ରିଜର୍ଭ ବ୍ୟାଙ୍କର ଆଞ୍ଚଳିକ ନିର୍ଦ୍ଦେଶକ ଡକ୍ଟର ଶାରଦା ପ୍ରସନ୍ନ ମହାନ୍ତିଙ୍କୁ ବସୁଧା ସମ୍ମାନ, ଲୋକପ୍ରିୟ ଚଳଚିତ୍ର ଅଭିନେତ୍ରୀ ନମ୍ରତା ଦାସଙ୍କୁ ବସୁଧା କଳାରତ୍ନ ସମ୍ମାନ ପ୍ରଦାନ କରାଯାଇଥିଲା। ଏହି ମନୋଜ୍ଞ ଉତ୍ସବର ଅନ୍ୟତମ ବିଶିଷ୍ଟ ଅତିଥି ସଂଗୀତ ନିର୍ଦ୍ଦେଶକ ତଥା କଣ୍ଠଶିଳ୍ପୀ ଶରତ ନାୟକ ଓ ବିଶିଷ୍ଟ କଣ୍ଠଶିଳ୍ପୀ ପ୍ରଫେସର୍ ଡକ୍ଟର ଅନସୂୟା ନାଥ ମନଛୁଆଁ ସଂଗୀତ ପରିବେଷଣ କରିଥିଲେ । ସାରା ରାଜ୍ୟରେ କଣ୍ଠସଂଗୀତ କ୍ଷେତ୍ରରେ ସ୍ୱତନ୍ତ୍ର ପରିଚୟ ସୃଷ୍ଟି କରିଥିବା ପଟ୍ଟାମୁଣ୍ଡାଇ ଅଞ୍ଚଳର ଉଦୀୟମାନ କଣ୍ଠଶିଳ୍ପୀ ପ୍ରୀତିନନ୍ଦା ପରିଡ଼ାଙ୍କୁ ସ୍ୱତନ୍ତ୍ର ଭାବେ ସମ୍ବଦ୍ଧିତ କରାଯାଇଥିଲା। ଓଡ଼ିଶୀ ଶାସ୍ତ୍ରୀୟ ସଂଗୀତରେ ବିଶାରଦ ଡିଗ୍ରୀ ହାସଲ କରିଥିବା ପ୍ରୀତିନନ୍ଦା ଆକାଶବାଣୀ ଓ ଦୂରଦର୍ଶନର ଜଣେ ସ୍ୱୀକୃତିପ୍ରାପ୍ତ କଳାକାର ହୋଇଥିବା ବେଳେ ଓଡ଼ିଶା ସମେତ ଓଡ଼ିଶା ବାହାରେ ସଂଗୀତ ପରିବେଷଣ କରି ସୁନାମ ଅର୍ଜନ କରିଛନ୍ତି। ସଂପାଦକ ସଞ୍ଜିତ ବେହେରା ବିବରଣୀ ପାଠ କରିଥିଲେ ଓ ବରିଷ୍ଠ ସାମ୍ବାଦିକ ସଚ୍ଚିକାନ୍ତ ନାଥ ସ୍ୱାଗତ ଭାଷଣ ଓ ଅତିଥିପରିଚୟ ପ୍ରଦାନ କରିଥିଲେ । ଶେଷରେ ରଜନୀକାନ୍ତ ନାୟକ ଧନ୍ୟବାଦ ଦେଇଥିଲେ। ଏଇ ଅବସରରେ କେନ୍ଦ୍ରାପଡ଼ା ଜିଲ୍ଲା ର ୧୦ ଜଣ ମାଟ୍ରିକ୍ ଟପର୍ ସୌଭାଗ୍ୟ ଜ୍ୟୋତି ରାଉତ, ଅନନ୍ୟା ସ୍ଥିତିପ୍ରଜ୍ଞା ସାହୁ, କରିସ୍ରା ପ୍ରିୟଦର୍ଶିନୀ ସାହୁ, ସମୀକ୍ଷା କର, ସାଇରୁପା ନଦ, ରାକେଶ ମଲ୍ଲିକ ଅନନ୍ୟା ପାତ୍ର, ସ୍ୱଦେଶ ଦାସ, ଅଲାରକାନ୍ତ ଷଢ଼ଙ୍ଗୀ, ନିବେଦିତା ବେହେରାଙ୍କୁ ଅନୁଷ୍ଠାନ ପକ୍ଷରୁ ପୁରସ୍କାର ଓ ପ୍ରୋତ୍ସାହନ ରାଶି ପ୍ରଦାନ କରାଯାଇ ସମ୍ବର୍ଦ୍ଧିତ କରାଯାଇଥିଲା।
