
ପଟ୍ଟାମୁଣ୍ଡାଇ ୨୬/୫ – ଚଳିତ ବର୍ଷ ମୌସୁମୀ ଶୀଘ୍ର ଅଗ୍ରଗତି କରିବ ବୋଲି ପାଣିପାଗ ବିଭାଗ ପକ୍ଷରୁ ଆଶା କରାଯାଇଛି। ଗତ ଶନିବାରଠାରୁ ପଟ୍ଟାମୁଣ୍ଡାଇ ଅଂଚଳରେ ଲଘୁଚାପ ପ୍ରଭାବରେ ବର୍ଷା ଆରମ୍ଭ ହୋଇଯିବା ପରେ ଚାଷୀ ତରତର ହୋଇ କ୍ଷେତକୁ ବାହାରିପଡ଼ିଛି । ୨୦୨୫ -୨୬ ଖରିଫ୍ ଚାଷ ପାଇଁ ନିଜ କ୍ଷେତରେ ଧାନ ବୁଣିବା ଓ ତଳି ପକାଇବା ପାଇଁ ଯୋଜନା ପ୍ରସ୍ତୁତ କରିଛି। ହଳ ବଳଦ ଓ ଟ୍ରାକ୍ଟର ଲଗାଇ ଜମିକୁ ହଳ କରିବା ଆରମ୍ଭ କରିଦେଇଛି । କିନ୍ତୁ ବିହନ ଅଭାବରୁ ଚାଷ କାମ ଆଗେଇ ପାରୁନି । ସଅଳ ମୌସୁମୀ ଆସୁଥିବାରୁ ଆଗକୁ ଯେମିତି ଧାନ ଚାଷ ପ୍ରଭାବିତ ନ ହେବ ସେଥିପାଇଁ ଚଷାପୁଅ ସରକାର ଯୋଗାଇ ଦେଉଥିବା ବିହନକୁ ଅପେକ୍ଷା କରିଛି । ଚାଷୀ ପାଖରେ ତାର ପାରଂପରି ଧାନ ବିହନ ଯାହା ରହିଛି ସେଥିରେ କିଛି କିଛି ଚାଷୀ ଧାନ ବୁଣାବୁଣି ଆରମ୍ଭ କରିଦେଲେଣି । ଅନ୍ୟ କିଛି ଚାଷୀ ସରକାରୀ ବିହନ ଉପରେ ନିର୍ଭର କରିଅଛନ୍ତି । ଏବେ ଓଡି଼ଶାରେ ମୌସୁମୀ ସକ୍ରିୟ ହେବାକୁ ଯାଉଥିବା ବେଳେ ଚାଷୀଙ୍କୁ ଚଳିତ ଖରିଫ ଚାଷ ସୁରୁଖୁରୁରେ କରିବା ପାଇଁ ଉପଯୁକ୍ତ ମୂଲ୍ୟରେ ବିହନ ଯୋଗାଣ କରିବା ସହ ସଠିକ୍ ସମୟରେ ସେବା ସମବାୟ ସମିତି ଜରିଆରେ ତୁରନ୍ତ ବିହନ ଯୋଗାଣ କରିବା ପାଇଁ ଜିଲା ନବ ନିର୍ମାଣ କୃଷକ ସଂଗଠନର ଜିଲା ଉପଦେଷ୍ଟା ଦାଶରଥି ସାହୁ, ଅକୃର ପଲାଇ ଦୋଳଗୋବିନ୍ଦ ସାହୁ, କୃଷକ ସଭାର ଜିଲା ସଭାପତି ବିଜୟ ଦାସ ଦାବି କରିଥିବା ବେଳେ ଚାଷୀଙ୍କୁ ମଧ୍ୟ ଖରିଫ ଧାନ ଚାଷ ଆରମ୍ଭ କରିବା ପୂର୍ବରୁ ସମବାୟ ଋଣ ତୂରନ୍ତ ପ୍ରଦାନ କରିବାକୁ ଦାବି କରିଛନ୍ତି। ଏ ଦିଗରେ କୃଷି ବିଭାଗ, ଏଆରସିଏସ ଓ ଜିଲା ପ୍ରଶାସନ ଦୃଷ୍ଟି ଦେବାକୁ ସଂଗଠନର ଦାବି ଉଠାଇଛନ୍ତି। ଚାଷୀଙ୍କୁ ଖରିଫ୍ ଚାଷ ବେଳେ ଅସୁବିଧା କଲେ ଆଗାମୀ ଦିନରେ ଆନ୍ଦୋଳନ ଜୋରଦାର କରାଯିବ ବୋଲି ନବ ନିର୍ମାଣ କୃଷକ ସଂଗଠନ ଚେତାବନୀ ଦେଇଛି। ଚଳିତ ଖରିଫ୍ ଚାଷ ପାଇଁ ପଟ୍ଟାମୁଣ୍ଡାଇ ଅଂଚଳରେ ପ୍ରାୟ ୧୧ ହଜାର ହେକ୍ଟର ଚାଷ ଜମିରେ ଧାନ ଚାଷ କରାଯିବାର ଲକ୍ଷ୍ୟ ରଖାଯାଇଛି । ଏଥିରୁ ପ୍ରାୟ ୨ହଜାର ହେକ୍ଟର ଚାଷ ଜମିରେ ଚାଷୀ ଧାନ ବିହନ ବୁଣାଯିବ । ଅବଶିଷ୍ଟ ୧ ରୁ ଦେଢ ହଜାର ହଜାର ହେକ୍ଟର ଚାଷ ଜମିରେ ଧାନ ବିହନ ତଳି ପକାଯିବ । ତଳି ଧାନ ଉଠିବା ପରେ ଏଇ କ୍ଷେତରେ ଚାଷୀ ବିହନ ରୁଆ ପୋତା କରିବ । ତେବେ ଚଳିତ ବର୍ଷ ମୌସୁମୀ ଶୀଘ୍ର ଅଗ୍ରଗତି କରିବ ବୋଲି ଆଶା କରାଯାଉଛି। ଅକ୍ଷୟ ତୃତୀୟା ପରେପରେ ଧାନ ବିହନ ଜଝାଙ୍ଗ ଫାର୍ମକୁ ଆସିଯାଇଛି । କିଛି କିଛି ଦିଆଗଲାଣି ବୋଲି କୃଷି ବିଭାଗ ପକ୍ଷରୁ ଅତିରିକ୍ତ କୃଷି ଅଧିକାରୀ ସରତ ନାୟକ କହିଛନ୍ତି ।
