କେନ୍ଦ୍ରାପଡା ଜିଲ୍ଲା ପ୍ରଶାସନ ପକ୍ଷରୁ ମୁଖ୍ୟମନ୍ତ୍ରୀ କନ୍ୟା ବିବାହ ଯୋଜନାରେ ଜିଲ୍ଲାର ୩୩କନ୍ୟାଙ୍କ ସାମୁହିକ ବିବାହ ଅନୁଷ୍ଠିତ

blank
କେନ୍ଦ୍ରାପଡ଼ା,୨୧ା୪:ସାମାଜିକ ସୁରକ୍ଷା, ନାରୀ ସଶକ୍ତିକରଣ ଓ ଲିଙ୍ଗଗତ ସମାନତାକୁ ଆଗେଇ ନେବା ପାଇଁ ଓଡିଶା ସରକାରଙ୍କ ପକ୍ଷରୁ ଆରମ୍ଭ ହୋଇଥିବା ‘ମୁଖ୍ୟମନ୍ତ୍ରୀ କନ୍ୟା ବିବାହ ଯୋଜନା’ ଅଧିନରେ ଆଜି କେନ୍ଦ୍ରାପଡ଼ା ଜିଲ୍ଲାରେ ଏକ ଜିଲ୍ଲାସ୍ତରୀୟ ସାମୁହିକ ବିବାହ ଆୟୋଜିତ ହୋଇଛି। କେନ୍ଦ୍ରାପଡ଼ା ସହରସ୍ଥିତ ସାନ୍ତସାହି ଶ୍ରୀବଳଦେବଜୀଉ କଲ୍ୟାଣ ମଣ୍ଡପରେ ଆୟୋଜିତ ଏହି ଉତ୍ସବରେ ମୋଟ ୩୩ ଜଣ କନ୍ୟାଙ୍କ ସାମୂହିକ ବିବାହ ଶୃଙ୍ଖଳା ଓ ପାରମ୍ପରିକ ରୀତିନୀତି ଅନୁଯାୟୀ ସଫଳତାର ସହିତ ସମ୍ପନ୍ନ ହୋଇଛି। ଏଠାରେ ଉଲ୍ଲେଖନୀୟ ଯେ ଏହି ୩୩ ଜଣ କନ୍ୟାଙ୍କ ମଧ୍ୟରୁ ୨ ଜଣ ଇସଲାମ ଧର୍ମାବଲମ୍ବୀ ହୋଇଥିବାରୁ ସମାଜର ସମାନତା, ସାମ୍ପ୍ରଦାୟିକ ସମ୍ମିଳନ ଓ ସାମାଜିକ ସଂହତିର ଏକ ସୁନ୍ଦର ଉଦାହରଣ ପ୍ରତିଷ୍ଠିତ ହୋଇଛି। ଏହି ଅବସରରେ କେନ୍ଦ୍ରାପଡ଼ା ଜିଲ୍ଲାପାଳ ରଘୁରାମ ଆର. ଆୟର ଓ ଅତିରିକ୍ତ ଜିଲ୍ଲାପାଳ ନବକ୍ରିଷ୍ଣ ଜେନା ନିଜେ ଦୁଇ ଜଣ କନ୍ୟାଙ୍କ ବାପାର ଭୂମିକା ଗ୍ରହଣ କରି କନ୍ୟାଦାନ କରିଥିବାରୁ ସମାଜ ପାଇଁ ଏକ ଉତ୍କୃଷ୍ଟ ଓ ପ୍ରେରଣାଦାୟକ ଦୃଷ୍ଟାନ୍ତ ସୃଷ୍ଟି ହୋଇଛି। ଏହି ଯୋଜନାର ମୂଳ ମନ୍ତ୍ର “ସମ୍ମାନ ସହ ବିବାହ, ସୁରକ୍ଷିତ ଭବିଷ୍ୟତ”କୁ ସାର୍ଥକ କରିବା ସହିତ ଏହା ଅର୍ଥନୈତିକ ଭାବେ ଦୁର୍ବଳ ପରିବାରମାନଙ୍କୁ ସହାୟତା ଯୋଗାଇ ନାରୀଙ୍କ ସମ୍ମାନ, ସୁରକ୍ଷା ଓ ସମାନ ଅଧିକାରକୁ ସୁନିଶ୍ଚିତ କରୁଛି।ରାଜ୍ୟସ୍ତରରେ ଆଜି କେନ୍ଦ୍ରାପଡ଼ା ସହିତ ମୋଟ ୨୭ଟି ଜିଲ୍ଲାରେ ୧,୦୦୦ ରୁ ଅଧିକ କନ୍ୟାଙ୍କ ସାମୁହିକ ବିବାହ ସଫଳତାର ସହ ଆୟୋଜିତ ହୋଇଥିବା ସୂଚନା ମିଳିଛି। ଆଜିର ଏହି କାର୍ଯ୍ୟକ୍ରମରେ କେନ୍ଦ୍ରାପଡ଼ାର ବିଧାୟକ ଗଣେଶ୍ୱର ବେହେରା, ଜିଲ୍ଲା ପରିଷଦ ସଭାପତି ଲିଲିତା ଦାସ, କେନ୍ଦ୍ରାପଡ଼ା ପୈାରପରିଷଦ ଅଧ୍ୟକ୍ଷା ସରିତା ସାହୁ, ପୂର୍ବତନ ସାଂସଦ ଅର୍ଚ୍ଚନା ନାୟକ, ପୂର୍ବତନ ଡେରାବିଶ ବ୍ଲକ ଅଧ୍ୟକ୍ଷ ସରୋଜ ସାହୁ, ଜିଲ୍ଲା ପରିଷଦ ମୁଖ୍ୟ ଉନ୍ନୟନ ତଥା ନିର୍ବାହୀ ଅଧିକାରୀ ଅଜାମ୍ବର ମହାନ୍ତି, ଜିଲ୍ଲା ସମାଜ ମଙ୍ଗଳ ଅଧିକାରୀ ସୁଷମା ମହାନ୍ତି, ଅର୍ବାନ ବ୍ୟାଙ୍କ ସିଇଓ ଭାଗ୍ୟଲକ୍ଷ୍ମୀ ପଣ୍ଡାଙ୍କ ସମେତ ଅନ୍ୟାନ୍ୟ ମାନ୍ୟଗଣ୍ୟ ବ୍ୟକ୍ତିବର୍ଗ, ବିଭିନ୍ନ ବିଭାଗର ଅଧିକାରୀ, ସ୍ଥାନୀୟ ପ୍ରତିନିଧି ଓ ଜନସାଧାରଣ ବହୁ ସଂଖ୍ୟାରେ ଉପସ୍ଥିତ ଥିଲେ।ମୁଖ୍ୟମନ୍ତ୍ରୀ କନ୍ୟା ବିବାହ ଯୋଜନା କେବଳ ଆର୍ôଥକ ସହାୟତା ନୁହେଁ, ବରଂ ସାମାଜିକ ସୁରକ୍ଷା ଓ ନାରୀ ସଶକ୍ତୀକରଣ ଦିଗରେ ରାଜ୍ୟ ସରକାରଙ୍କ ଏକ ଐତିହାସିକ ପଦକ୍ଷେପ। ଏହି ଯୋଜନା ବାଲ୍ୟ ବିବାହ ଓ ଯୌତୁକ ପ୍ରଥାକୁ ରୋକିବା ସହିତ ସମାଜକୁ ସ୍ପଷ୍ଟ ବାର୍ତ୍ତା ଦେଉଛି ଯେ ଝିଅମାନେ ପରିବାର ପାଇଁ ବୋଝ ନୁହନ୍ତି। ସେମାନେ ଆମ ପରିବାର ପାଇଁ ଆଶୀର୍ବାଦ। ଏହି ଯୋଜନା ଅଧିନରେ ପ୍ରତ୍ୟେକ ଯୋଗ୍ୟ କନ୍ୟାଙ୍କୁ ମୋଟ ୬୦,୦୦୦ ଟଙ୍କା ସହାୟତା ପ୍ରଦାନ କରାଯାଉଛି। ସେଥିରୁ ୪୫,୦୦୦ ସିଧାସଳଖ କନ୍ୟାଙ୍କ ବ୍ୟାଙ୍କ ଖାତାକୁ ଜମା ହେଉଥିବା ବେଳେ ବାକି ୧୫,୦୦୦ ବିବାହ ସମ୍ପାଦନ ଖର୍ଚ୍ଚ ପାଇଁ ବ୍ୟୟ କରାଯାଉଛି। ଯୋଗ୍ୟତା ଅନୁଯାୟୀ କନ୍ୟାଙ୍କ ବୟସ ୧୮ ରୁ ୩୫ ବର୍ଷ ଓ ବରଙ୍କ ବୟସ ୨୧ ରୁ ୩୫ ବର୍ଷ ମଧ୍ୟରେ ହେବା ଆବଶ୍ୟକ। ବିଧବା ପୁନଃବିବାହ, ଅନୁସୂଚିତ ଜାତି, ଜନଜାତି ଓ ଦିବ୍ୟାଙ୍ଗ ଦମ୍ପତ୍ତିଙ୍କୁ ପ୍ରାଥମିକତା ଦିଆଯାଉଛି। ସାମୁହିକ ବିବାହ କାର୍ଯ୍ୟକ୍ରମରେ ଅର୍ବାନ ବ୍ୟାଙ୍କ ପକ୍ଷରୁ ସମସ୍ତ ଦମ୍ପତିଙ୍କୁ କିଟ ପ୍ରଦାନ କରାଯାଇଥିଲା। ଆଜିର କାର୍ଯ୍ୟକ୍ରମରେ ସମସ୍ତ ବିବାହ ବୈଧ ପଞ୍ଜିକରଣ ମାଧ୍ୟମରେ ସମ୍ପନ୍ନ ହୋଇଛି। ଜିଲ୍ଲା ପ୍ରଶାସନ, ମହିଳା ଓ ଶିଶୁ ବିକାଶ ବିଭାଗ ଏବଂ ସ୍ଥାନୀୟ ସ୍ୱେଚ୍ଛାସେବୀ ସଂଗଠନମାନଙ୍କ ସମନ୍ୱିତ ପ୍ରୟାସରେ ସମସ୍ତ ବ୍ୟବସ୍ଥା ସୁଚାରୁ ଭାବେ କରାଯାଇଥିଲା। ଆଗାମୀ ଦିନରେ ଜିଲ୍ଲାର ବିଭିନ୍ନ ବ୍ଲକରେ ଏପରି ସାମୁହିକ ବିବାହ ଆୟୋଜନ କରାଯିବା ସହିତ ଯୋଗ୍ୟ ହିତାଧିକାରୀମାନଙ୍କୁ ଯୋଜନାର ସମ୍ପୂର୍ଣ୍ଣ ଲାଭ ପହଞ୍ଚାଇବା ପାଇଁ ଜିଲ୍ଲା ପ୍ରଶାସନ ସର୍ବଦା ପ୍ରସ୍ତୁତ ରହିଛି।

