ପଟ୍ଟାମୁଣ୍ଡାଇ କଲେଜ ସୁବର୍ଣ୍ଣ ଜୟନ୍ତି ଉତ୍ସବର ଦ୍ୱିତୀୟ ଦିବସ

ପଟ୍ଟାମୁଣ୍ଡାଇ ୨୨/୪ -ନୀତି-ନୈତିକତା ସମ୍ପନ୍ନ ଦକ୍ଷ-ଅଭିଜ୍ଞ ଶିକ୍ଷକ ବା ଅଧ୍ୟାପକ ଶିକ୍ଷାକୁ ଜୀବିକା,ବୃତି ବା ପେଶା ନ କରି ନିଶା, ବ୍ରତ ବା ଜୀବନଧର୍ମରେ ପରିଣତ କଲେ ସେମାନଙ୍କ ଭିତରେ ଜନ୍ମନିଏ ଉତ୍ସର୍ଗୀକୃତ ମନୋଭାବ, ଅଙ୍ଗୀକାରବଦ୍ଧତା ଶିକ୍ଷାପ୍ରୀତି। ଶିକ୍ଷାବୃତି ପ୍ରତି ଶ୍ରଦ୍ଧା,ପ୍ରୀତି ଅକ୍ଷୁର୍ଣ୍ଣ ରଖିପାରିଲେ ଗୁଣାତ୍ମକ ଶିକ୍ଷାର ମାନ ଆପେଆପେ ବଢ଼ିଚାଲେ । ମାତ୍ର ସବୁପ୍ରକାର ଭିତିଭୂମି ଓ ସୁବିଧା ସୁଯୋଗ ଥିଲେ ମଧ୍ୟ ଯଦି ଶିକ୍ଷକ ବା ଅଧ୍ୟାପକଙ୍କ ଭିତରେ ସମର୍ପିତ ଭାବ ଶ୍ରଦ୍ଧା-ବିଶ୍ୱାସ-ଆଗ୍ରହ ଓ କର୍ତବ୍ୟନିଷ୍ଠା ନ ରହିବ, ତେବେ ସରକାର ଯେତେ ନୀତି-ନିୟମ-ଆଇନ୍-କାନୁନ୍ ପ୍ରଣୟନ କଲେ ମଧ୍ୟ ତାହା ଫଳପ୍ରଦ ହେବନାହିଁ ବୋଲି ବୁଧବାର ପଟ୍ଟାମୁଣ୍ଡାଇ କଲେଜ ସୁବର୍ଣ୍ଣ ଜୟନ୍ତୀ ଉତ୍ସବର ଦ୍ୱୀତୀୟ ଦିବସରେ ମୁଖ୍ୟ ଅତିଥିଭାବେ ଯୋଗଦେଇ ପଟ୍ଟାମୁଣ୍ଡାଇର ପୂର୍ବତନ ବିଧାୟକ ତାପସ ଦାସ ମତ ବ୍ୟକ୍ତ କରିଛନ୍ତି ।
ପଟ୍ଟାମୁଣ୍ଡାଇ କଲେଜର ଅଧ୍ୟକ୍ଷ ପ୍ରଫେସର ଉମାକାନ୍ତ ପାତ୍ରଙ୍କ ସଭାପତିତ୍ୱରେ ଅନୁଷ୍ଠିତ ସୁବର୍ଣ୍ଣ ଜୟନ୍ତି ଉତ୍ସବର ଦ୍ୱିତୀୟ ଦିବସରେ ପୁର୍ବତନ ବିଧାୟକ ଦାସ କହିଥିଲେ ଜୋର ଜବରଦସ୍ତ ଆଇନ୍ ବଳରେ ଉଚ୍ଚଶିକ୍ଷା କ୍ଷେତ୍ରରେ ସାମୟିକ କିଛି ପରିବର୍ତନ କରାଯାଇପାରେ। ହେଲେ ତାହା ଉଚ୍ଚଶିକ୍ଷାର ବିଧିବ୍ୟବସ୍ଥାରେ ଗୁଣାତ୍ମକ ମାନବୃଦ୍ଧିର ସ୍ଥାୟୀ ସମାଧାନ ହୋଇନଥାଏ । ସଂପ୍ରତି ବହୁ ମେଧାବୀ ଛାତ୍ରୀଛାତ୍ର ଦେଶର ବହୁ ଉଚ୍ଚ ପଦପଦବୀରେ ଅଧିଷ୍ଠିତ। ସେମାନଙ୍କ ଭିତରେ ସାଧୁତା ଓ ସଚ୍ଚୋଟତା ଗୁଣ କେତେ ରହିଛି ତାକୁ ମଧ୍ୟ ବିଚାରକୁ ନେବା ଦରକାର। ଆତ୍ମସମୀକ୍ଷା ନ କରି ଅର୍ଥ,କ୍ଷମତ. ଜ୍ଞାନରେ ଅନ୍ଧ ହୋଇ ନିଜକୁ ବଡ଼ ବୋଲି ଭାବିନେବା ଫଳରେ ଜୀବନର ଦର୍ଶନ ବା ମୂଲ୍ୟବୋଧ କିଛିହେଲେ ରହୁନାହିଁ ବୋଲି ସେ କହିବା ସହିତ ଅତିତର ପଟ୍ଟାମୁଣ୍ଡାଇ କଲେଜର ଗରିମା ବିଷୟ ଗୁଣଗାନ କରିଥିଲେ । ସଂପ୍ରତି ପଟ୍ଟାମୁଣ୍ଡାଇ ଅଂଚଳ ପ୍ରାୟତ ଅବହେଳୀତ ଅବସ୍ଥାରେ ପଡିଛି । ପଟ୍ଟାମୁଣ୍ଡାଇ ନିର୍ବାଚନ ମଣ୍ଡଳୀ ଉେଛେଦ ପରେ ଶିକ୍ଷା,ସ୍ୱାସ୍ଥ୍ୟ, ଗମାନାଗମନ ବିପର୍ଯ୍ୟସ୍ଥ ହୋଇପଡିଛି । ଏହା ଏକ କୃଷି ପ୍ରଧାନ୍ୟ ଅଂଚଳ ହୋଇଥିବା ବେଳେ ଜଳସେଚନ ନିକାସ ବ୍ୟବସ୍ଥା ସମ୍ପୂର୍ଣ୍ଣ ନଷ୍ଠ ଭ୍ରଷ୍ଠ ହୋଇଗଲାଣି । ଏହାର କାରଣ ନୀତିନିଷ୍ଠ-ହୃଦୟବାନ୍ ଛାତ୍ରସମାଜ ସୃଷ୍ଟି ନ ହେଲେ ସମାଜ ଧ୍ୱଂସ ହୋଇଯିବ। ତେବେ ଗୁଣୀ ଶିକ୍ଷକର ଶିକ୍ଷାଦାନ ବଳରେ ହିଁ ଭଲ ଶିକ୍ଷକ, ପ୍ରଫେସର, ଡାକ୍ତର, ଇଞ୍ଜିନିୟର, ପ୍ରଶାସକ, ବିଚାରକ, ବିଧାୟକ ଓ ବୈଜ୍ଞାନିକ ଯେ ତିଆରି ହୋଇପାରିବେ ଏହା ଧ୍ରୁବ ସତ୍ୟ ବୋଲି ସେ କହିଥିଲେ ।
କେନ୍ଦ୍ରାପଡ଼ା ତଥା ପଟ୍ଟାମୁଣ୍ଡାଇର ପୂର୍ବତନ ବିଧାୟକ ତଥା ପୁରାତନ ଛାତ୍ର କିଶୋର ତରାଇ ମୁଖ୍ୟବକ୍ତା ଭାବେ ଯୋଗ ଦେଇ କହିଥିଲେ ଏହା ଏକ ଐତିହାସିକ ଉତ୍ସବ, ଯାହା ଶିକ୍ଷାନୁଷ୍ଠାନର ଗୌରବମୟ ଯାତ୍ରାକୁ ସ୍ମରଣ କରେ ବୋଲି କହିଥିଲେ ।ପଟ୍ଟାମୁଣ୍ଡାଇ କଲେଜ ଛାତ୍ର ସଂସଦ ପୂର୍ବତନ ସଭାପତି ତଥା ପୁରାତନ ଛାତ୍ର ସଂସଦ ସଭାପତି ରଶ୍ମି ରଞ୍ଜନ ପ୍ରଧାନ, ପୁରାତନ ଛାତ୍ର ସଂସଦ ସମ୍ପାଦକ ତଥା ପୂର୍ବତନ ବ୍ଲକ ଅଧ୍ୟକ୍ଷ ନିଶିକାନ୍ତ ପ୍ରଧାନ ସମ୍ମାନିତଅତିଥି ଭାବେ ଯୋଗ ଦେଇ ପଟ୍ଟାମୁଣ୍ଡାଇ କଲେଜର ଉତମ ଶିକ୍ଷା ବ୍ୟବସ୍ଥା ଓ ବିକାଶ ପ୍ରକ୍ରିୟାକୁ ଆଗକୁ ନେଇ ସମଗ୍ର ରାଜ୍ୟରେ ସ୍ୱତନ୍ତ୍ର ପରିଚୟ ସୃଷ୍ଟି କରିବାକୁ ପରାମର୍ଶ ଦେଇଥିଲେ । ଏହି କାର୍ଯ୍ୟକ୍ରମକୁ ଅଧ୍ୟାପିକା ଶୁଭଶ୍ରୀ ପୋଥାଳ ସଂଯୋଜନା କରିଥିବା ବେଳେ ପ୍ରାଧ୍ୟାପକ ସୁନିଲ ପ୍ରଧାନ ଅତିଥି ପରିଚୟ ପ୍ରଦାନ କରିଥିଲେ । ପ୍ରଫେସର ପାତ୍ର ସ୍ୱାଗତ ଭାଷଣ ଦେଇଥିଲେ । ଶେଷରେ ଡ ନିବେଦିତା ପ୍ରଧାନ ଧନ୍ୟବାଦ ଦେଇଥିଲେ । ଏହି ସୁବର୍ଣ୍ଣ ଜୟନ୍ତୀ ଉତ୍ସବର ଦ୍ୱିତୀୟ ଦିବସରେ ପଟ୍ଟାମୁଣ୍ଡାଇ କଲେଜର ପୂର୍ବତନ ଅଧ୍ୟାପକ ଓ ବର୍ତମାନର ଅଧ୍ୟାପିକା/ଅଧ୍ୟାପକ ବହୁ ମାନ୍ୟଗଣ୍ୟ ବ୍ୟକ୍ତି ଓ ଛାତ୍ରୀଛାତ୍ରମାନେ ଯୋଗ ଦେଇଥିଲେ । କଲେଜର ପୁରାତନ ଛାତ୍ରସଂଘ ପକ୍ଷରୁ ଆୟୋଜିତ ହୋଇଥିବା ଏହି ସମାରୋହରେ ବହୁ ପୁରାତନ ଛାତ୍ରୀଛାତ୍ର ଏକତ୍ର ହୋଇ କାର୍ଯ୍ୟକ୍ରମକୁ ସଫଳ ଭାବେ ପରିଚାଳନା କରିଥିଲେ।
