
କେନ୍ଦ୍ରାପଡ଼ା ଜିଲା ମାର୍ଶାଘାଇ ଥାନା ଅନ୍ତର୍ଗତ କେନାଲ ବ୍ରିଜ୍ ନିକଟ ୫୩ ନମ୍ବର ଜାତୀୟ ରାଜପଥରେ ଏକ ଅଜଣା ଗାଡ଼ି ଧକ୍କାରେ ବିଦ୍ୟାଳୟର ଜଣେ ପ୍ରଧାନଶିକ୍ଷକଙ୍କ ମୃତ୍ୟୁ ଘଟିଛି। ପ୍ରଧାନ ଶିକ୍ଷକଙ୍କ ହେଲେ ବିଜୟ କୁମାର ଶାସ୍ତ୍ରୀ। ସେ ମହାକାଳପଡ଼ା ବ୍ଲକ ସାନଗାଁ ବଜ୍ରମହାକାଳୀ ସରକାରୀ ପ୍ରାଥମିକ ବିଦ୍ୟାଳୟର ପ୍ରଧାନଶିକ୍ଷକ କାର୍ଯ୍ୟକରି ଆସୁଥିଲେ। ତାଙ୍କର ଘର ମହାକାଳପଡା ବ୍ଲକ ଅନ୍ତର୍ଗତ ଆଶ୍ରମ ବାଲିକୁଦା ଗ୍ରାମରେ। ସ୍ୱାଧୀନତା ଦିବସ ପାଇଁ ସକାଳୁ ସକାଳୁ ବିଦ୍ୟାଳୟକୁ ଏକ ବାଇକ୍ ଯୋଗେ ଯାଉଥିବା ବେଳେ ଅଜଣା ଗାଡ଼ି ତାଙ୍କୁ ଧକ୍କା ଦେଇଥିଲା। ଖବରପାଇ ମାର୍ଶାଘାଇ ପୋଲିସ ଘଟଣାସ୍ଥଳରେ ପହଞ୍ଚି ଆମ୍ବୁଲାନ୍ସ ଯୋଗେ ତାଙ୍କୁ କେନ୍ଦ୍ରାପଡ଼ା ଜିଲା ମୁଖ୍ୟ ଚିକିତ୍ସାଳୟକୁ ପଠାଇଥିଲା। ଡାକ୍ତର ସେଠାରେ ତାଙ୍କୁ ମୃତ ଘୋଷଣା କରିଥିଲେ। ଘଟଣାଟି ବିଦ୍ୟାଳୟ ସମେତ ଆଶ୍ରମ ବାଲିକୁଦା ଗ୍ରାମରେ ଶୋକରେ ଛାୟା ଖେଳାଇ ଦେଇଛି।
