
ପଟ୍ଟାମୁଣ୍ଡାଇ ୩୦/୩- ପଟ୍ଟାମୁଣ୍ଡାଇ କଲେଜର ଜନୈକା ଛାତ୍ରୀ କଲେଜ ସାରି ଘରକୁ ଫେରୁଥିବାବେଳେ ଅଳଭା କେନାଲ ନିକଟରୁ ନିଛାଟିଆ ସ୍ଥାନରେ କେତେକ ଦୁବୃର୍ତ ତାଙ୍କୁ ଭୟଭୀତ କରି ମୋବାଇଲ ଫୋନ ସହ ୪, ୮୦୦ଟଙ୍କା ଲୁଟି ନେଇଛନ୍ତି । ଏଥିନେଇ ଛାତ୍ରୀ ପଟ୍ଟାମୁଣ୍ଡାଇ ଆଦର୍ଶ ଥାନାରେ ଅଭିଯୋଗ କରିଛନ୍ତି । ପଟ୍ଟାମୁଣ୍ଡାଇ ଆଦର୍ଶ ଥାନା ପୋଲିସ ଏହି ଘଟଣାର ତଦନ୍ତ ଆରମ୍ଭ କରିଛି ।
ପ୍ରକାଶ ଯେ ପଟ୍ଟାମୁଣ୍ଡାଇ ଗ୍ରାମାଂଚଳ ଥାନା ଅନ୍ତର୍ଗତ ଶ୍ରୀରାମପୁର ଗ୍ରାମର ସୁଶାନ୍ତ ସୂତାରଙ୍କ ଝିଅ ଶୁଭସ୍ମିତା ସୂତାର ପଟ୍ଟାମୁଣ୍ଡାଇ କଲେଜରେ +୩ ୨ୟ ବର୍ଷର ଛାତ୍ରୀ ଭାବେ ପାଠ ପଢୁଛନ୍ତି । ସେ ପ୍ରତ୍ୟେକ ଦିନ ସାଇକେଲ ଯୋଗେ କଲେଜ ସାରି ନିଜ ଘର ଶ୍ରୀରାମପୁର ଯାଇଥାନ୍ତି । ଆଜି କଲେଜ ସାରି ଶୁଭସ୍ମିତା ନିଜ ସାଙ୍ଗ ସହିତ ସାଇକେଲ ଯୋଗେ ନିଜ ଘର ଶ୍ରୀରାମପୁରକୁ ଫେରୁଥିଲେ । ଫେରିବା ବାଟରେ ପଟ୍ଟାମୁଣ୍ଡାଇ କେନାଲ ସଂଲଗ୍ନ ଅଳଭା କେନାଲ ନିକଟରେ ନିଛାଟିଆ ଥିବା ସୁଯୋଗରେ ଦୁବୃର୍ତ ଜଣଙ୍କ ଶୁଭସ୍ମିତା ଓ ତାଙ୍କ ସାଙ୍ଗକୁ ଭୟଭୀତ କରି ଜୋରଜବରଦସ୍ତ ଶୁଭସ୍ମିତାଙ୍କ ମୋବାଇଲ ଛଡାଇ ନେଇ ବାଇକ ଯୋଗେ ଫେରାର ହୋଇଯାଇଥିଲା । ମୋବାଇଲ କଭର ମଧ୍ୟରେ ଥିବା ୪, ୮୦୦ଟଙ୍କା ମଧ୍ୟ ଲୁଟ ହୋଇଛି । ଏ ସମ୍ପର୍କରେ ପଟ୍ଟାମୁଣ୍ଡାଇ କଲେଜ ଛାତ୍ରୀ ଶୁଭସ୍ମିତା ପଟ୍ଟାମୁଣ୍ଡାଇ ଆଦର୍ଶ ଥାନାରେ ଲିଖିତ ଏତଲା ଦେଇଛନ୍ତି । ପଟ୍ଟାମୁଣ୍ଡାଇ ଆଦର୍ଶ ଥାନା ପୋଲିସ ଏହି ଘଟଣାର ତଦନ୍ତ ଆରମ୍ଭ କରିଛି । ଏହି ଘଟଣା ପଟ୍ଟାମୁଣ୍ଡାଇ କଲେଜ ଓ ମହିଳା କଲେଜ ଛାତ୍ରୀଛାତ୍ରଙ୍କ ମଧ୍ୟରେ ଆଲୋଡନ ସୃଷ୍ଟି କରିଛି ।
