ବନ୍ୟା ଆଣ୍ଠୁଏ ପାଣିରେ ବିପଜ୍ଜନକ ଯାତାୟାତ

  • ପଟ୍ଟାମୁଣ୍ଡାଇରେ ବନ୍ୟାପାଣି କମିଛି, ବଢ଼ିଛି ଦୁର୍ଦ୍ଦଶା
  • ସରୀସୃପ ଓ କୁମ୍ଭୀର ଭୟରେ ଗ୍ରାମବାସୀ

blank

ପଟ୍ଟାମୁଣ୍ଡାଇ ୯/୮ – କେନ୍ଦ୍ରାପଡ଼ା ଜିଲା ପଟ୍ଟାମୁଣ୍ଡାଇ ଅଂଚଳରେ ବନ୍ୟା ପରିସ୍ଥିତି ଦିନକୁ ଦିନ ଜଟିଳ ହେବାରେ ଲାଗିଛି। ପ୍ରଥମ ବନ୍ୟାପାଣି କିଛି ମାତ୍ରାରେ କମିବା ପରେ ଲୋକେ ଆଶ୍ୱସ୍ତି ଲାଭ କରିଥିଲେ ସୁଦ୍ଧା ଅନେକ ରାସ୍ତାଘାଟରେ ଜଳବନ୍ଦୀ ଅବସ୍ଥା ବଜାୟ ରହିଥିଲା। ମାତ୍ର ଶନିବାର ଠାରୁ ନଦୀର ଜଳସ୍ତର ସାମାନ୍ୟ ବୃଦ୍ଧି ପାଇବାରୁ ସ୍ଥିତି ଆହୁରି ସଙ୍ଗୀନ ହୋଇପଡ଼ିଛି। ଗାଁ ଗାଁର ରାସ୍ତାରେ ଏବେ ଆଣ୍ଠୁଏ ଲେଖାଁଏ ପାଣି ପ୍ରବାହିତ ହେଉଥିବାରୁ ବାଇକ୍‌, ସାଇକେଲ କିମ୍ବା ଅନ୍ୟ କୌଣସି ଗାଡ଼ିମୋଟର ଯିବା ଆଦୌ ସମ୍ଭବ ହେଉନାହିଁ। ପାଣିର ଗଭୀରତା ଏପରି ରହିଛି ଯେଉଁଥିରେ ଡଙ୍ଗା ଚାଲିବା ଅସମ୍ଭବ ହୋଇରହିଛି । ଗ୍ରାମବାସୀମାନେ ଜରୁରୀ କାର୍ଯ୍ୟ ପାଇଁ ବାଧ୍ୟ ହୋଇ ଦୂଷିତ ପାଣିରେ ପଶି ଯାତାୟାତ କରୁଛନ୍ତି। ବନ୍ୟାପାଣି ରାସ୍ତାରେ ଖାଲଖମା କିମ୍ବା ଗଭୀର ଗାଡ଼ ଦୃଶ୍ୟାମାନ ହେଉନାହିଁ । ଫଳରେ ଯାତାୟତ ବେଳେ ଲୋକଙ୍କ ଗୋଡଖସି ଦୁର୍ଘଟଣାର ଶିକାର ହେଉଛନ୍ତି ।ଏହି ଦୁର୍ଦ୍ଦଶା ମଧ୍ୟରେ ଅଂଚଳବାସୀଙ୍କ ନିଦ ହଜାଇ ଦେଇଛି କୁମ୍ଭୀର ଓ ବିଷାକ୍ତ ସରୀସୃପଙ୍କ ଭୟ। ଦୀର୍ଘଦିନ ଧରି ଜଳବନ୍ଦୀ ହୋଇ ରହିବା ଦ୍ୱାରା ପାନୀୟ ଜଳର ସଙ୍କଟ ସହ ଗୋଖାଦ୍ୟର ଚରମ ଅଭାବ ଦେଖାଦେଇଛି। ଲୋକଙ୍କ ଘରଦ୍ୱାର ଓ ଚାଷଜମି ପାଣିରେ ବୁଡ଼ି ରହିଥିବାରୁ ବହୁ ପରିବାର ନାହିଁ ନଥିବା ଦୁଃଖକଷ୍ଟ ଭୋଗୁଛନ୍ତି। ଏଭଳି ସଙ୍କଟଜନକ ସ୍ଥିତିରେ ପ୍ରଶାସନ ତୁରନ୍ତପ୍ରର୍ଯ୍ୟପ୍ତ ରିଲିଫ୍ ସାମଗ୍ରୀ ବଂଟନ, ଶୁଦ୍ଧ ପାନୀୟ ଜଳ ଯୋଗାଣ, ସ୍ୱାସ୍ଥ୍ୟ ସେବା ଏବଂ ସରୀସୃପ-କୁମ୍ଭୀର ଦାଉରୁ ରକ୍ଷା ପାଇଁ ଆବଶ୍ୟକୀୟ ପଦକ୍ଷେପ ଗ୍ରହଣ କରିବାକୁ ଅଂଚଳବାସୀ ଦାବି କରିଛନ୍ତି।

