
କେନ୍ଦ୍ରାପଡ଼ା,୧ା୧୨:କେନ୍ଦ୍ରାପଡା ସ୍ୱୟଂଶାସିତ ମହାବିଦ୍ୟାଳୟ ଦର୍ଶନଶାସ୍ତ୍ର ବିଭାଗ ଓ ଆଭ୍ୟନ୍ତରୀଣ ଗୁଣବତ୍ତା ଆଶ୍ୱାସନା କମିଟିର ମିଳିତ ଆନୁକୂଲ୍ୟରେ ମହାବିଦ୍ୟାଳୟ ସମ୍ମିଳନୀ କକ୍ଷରେ “ଭାରତୀୟ ଶିକ୍ଷା ଓ ଦର୍ଶନ ବ୍ୟବସ୍ଥାରେ ଭଗବତଗୀତାର ତତ୍ତ୍ୱ୍ୱ”ଶୀର୍ଷକ ଜାତୀୟ ସମ୍ପାନ ସୋମବାର ଅନୁଷ୍ଠିତ ହୋଯାଇଛି। ମହାବିଦ୍ୟାଳୟ ଅଧ୍ୟକ୍ଷ ପ୍ରଫେସର ଶାନ୍ତନୁ କୁମାର ଜେନାଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି ସମ୍ପାନରେ ଧାନବାଦସ୍ଥିତ ଆଇ.ଆଇ.ଟି. (ଆଇ.ଏସ.ଏମ.)ର ଦର୍ଶନ ବିଭାଗ ମୁଖ୍ୟ ପ୍ରଫେସର ଡ. ଅଜିତ କୁମାର ବେହୁରା ମୁଖ୍ୟବକ୍ତା ଭାବେ ଯୋଗଦେଇ କହିଲେ ଭାରତୀୟ ଶିକ୍ଷା ବ୍ୟବସ୍ଥା ଓ ଦର୍ଶନଶାସ୍ତ୍ରରେ ଭଗବତଗୀତାର ତତ୍ତ୍ୱ ରହିଛି। ଯାହାଫଳରେ ଭାରତୀୟ ଦର୍ଶନ ଉପରେ ଗବେଷଣା କରିବା ପାଇଁ ବିଦେଶରୁ ଗବେଷକ ମାନେ ଭାରତ ଆସୁଛନ୍ତି। ଭାରତୀୟ ସଂସ୍କୃତି ମଧ୍ୟ ଅତ୍ୟନ୍ତ ମହାନ। ଏହି ସଂସ୍କୃତି ବିଦେଶୀ ବିଦ୍ୱାନମାନଙ୍କୁ ଆକୃଷ୍ଟ କରିଛି। ଫଳରେ ସେମାନେ ଆମ ସଂସ୍କୃତି ଉପରେ ଗବେଷଣା କରିବାକୁ ବ୍ୟାକୁଳ ହେଉଁଛନ୍ତି। କାରଣ ଆମ ସଂସ୍କୃତି କୁହେ କର୍ମ କରିଚାଲ ଫଳକୁ ଆଶା କରନାହିଁ। ଫଳ ନିଶ୍ଚିତ ମିଳିବ। ଏହାର ଅନେକ ପ୍ରମାଣ ଭାରତୀୟ ଦର୍ଶନଶାସ୍ତ୍ରରେ ରହିଛି। ଜୀବନରେ ଅନେକ ଝଡଝଞ୍ଜା ଆସିବ। ଏହି ପରିସ୍ଥିତିରେ ନକରାତ୍ମକ ମନୋଭାବ ପୋଷଣ ନକରି ସକରାତ୍ମକ ଦିଗପ୍ରତି ଚିନ୍ତା କଲେ ସମସ୍ୟାର ସମାଧାନ ହୋଇଯିବ ବୋଲି ଛାତ୍ରଛାତ୍ରୀମାନଙ୍କୁ ସେ ପରାମର୍ଶ ଦେଇଥିଲେ। ସମ୍ମାନିତ ଅତିଥି ଭାବେ ଖଲିକୋଟ ବିଶ୍ୱବିଦ୍ୟାଳୟର ଦର୍ଶନଶାସ୍ତ୍ର