
ପଟ୍ଟାମୁଣ୍ଡାଇ ୨୯/୧୨ – ପଟ୍ଟାମୁଣ୍ଡାଇ ଅଂଚଳର ପ୍ରସିଦ୍ଧ ଶକ୍ତି ପୀଠ ଭାବେ ପରିଚିତ ଗଙ୍ଗାରାମପୁର ପଂଚାୟତ ଲୋକନାଥପୁରସ୍ଥ ମା ଛୁଆଳିଆ ପୀଠରୁ ଗତକାଲି ରାତିରେ ହୋଇଥିବା ବଡ଼ ଧରଣର ଚୋରୀ ଘଟଣାର ପର୍ଦ୍ଧାଫାସ କରିଛି ଗ୍ରାମାଂଚଳ ଥାନା ପୋଲିସ । ଏହି ଚୋରୀ ଘଟଣାରେ ସମ୍ପୃକ୍ତ ଥିବା ସନ୍ଦେହରେ ପୋଲିସ ତେଲେଙ୍ଗାବସନ୍ତ ଗ୍ରାମର ରଂଜିତ ସେଠୀଙ୍କୁ ଗତକାଲି ଥାନାରେ ଅଟକ ରଖିଥିଲା । ପୋଲିସ ସନ୍ଦିଗ୍ଧ ରଂଜିତଙ୍କୁ ଜେରା କରିବା ପରେ ସେ ମା ଛୁଆଳିଆ ଶକ୍ତିପୀଠରୁ ମା ଙ୍କ ଅଳଙ୍କାର ଓ ଦାନବାକ୍ସ ଭାଙ୍ଗି ଟଙ୍କା ଚୋରୀ କରିଥିବା ନେଇ ମାନିଥିଲା । ପଟ୍ଟାମୁଣ୍ଡାଇ ଗ୍ରାମାଂଚଳ ଥାନା ଆଇଆଇସି ଶ୍ରୀକାନ୍ତ ବାରିକଙ୍କ ନେତୃତ୍ୱରେ ପୋଲିସ ଟିମ ଅଭିଯୁକ୍ତର ଘରେ ଚଢ଼ାଉ କରି ମା ଛୁଆ ଳିଆଙ୍କ ଚୋରୀ ଯାଇଥିବା ସମସ୍ତ ସୁନା ରୁପା ଅଳଙ୍କାର ଓ ନଗଦ ୮, ୯୮୧ ଟଙ୍କା ଜବତ କରିଥିଲା । ପୋଲିସ ଜବତ କରିଥିବା ସୁନା ରୁପା ଅଳଙ୍କାରକୁ ମା ଛୁଆଳିଆ ପୀଠ ପରିଚାଳନା କମିଟି ସଦସ୍ୟ ମାନେ ଚି଼ହ୍ନଟ କରିଥିଲେ । ପୋଲିସ ଥାନା କେଶ ନଂ ୫୩୪/୨୫ରେ ଚୋରୀ ମାମଲା ରୁଜୁ କରି ଅଭିଯୁକ୍ତ ରଂଜିତ ସେଠୀକୁ ଗିରଫ କରି ସୋମବାର କୋର୍ଟ ଚାଲାଣ କରିଛି ।