blank

ସାମାଜିକକର୍ମୀ କୈଳାସ ସେଠୀ, ବାଙ୍କବିହାରୀ ରାଉଳ କୁହନ୍ତି ପଟ୍ଟାମୁଣ୍ଡାଇ ଅଂଚଳରେ ବ୍ରାହ୍ମଣୀ ଖରସ୍ରୋତା କାଣୀ ନଦୀର ବନ୍ୟାପାଣି କ୍ରମଶଃ ହ୍ରାସ ପାଇଥିଲେ ସୁଦ୍ଧା ଲୋକଙ୍କ ଦୁର୍ଦ୍ଦଶା କମିବାର ନାଁ ନେଉନାହିଁ। ପେଣ୍ଠପାଳ ପଂଚାୟତର କୂଳସାହି, ବାଲିକିରା, ଦାଣ୍ଡିସାହିର କେତେ ପଡା ଜଳମଗ୍ନ ହୋଇଥିବା ବେଳେ କୋଳଥିଆ ଗାଁ ଏବେବି ବାହ୍ୟ ଜଗତରୁ ବିଛିନ୍ନ ହୋଇ ରହିଛି । କୋଳଥିଆ ଗ୍ରାମର ଗୁଲୁରି ଜେନାଙ୍କ ଘର ଭାଙ୍ଗି ଯାଇଛି । ଫଳରେ ସେ ପଲିଥିନ ଘେରା ଝାଟି ମାଟି ଘରେ ଜୀବନ ବିତାଉଛନ୍ତି । ଉପରୁ ବର୍ଷା ପାଣି ଗଳୁଥିବା ବେଳେ ତଳେ ବନ୍ୟା ପାଣି ସରୀସୃପ ଘରଭିତରକୁ ପସି ଆସୁଛନ୍ତି । ପରିବାର ସଦସ୍ୟ ୭ ଜଣ ବାଉଁଶ ଆଗଡ଼ ଉପରେ ଦିନ ରାତି କାଟୁଛନ୍ତି । ସେହିପରି ଭାରତୀ ଜେନା, ଟୁକୁନା ଜେନା, ପର୍ଶୁ ଜେନା ଭଳି ଅନେକ ପରିବାର ରହିଛନ୍ତି । ସେମାନଙ୍କ ମଧ୍ୟରୁ ଅନେକ ମଜୁରି ଶ୍ରେଣୀର ଲୋକ ହୋଇଥିବା ବେଳେ କାମ ଧନ୍ଦାକୁ ଯାଇନପାରି ଦିନେ ଖାଇଲେ ଦିନେ ଉପାସରେ ରହୁଛନ୍ତି ବୋଲି ସେ କହିଛନ୍ତି ।

