
ଭୁବନେଶ୍ୱର- ତେଲ ସଙ୍କଟ ଦେଇ ଗତି କରୁଛି ସାରା ଦେଶ। ଓଡିଶାରେ ମଧ୍ୟ ପେଟ୍ରୋଲ ଓ ଡିଜେଲ ଅଭାବ ଉତ୍କଟ ରୂପ ନେଇଛି। ଲୋକମାନେ ନାହିଁ ନଥିବା ଅସୁବିଧା ଭୋଗିବା ସହ ଗାଡ଼ିରେ ତେଲ ପକାଇବା ପାଇଁ ଟାଙ୍କିକୁ ଟାଙ୍କି ଘୂରି ବୁଲିଛନ୍ତି। ସ୍ଥିତି ଏଭଳି ହୋଇଛି ଯେ ପେଟ୍ରୋଲ ପମ୍ପରେ ଭିଡ଼ ନିୟନ୍ତ୍ରଣ ପାଇଁ ପୋଲିସ ମୁତୟନ ହୋଇଥିବା ଦେଖିବାକୁ ମିଳିଛି।ଅନ୍ୟପକ୍ଷରେ ଆମ୍ବୁଲାନ୍ସରୁ ତେଲ ସରିଯିବାରୁ କେନ୍ଦ୍ରାପଡାର ଜଣେ ରୋଗୀ ମୃତ୍ୟୁ ଅଭିଯୋଗ ହୋଇଛି।
କଟକରୁ ଭୁବନେଶ୍ୱର ସ୍ଥାନାନ୍ତର ବେଳେ ଅଧା ବାଟରେ ଆମ୍ବୁଲାନ୍ସରୁ ସରିଗଲା ତେଲ। କାଠଯୋଡ଼ି ନଦୀ ବ୍ରିଜ ଉପରେ ହଠାତ୍ ପେଟ୍ରୋଲ ଶେଷ ହୋଇଯାଇଥିଲା। କିଛି ସମୟ ପରେ ରୋଗୀର ମୃତ୍ୟୁ ହୋଇଥିବା ପରିବାର ଲୋକେ ଅଭିଯୋଗ କରିଛନ୍ତି। ସୂଚନା ଅନୁସାରେ କେନ୍ଦ୍ରାପଡ଼ାର ଯୁବକ ବିଷ ପିଇ ଗୁରୁତର ହେବାରୁ କଟକ ଅଣାଯାଇଥିଲା। କଟକ ଏସ୍ସିବିରୁ ଭୁବନେଶ୍ୱର ସ୍ଥାନାନ୍ତର ବେଳେ ଅଘଟଣ ଘଟିଥିବା ସୂଚନା ରହିଛି। ମାତ୍ର ଘଟଣାର ପ୍ରକୃତ କାରଣ ଜଣା ପଡି ନାହିଁ।ଅନ୍ୟପଟେ ରାଜ୍ୟରେ ପେଟ୍ରୋଲ, ଡିଜେଲର ଅଭାବ ନାହିଁ ବୋଲି ଶୁକ୍ରବାର ଯୋଗାଣ ମନ୍ତ୍ରୀ କୃଷ୍ଣଚନ୍ଦ୍ର ପାତ୍ର କହିଛନ୍ତି । ଏଠାରେ ସାଧାରଣଙ୍କର ପ୍ରଶ୍ନ ଉଠୁଛି ଯଦି ରାଜ୍ୟରେ ତେଲ ଅଭାବ ନାହିଁ ତେବେ କିପରି ଅଧାରୁ ଅଧିକ ପେଟ୍ରୋଲ ପମ୍ପରେ ତାଲା ଝୁଲୁଛି। ଆଉ ଏଠାରେ କାହିଁକି ଆମ୍ବୁଲନ୍ସକୁ ମଧ୍ୟ ତେଲ ଭରିବାରେ ସୁଯୋଗ ମିଲିଲା ନାହିଁ। କଟକ କାଠଯୋଡ଼ି ନିକଟରେ ଆମ୍ବୁଲାନ୍ସରୁ ତେଲ ସରିଯିବାରୁ ରୋଗୀ ମୃତ୍ୟୁ ହୋଇଥିବା ଅଭିଯୋଗ ହୋଇଛି।
