
କେନ୍ଦ୍ରାପଡ଼ା ୩/୪- – କେନ୍ଦ୍ରାପଡ଼ା ଜିଲାରେ ଏକ ଅଭାବନୀୟ ଘଟଣା ସାମ୍ନାକୁ ଆସିଛି । ଗୁରୁବାର ପୂର୍ବାହ୍ନରୁ ନିଖୋଜ ଥିବା ଜଣେ ୭ବର୍ଷୀୟ ନାବାଳିକା ସ୍କୁଲ ଛାତ୍ରୀଙ୍କ ମୃତଦେହ ଶୁକ୍ରବାର ପୂର୍ବାହ୍ନରେ ଗ୍ରାମ ଠାରୁ କିଛି ଦୂରରେ ଥିବା ଏକ କେନାଲରୁ ପୋଲିସ ଉଦ୍ଧାର କରିଛି। କେନ୍ଦ୍ରାପଡା ଏସପି ସିଦ୍ଧାର୍ଥ କଟାରିଆ ନିଜେ ଉପସ୍ଥିତ ରହି ମାମଲାର ତଦାରଖ କରୁଥିବା ବେଳେ ଘଟଣାଟି ଅଂଚଳରେ ଚାଞ୍ଚଲ୍ୟ ଖେଳାଇଦେଇଛି।
କେନ୍ଦ୍ରାପଡ଼ା ଜିଲା ପଟ୍ଟାମୁଣ୍ଡାଇ ମାଳିପୁର ଗାଁର ମାନ ଗୋବିନ୍ଦ ସେନାପତିଙ୍କ ଝିଅ ଶୁଭଲକ୍ଷ୍ମୀ ତାଙ୍କ ମାମୁଁ ଘର ରାଜନଗର ବଡକୋହ୍ଲା ଗାଁକୁ ଯାଇଥିଲେ । ଗୁରୁବାର ସକାଳୁ ସେ ବାହାରକୁ ଯାଇ ନିଖୋଜ ହୋଇଯାଇଥିଲା। ବହୁ ଖୋଜାଖୋଜି ପରେ ତାଙ୍କର କୌଣସି ପତା ନ ମିଳିବାରୁ ପରିବାର ଲୋକେ ଥାନାରେ ଏତଲା ଦେଇଥିଲେ। ଏତଲା ପାଇବା ପରେ ଗତକାଲି ଠାରୁ ପୋଲିସ ନିଖୋଜ ନାବାଳିକା ସନ୍ଧାନରେ ଲାଗିପଡ଼ିଥିଲେ। ପୁନର୍ବାର ଆଜି ସକାଳୁ ଅଗ୍ନିଶମ ବିଭାଗ ସହ ପୋଲିସ ଅଧିକାରୀ ଗ୍ରାମ ଆଖପାଖରେ ଖୋଜାଖୋଜି କରିବା ଆରମ୍ଭ କରିଥିଲା। ଖୋଜିବା ସମୟରେ ନିକଟସ୍ଥ କେନାଲରୁ ଝିଅର ମୃତଦେହ ଉଦ୍ଧାର କରାଯାଇଥିଲା । ପରିବାର ଲୋକେ ସେହି ଗାଁର କେହି ଝିଅକୁ ହତ୍ୟା କରିଥିବା ନେଇ ସଂନ୍ଦେହ ପ୍ରକାଶ କରି ଅଭିଯୋଗ ଉଠାଇଛନ୍ତି । ଯାହାକୁ ନେଇ ପୋଲିସ ବିଭିନ୍ନ ଦିଗକୁ ନେଇ ତଦନ୍ତ ଆରମ୍ଭ କରିଛି । ପୋଷ୍ଟମର୍ଟମ ରିପୋର୍ଟ ଆସିବା ପରେ ସମସ୍ତ ତଥ୍ୟ ସାମ୍ନାକୁ ଆସିପାରିବ ବୋଲି କେନ୍ଦ୍ରାପଡ଼ା ଏସପି କଟାରିଆ କହିଛନ୍ତି । ଏନେଇ ରାଜନଗର ଥାନା ପୋଲିସ ୧୩୮/୨୦୨୬ରେ ଏକ ମାମଲା ରୁଜୁ କରିଛି ।