blank

ଅଳପୁଆ ଗ୍ରମାର ରବିନ୍ଦ୍ର ଧଳ, ନରେନ୍ଦ୍ର ଧଳ,ସିଂହଗାଁର ନିର୍ମଳ ଜେନା ପ୍ରମୁଖ କୁହନ୍ତି ବ୍ଲକର ସିଂହଗାଁ ପଂଚାୟତ ବାହ୍ୟଜଗତରୁ ବିଛିନ୍ନ ହୋଇପଡିଛି । ଅନେକ ଚାଷଜମି ଜଳମଗ୍ନ ହୋଇ ପଡି ଫସଲ ନଷ୍ଟ ହୋଇଛି । ଅଳପୁଆ ପଂଚାୟତ ଗୋଜିଆକଣ, ବିଲମଳିକସାହି, ବେହେରାସାହି, ମିଶ୍ରବାଗ ଶାସନ ସେଠୀସାହି, ଜେନାସାହି, ପାହାନ୍ତାସିଂହସାହି ଜଳମଗ୍ନରେ ରହିଛି । ଏହିସବୁ ଗ୍ରାମର ରାଧେଶ୍ୟାମ ଜେନା, ଆନନ୍ଦ ମଲିକ, ଅନାଦି ଧଳ, ରାମାକାନ୍ତ ଧଳ, ହାସିନା ସେଠୀ, ସସ୍ମିତା ସେଠୀ, ଜାନକୀ ସେଠୀ ପ୍ରମୁଖଙ୍କ ଘରରେ ପାଣି ପସି ଭାଙ୍ଗିରୁଜି ଭାସି ଯାଇଥିବାରୁ ପାଲ ତଣି ବହୁ ଦହନୀୟ ଅବସ୍ଥାରେ କାଳାତିପାତ କରୁଛନ୍ତି । ତରଡ଼ିପାଳ,ଅଣ୍ଢରା, ଅମୃତମଣୋହ. ବଲୁରିଆ ପଂଚାୟତର ବହୁ ଗରୁୃିବାପାରିବାର ସର୍ବସାନ୍ତ ହୋଇପଡିଥିବା ବେଳେ କାମଧନ୍ଦାକୁ ଯାଇ ନପାରି ଭୋକଉପାସରେ ରହୁଛନ୍ତି ।

blank

 

https://www.facebook.com/share/v/192MoRxLCp/

 

ବୁଦ୍ଧିଜିବୀ ରବିନ୍ଦ୍ର ବିଶ୍ୱାଳ କୁହନ୍ତି ବନ୍ୟାପାଣି ଗ୍ରାମାଂଚଳର ରାସ୍ତାଘାଟରେ ଏବେ ବି ଆଣ୍ଠୁଏ ଆଣ୍ଠୁଏ ପାଣି ଜମି ରହିଛି। ନିତ୍ୟବ୍ୟବହାର୍ଯ୍ୟ ସାମଗ୍ରୀ, ଔଷଧ ଓ ପାନୀୟ ଜଳ ସଂଗ୍ରହ କରିବା ପାଇଁ ଲୋକଙ୍କୁ ବାଧ୍ୟ ହୋଇ ଏହି ଆଣ୍ଠୁଏ ପାଣିରେ ଚାଲି ଚାଲି ଯିବାକୁ ପଡ଼ୁଛି। ବିଷାକ୍ତ ସରୀସୃପ ସହ କୁମ୍ଭୀରମାନେ ଆସିଯାଉଥିବା ନେଇ ଲୋକଙ୍କ ମନରେ ପ୍ରବଳ ଆତଙ୍କ ସୃଷ୍ଟି ହୋଇଛି। ନିକଟରେ ଅଳପୁଆରେ କୁମ୍ଭୀର ଆକ୍ରମଣ ଘଟଣାରେ ଜଣେ ମହିଳା ମୃତ୍ୟୁ ଘଟିଥିଲା । ଆଣ୍ଠୁଏ ପାଣିରେ ଚାଲିବା ବେଳେ କେତେବେଳେ କେଉଁଠି ସରୀସୃପ କିମ୍ବା କୁମ୍ଭୀରର ଆକ୍ରମଣର ଶିକାର ହେବାକୁ ପଡ଼ିବ, ସେହି ଭୟରେ ଗ୍ରାମବାସୀ ନିଜର ଜୀବନକୁ ବାଜି ଲଗାଇ ଯାତାୟାତ କରୁଛନ୍ତି। ବିଶେଷ କରି ଛୋଟ ଛୋଟ ପିଲା, ବୃଦ୍ଧାବୃଦ୍ଧ ଓ ରୋଗୀମାନଙ୍କ ପାଇଁ ଏହି ପରିସ୍ଥିତି ଅତି ଅସହ୍ୟ ହୋଇପଡ଼ିଛି।

Leave a Reply

ଲୋକମତ

Breaking News

https://v3.adxpremium.services/dashboard/register-publisher

Discover more from Lokamata Odisha

Subscribe now to keep reading and get access to the full archive.

Continue reading