ବିଭାଗ ମୁଖ୍ୟ ଡ. (ଲେଫ୍ଟନାଣ୍ଟ) ଜତୀନ ବିଶୋଇ ଯୋଗଦେଇ ଭାରତୀୟ ସଂସ୍କୃତିରେ ଭଗବତଗୀତାର ମୂଲ୍ୟବୋଧ ଉପରେ ଆଲୋକପାତ କରିଥିଲେ। କଲେଜ ପରିଚାଳନା ସମିତି ସଭାପତି ତଥା ଅତିରିକ୍ତ ଜିଲ୍ଲାପାଳ ନବକୃଷ୍ଣ ଜେନା ମୁଖ୍ୟଅତିଥି ଭାବେ ଯୋଗଦେଇ କହିଲେ ଭାରତୀୟ ଦର୍ଶନଶାସ୍ତ୍ରର ଏତେ ଗଭିରତା ରହିଛି ଯାହାର ପ୍ରମାଣ ମିଳିଥିଲା ୧୮୯୩ ମସିହାରେ ଯେତେବେଳେ ଚିକାଗୋରେ ଅନୁଷ୍ଠିତ ବିଶ୍ୱ ଧର୍ମ ସମ୍ମିଳନୀରେ ସ୍ୱାମୀ ବିବେକାନନ୍ଦ ଭାଷଣ ଦେଇଥିଲେ। ଅଧ୍ୟକ୍ଷ ପ୍ରଫେସର ଜେନା ସ୍ୱାଗତଭାଷଣ ପ୍ରଦାନ କରିଥିବା ବେଳେ ଦର୍ଶନଶାସ୍ତ୍ର ବିଭାଗ ମୁଖ୍ୟ ତଥା ସଂଗଠନ ସମ୍ପାଦକ ଅଧ୍ୟାପକ ସତ୍ୟରଞ୍ଜନ ମିଶ୍ର ସମ୍ପାନର ବିଷୟବସ୍ତୁ ଉପରେ ସନ୍ଦର୍ଭ ଉପସ୍ଥାପନ କରିଥିଲେ। କଲେଜ ଆଭ୍ୟନ୍ତରୀଣ ଗୁଣବତ୍ତା ଆଶ୍ୱାସନା କମିଟି ସଂଯୋଜିକା ଡ. ଦିପ୍ତୀ ରାୟ ଅତିଥି ପରିଚୟ ପ୍ରଦାନ କରିଥିବା ବେଳେ ୟୁଜିସି ପ୍ରଫେସର ଡ. ଦେବକାନ୍ତ ଷଡଙ୍ଗୀ ବିଷୟବସ୍ତୁ ଉପରେ ବକ୍ତବ୍ୟ ରଖିଥିଲେ। ଏହି ଅବସରରେ ସ୍ମରଣୀକା ‘ଗୀତାରମୂଳତତ୍ତ୍ୱ ଉନ୍ମୋଚିତ ହୋଇଥିଲା। ଅପରାହ୍ନରେ ଅନୁଷ୍ଠିତ ବୈଷୟିକ ସେସନରେ ବିଭିନ୍ନ କଲେଜ ଓ ବିଶ୍ୱବିଦ୍ୟାଳୟରୁ ଆସିଥିବା ଅଧ୍ୟାପକ ଓ ବିଦ୍ୟାର୍ଥୀମାନେ ସେମାନଙ୍କ ସନ୍ଦର୍ଭ ଉପସ୍ଥାପନ କରିଥିଲେ। ଶେଷରେ ଯୁଗ୍ମ ସଂଗଠନ ସମ୍ପାଦକ ଅଧ୍ୟାପକ ଅଚ୍ୟୁତାନନ୍ଦ ଭୂୟାଁ ଧନ୍ୟବାଦ ଅର୍ପଣ କରିଥିଲେ। ଏହି ସମ୍ପାନରେ ବହୁ ପ୍ରାକ୍ତନ ଅଧ୍ୟକ୍ଷ, ପ୍ରାଧ୍ୟାପକ, ଅଧ୍ୟାପକ, ବିଭିନ୍ନ କଲେଜର ଅଧ୍ୟାପିକା ଓ ଅଧ୍ୟାପକଙ୍କ ସମେତ ପୁରାତନ ଓ ବର୍ତ୍ତମାନର ଛାତ୍ରଛାତ୍ରୀମାନେ ଉପସ୍ଥିତ ଥିଲେ।
