
ପଟ୍ଟାମୁଣ୍ଡାଇ ୨୭/୯ – ଅଲୌକିକ ଭାବେ ମୃତ୍ୟୁ ମୁଖରୁ ବର୍ତିଗଲେ ଜଣେ ୮୦ ବର୍ଷୀୟା ବୃଦ୍ଧା। ନଦୀର ପ୍ରଖର ସ୍ରୋତରେ ଦୀର୍ଘ ବାଟ ଭାସିଯିବା ପରେ ବି ପାଣିରେ ଜୀବନ ସହ ସଂଗ୍ରାମ କରି ଶେଷରେ ସୁରକ୍ଷିତ ଭାବେ ଉଦ୍ଧାର ହୋଇଛନ୍ତି। ଏଭଳି ଏକ ଚାଂଚଲ୍ୟକର ତଥା ଆଶ୍ଚର୍ଯ୍ୟଜନକ ଘଟଣା ପଟ୍ଟାମୁଣ୍ଡାଇ ଅଂଚଳରେ ଚର୍ଚ୍ଚାର ବିଷୟ ପାଲଟିଛି।

ସୂଚନା ଅନୁଯାଇ, ଯାଜପୁର ଜିଲା ପଳାଖଣ୍ଡ ଗ୍ରାମର ୮୦ ବର୍ଷୀୟା ବୃଦ୍ଧା କେଶି ଦଳେଇ ନିତ୍ୟକର୍ମ ସାରିବା ପାଇଁ ନିକଟସ୍ଥ ନଦୀକୂଳକୁ ଯାଇଥିଲେ। ତେବେ ଶୌଚ ହେଉଥିବା ସମୟରେ ଅସାବଧାନତା ବଶତଃ ତାଙ୍କ ଗୋଡ଼ ଖସିଯାଇଥିଲା। ସେତିକିବେଳେ ବ୍ରାହ୍ମଣୀନଦୀରେ ପ୍ରବଳ ସ୍ରୋତ ଥିବାରୁ ବୃଦ୍ଧା ଜଣକ ନିଜକୁ ସମ୍ଭାଳି ନପାରି ପାଣିରେ ଭାସିଯାଇଥିଲେ। ବୟସାଧିକ୍ୟ ସତ୍ୱେ ସେ ଭାସୁଥିବା ଅବସ୍ଥାରେ ଜୀବନ ବଂଚାଇବାକୁ ଆପ୍ରାଣ ଚେଷ୍ଟା କରିଥିଲେ। ଭାସି ଭାସି ସେ ଯାଜପୁର ସୀମା ପାର ହୋଇ କେନ୍ଦ୍ରାପଡ଼ା ଜିଲା ପଟ୍ଟାମୁଣ୍ଡାଇ ଆଦର୍ଶ ଥାନା ଅନ୍ତର୍ଗତ ବାଲିପାଟଣା ଗ୍ରାମ ନିକଟସ୍ଥ ବ୍ରାହ୍ମଣୀ ନଦୀକୂଳରେ ଆସି ଲାଗିଥିଲେ। ସ୍ଥାନୀୟ ବାଲିପାଟଣା ଗ୍ରାମର କିଛି ଯୁବକ ବୃଦ୍ଧା ଜଣଙ୍କୁ ପାଣିରେ ଭାସୁଥିବାର ଦେଖିବାକୁ ପାଇଥିଲେ। ସେମାନେ ବିନା ବିଳମ୍ବରେ ତୁରନ୍ତ ନଦୀ ଭିତରକୁ ଡେଇଁ ବୃଦ୍ଧାଙ୍କୁ ସୁରକ୍ଷିତ ଭାବେ ଉଦ୍ଧାର କରିଥିଲେ।ଉଦ୍ଧାର ପରେ ବୃଦ୍ଧାଙ୍କ ଶରୀର ଅତ୍ୟନ୍ତ ଦୁର୍ବଳ ହୋଇପଡ଼ିଥିବାରୁ ଗ୍ରାମବାସୀଙ୍କ ସହାୟତାରେ ତାଙ୍କୁ ସଙ୍ଗେ ସଙ୍ଗେ ପଟ୍ଟାମୁଣ୍ଡାଇ ଉପଖଣ୍ଡ ଚିକିତ୍ସାଳୟରେ ଭର୍ତି କରାଯାଇଥିଲା। ସେଠାରେ ଡାକ୍ତରୀ ଦଳ ତାଙ୍କର ପ୍ରାଥମିକ ଚିକିତ୍ସା କରିଥିଲେ। ଚିକିତ୍ସା ପରେ ବୃଦ୍ଧା କେଶି ଦଳେଇ ସମ୍ପୂର୍ଣ୍ଣ ସୁସ୍ଥ ଥିବା ଡାକ୍ତର ପ୍ରକାଶ କରିଛନ୍ତି। ବାଲିପାଟଣା ଗ୍ରାମବାସୀଙ୍କ ସମୟୋଚିତ ପଦକ୍ଷେପ ଓ ସାହସିକତା ଯୋଗୁଁ ଆଜି ଜଣେ ବୃଦ୍ଧାଙ୍କ ଜୀବନ ବଂଚିପାରିଛି।
