
କେନ୍ଦ୍ରାପଡା ୯/୫- ସାମ୍ପ୍ରତିକ ସମୟରେ ବହୁଧା ଚାପଗ୍ରସ୍ତ ମଣିଷ ଖୁବ୍ କମ୍ ହସିବାର ଅବକାଶ ପାଇଥାଏ। ମୁଖ୍ୟସ୍ରୋତର ସାହିତ୍ୟ ଉତ୍ସବରେ ହାସ୍ୟ ବିଭଟିକୁ ପ୍ରାୟତଃ ଅଣଦେଖା କରାଯାଇଥାଏ। କର୍ମବ୍ୟସ୍ତ ମଣିଷ ପାଇଁ ହାସ୍ୟରସର ଆବଶ୍ୟକତା ସୂଚାଇବାକୁ ଯାଇ ପ୍ରତିଷ୍ଠିତ ସାରସ୍ୱତ, କଳା ଓ ସାଂସ୍କୃତିକ ଅନୁଷ୍ଠାନ କେମ୍ ଓ ସିମ୍ଫୋନି ପକ୍ଷରୁ ଏକ ଅଭିନବ ହାସ୍ୟ ସୃଜନ କାର୍ଯ୍ୟକ୍ରମ “ଚୁଟକୁଳିଆ ସଞ୍ଜ’ ଅନୁଷ୍ଠିତ ହୋଇଯାଇଛି। ବ୍ୟଙ୍ଗ କବିତା, ଗଳ୍ପ, ସଙ୍ଗୀତ ଓ ହାସ୍ୟକଥାର ଏହି ନିଆରା ସନ୍ଧ୍ୟା ଆସର ସ୍ଥାନୀୟ ମାଧପୁରଠାରେ ଅନୁଷ୍ଠିତ ହୋଇଯାଇଛି । ଅନୁଷ୍ଠାନର ମୁଖ୍ୟ ଉପଦେଷ୍ଟା ବିରଜା ରାଉତରାୟଙ୍କ ସଂଚାଳନରେ ଅନୁଷ୍ଟିତ ଏହି କାର୍ଯ୍ୟକ୍ରମରେ କେମ୍ର ସଭାପତି ଇଂ ଅକ୍ଷୟ କୁମାର ପାଣି, ସିମ୍ଫୋନି ସମ୍ପାଦକ ଡ. ବିନାୟକ ପ୍ରଧାନ, ବିଶିଷ୍ଟ ଗବେଷକ ନିରଞ୍ଜନ ମେକାପ, ବିଶିଷ୍ଟ ବ୍ୟଙ୍ଗ କବି ଅପର୍ତ୍ତି ସେଠୀ, ଅଜୟ କୁମାର ପାତ୍ର ଯୋଗ ଦେଇ କହିଲେ ବ୍ୟସ୍ତ ବହୁଳ ଜୀବନରେ ମଣିଷ ପ୍ରବଳ ଚାପଗ୍ରସ୍ତ ହୋଇ ବିଭିନ୍ନ ରୋଗ ବ୍ୟାଧିର ସମ୍ମୁଖୀନ ହେଉଛି । ଏହାକୁ ପ୍ରଶମିତ କରିବା ପାଇଁ ହସ ଓ ବ୍ୟଙ୍ଗ ସାହିତ୍ୟି ଏକ ମହୌଷଧି । ଏହି ଆସରରେ ସିମ୍ଫୋନିର ସଂଯୋଜକ କବି ସ୍ୱପ୍ନାଶୁ କୁମାର ଦାସ, ନୃସିଂହ ଚରଣ ତ୍ରିପାଠୀ, ଶ୍ରୀଧର ମହାନ୍ତି, ମନୋରଞ୍ଜନ ତ୍ରିପାଠୀ, ରଜନୀକାନ୍ତ ଦାସ, ଗୋଲାପ ରାଉତ୍, ରଞ୍ଜନ ବାଇ, ବସନ୍ତ କୁମାର ପରିଡ଼ା, ଦୀପକ ସାହୁ,ପ୍ରମୁଖ ଅତି ସୁନ୍ଦର ମନ ଲୋଭା, ମଜାଦାର କବିତା, ଗଳ୍ପ, ସଂଳାପ ପଠନ କରିଥିଲେ । କଳାକାର ମୁନା ସୁନ୍ଦର୍ ଭାବେ ବିଶିଷ୍ଟ ଗୀତିକାର ଅକ୍ଷୟ ମହାନ୍ତିଙ୍କ ହାସ୍ୟରସଭରା ସଙ୍ଗୀତ ଗାନ କରିଥିଲେ ଓ ସର୍ବଶେଷରେ ସହ ସମ୍ପାଦକ ବଂଶୀଧର ମହାନ୍ତି ଧନ୍ୟବାଦ୍ ଅର୍ପଣ କରିଥିଲେ ।
