
କେନ୍ଦ୍ରାପଡା,୨ା୩: କେନ୍ଦ୍ରାପଡା ସ୍ୱୟଂଶାସିତ ମହାବିଦ୍ୟାଳୟରେ ଶୁକ୍ରବାର ସେବା ନିବୃତ ନେବାକୁ ଥିବା ଶିକ୍ଷା ବିଭାଗର ବରିଷ୍ଠ ପ୍ରାଧ୍ୟାପକ ଡଃ ପ୍ରଭାକର ମଲ୍ଲିକଙ୍କ ଉଦ୍ଦେଶ୍ୟରେ ଏକ ଅବସରକାଳୀନ ସମ୍ବର୍ଦ୍ଧନା ଉତ୍ସବ ଅନୁଷ୍ଠିତ ହୋଇଯାଇଛି । ଉକ୍ତ ଉତ୍ସବରେ ଷ୍ଟାଫ୍ ଆସୋସିଏସନ୍ର ସଭାପତି ଡଃ ରତ୍ନମଞ୍ଜରି ଦାଶ ସଭାପତିତ୍ୱ କରି ସ୍ୱାଗତ ଅଭିଭାଷଣ ରଖିଥିଲେ । ମହାବିଦ୍ୟାଳୟର ଅଧ୍ୟକ୍ଷ ପ୍ରଫେସର ଅଭିଜିତ୍ ବୋଷ ମୁଖ୍ୟ ଅତିଥି ଭାବରେ ଯୋଗଦେଇ ଉପଢୌକନ ଓ ମାନପତ୍ର ପ୍ରଦାନ କରି ଡଃ ମଲ୍ଲିକଙ୍କୁ ସମ୍ବର୍ଦ୍ଧିତ କରିବା ସଙ୍ଗେ ସଙ୍ଗେ ବକ୍ତବ୍ୟରେ କହିଥିଲେ ଡଃ ମଲ୍ଲିକଙ୍କର ସେବା ନିବୃତ ଅନୁଷ୍ଠାନ ପାଇଁ ଏକ ବୃହତ୍ ଶୂନ୍ୟସ୍ଥାନ ସୃଷ୍ଟି କରିବ । ଯାହା ସହଜରେ ପୂରଣ କରାଯାଇ ପାରିବନାହିଁ । ଡଃ ମଲ୍ଲିକ ଏକାଧାରାରେ ଜଣେ ସଫଳ ଶିକ୍ଷକ, କର୍ତ୍ତବ୍ୟ ନିଷ୍ଠ, ସୁସଂଯୋଜକ ଓ ଦାୟିତ୍ୱବାନ୍ ବ୍ୟକ୍ତି ଥିଲେ ବୋଲି କହିବା ସଙ୍ଗେ ସଙ୍ଗେ ଶିକ୍ଷକ କେବେ ଶିକ୍ଷାଦାନରୁ ଅବସର ନେଇପାରିବେ ନାହିଁ ବୋଲି ଅଭିହିତ କରିଥିଲେ ଏବଂ ଯେଉଁ ସମୟରେ ଅନୁଷ୍ଠାନ ଡଃ ମଲ୍ଲିକଙ୍କର ସହାୟତା ଆବଶ୍ୟକ କରିବ ସେ ବିନା ଦ୍ୱିଧାରେ ସହଯୋଗ ଦେବାକୁ କୁଣ୍ଠାବୋଧ କରିବେ ନାହିଁ ବୋଲି ଆଶା ପ୍ରକାଶ କରିଥିଲେ । ଅନ୍ୟତମ ବରିଷ୍ଠ ପ୍ରାଧ୍ୟାପକ ଡଃ ଜ୍ଞାନିନ୍ଦ୍ର ଦାଶ ଏବଂ ଅନ୍ୟ ଅଧ୍ୟାପକ, ଅଧ୍ୟାପିକା ଓ କର୍ମଚାରୀମାନେ ଡଃ ମଲ୍ଲିକଙ୍କର ଶିକ୍ଷାଦାନ, ଛାତ୍ରବତ୍ସଳ ଓ କାର୍ଯ୍ୟଦକ୍ଷତାର ଭୂୟସୀ ପ୍ରଶଂସା କରିବା ସହ ତାଙ୍କର ଅବସରକାଳୀନ ଜୀବନ ସୁଖ, ଶାନ୍ତି ଓ ନିରାମୟରେ ଅତିବାହିତ ହେଉ ବୋଲି ଠାକୁରଙ୍କ ପାଖରେ କାମନା କରିଥିଲେ । ଡଃ ମଲ୍ଲିକ ତାଙ୍କ ଭାବ ବିନିମୟରେ କହିଥିଲେ ଯେ ସହକର୍ମୀମାନଙ୍କର ଶ୍ରଦ୍ଧା, ଭଲପାଇବା ଏବଂ ଶୁଭେଚ୍ଛାକୁ ସେ କେବେ ଭୁଲିପାରିବେ ନାହିଁ ଏବଂ ଅନୁଷ୍ଠାନ ପାଇଁ ସେ ଚିରକୃତଜ୍ଞ ଓ ଅନୁଷ୍ଠାର ଉନ୍ନତି ପାଇଁ ସେ ସର୍ବଦା ସାହାଯ୍ୟ କରିବାକୁ ପ୍ରତିଶ୍ରୁତି ଦେଇଥିଲେ । ଏହି ଉତ୍ସବରେ ଷ୍ଟାଫ୍ ଆସୋସିଏସନର ସମ୍ପାଦକ ପ୍ରାଧ୍ୟାପକ ରଞ୍ଜିତ ଦାସ ସଭାର ଆଭିମୂଖ୍ୟ ବିଷୟରେ କହିଥିବା ବେଳେ ସହ ସମ୍ପାଦକ ଅଧ୍ୟାପକ ଡଃ ଦେବକାନ୍ତ ଷଡଙ୍ଗୀ ଧନ୍ୟବାଦ ଅର୍ପଣ କରିଥିଲେ । କ୍ୟାପ୍ଟେନ୍ ସୀମା ମହାନ୍ତି ମାନପତ୍ର ପାଠ କରିଥିଲେ ଓ ଅଧ୍ୟାପିକା ୱାଇ ପଦ୍ମାବତୀ ମଞ୍ଚ ପରିଚାଳନା କରିଥିଲେ ।