Next Post

ଟିଉସନ୍‌ ବାହାନାରେ ନାବାଳିକାଙ୍କୁ ଅସଦାଚରଣ ଅଭିଯୋଗ, ଅଭିଯୁକ୍ତ ଶିକ୍ଷକ ଗିରଫ

Wed Apr 22 , 2026
କେନ୍ଦ୍ରାପଡ଼ା ଜିଲ୍ଲା କୁଦାନଗରୀ ଥାନା ଅଞ୍ଚଳରୁ ଏକ ଲଜ୍ଜାଜନକ ଘଟଣା ସାମ୍ନାକୁ ଆସିଛି। ସ୍ଥାନୀୟ ଏକ ସରକାରୀ ସ୍କୁଲର ଶିକ୍ଷକ ଟିଉସନ୍‌ ଦେବା ବାହାନାରେ ନାବାଳିକା ଙ୍କୁ  ଅସଦାଚରଣ କରୁଥିବା ନେଇ ଥାନାରେ ଅଭିଯୋଗ ହେବା ପରେ ପୋଲିସ ତାଙ୍କୁ ଗିରଫ କରିଛି। ଘଟଣା ପ୍ରକାଶ ପାଇବା ପରେ ସମଗ୍ର ଅଞ୍ଚଳରେ ଚାଞ୍ଚଲ୍ୟ ସୃଷ୍ଟି କରିଛି। ଗିରଫ ଶିକ୍ଷକଜଣକ ବାଲେଶ୍ୱର ଜିଲାର ନିବାସୀ ଏବଂ ୨୦୨୨ ମସିହାରୁ ଏହି ସ୍କୁଲରେ […]
blank

ଲୋକମତ

Breaking News

https://v3.adxpremium.services/dashboard/register-publisher

Discover more from Lokamata Odisha

Subscribe now to keep reading and get access to the full archive.

Continue reading