ପ୍ରତି ମେଢକୁ ମିଳିବ ୫୦ ହଜାର ଟଙ୍କା: ସଂସ୍କୃତିମନ୍ତ୍ରୀ

କେନ୍ଦ୍ରାପଡ଼ା,୧୦ା୧୦:କେନ୍ଦ୍ରାପଡାର ପ୍ରସିଦ୍ଧ ଗଜଲକ୍ଷ୍ମୀ ପୂଜା ଭାଇଚାରାର ଅନନ୍ୟ ନିଦର୍ଶନ। ଏଠାରେ ସବୁ ସଂପ୍ରଦାୟର ଲୋକମାନେ ପୂଜାରେ ନିଜକୁ ସାମିଲ କରିଥାନ୍ତି। କେନ୍ଦ୍ରାପଡ଼ା ଗଜଲକ୍ଷ୍ମୀ ପୂଜାକୁ ଅଧିକ ସରସ ସୁନ୍ଦର କରିବା ପାଇଁ ପ୍ରତିମେଢ ପାଇଁ ୫୦ ହଜାର ଟଙ୍କା ସରକାରୀ ଅନୁଦାନ ପ୍ରଦାନ କରାଯିବ ବୋଲି ସଂସ୍କୃତି ମନ୍ତ୍ରୀ ସୂର୍ଯ୍ୟବଂଶୀ ସୁରଜ ମତବ୍ୟକ୍ତ କରିଛନ୍ତି। ନୂଆବସଷ୍ଟାଣ୍ଡରେ ଥାନପତି ପୂଜା କମିଟି ପକ୍ଷରୁ ଆୟୋଜିତ କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ଯୋଗଦେଇ ମନ୍ତ୍ରୀ ଶ୍ରୀ ସୂରଜ କହିଲେ କେନ୍ଦ୍ରାପଡ଼ାର ବିକାଶ ରଥ କେବେ ହେଲେ ଅଟକିବ ନାହିଁ। କେନ୍ଦ୍ରାପଡ଼ାକୁ ସବୁ କ୍ଷେତ୍ରରେ ବିକାଶ କରାଯିବ। ଶିକ୍ଷା, ସ୍ୱାସ୍ଥ୍ୟ, ପାନୀୟ ଜଳ, ଗମନାଗମନ ଓ ଶିଳ୍ପ କ୍ଷେତ୍ରରେ ବିକାଶ ହେବ। ଏହି କାର୍ଯ୍ୟକ୍ରମରେ ମହାକାଳପଡ଼ା ବିଧାୟକ ଡ. ଦୁର୍ଗାପ୍ରସନ୍ନ ନାୟକ ଯୋଗଦେଇ କହିଲେ ରାଜ୍ୟ ସରକାର କେନ୍ଦ୍ରାପଡ଼ା ଜିଲ୍ଲା ପ୍ରତି ବେଶ ସମ୍ବେଦନଶୀଳ ଅଛନ୍ତି। ତେଣୁ କେନ୍ଦ୍ରାପଡ଼ା ଜିଲ୍ଲାର ସର୍ବାଙ୍ଗ ଉନ୍ନତି ପାଇଁ ସରକାର ପ୍ରତିଶ୍ରୁତିବଦ୍ଧ। ଏହି କାର୍ଯ୍ୟକ୍ରମରେ କେନ୍ଦ୍ରାପଡ଼ା ସହରର ସମସ୍ତ ପୂଜା କମିଟିର ସଭାପତି, ସଂପାଦକମାନଙ୍କୁ ମନ୍ତ୍ରୀ ସମ୍ବର୍ଦ୍ଧିତ କରିଥିଲେ। ଅନ୍ୟମାନଙ୍କ ମଧ୍ୟରେ ବିଜେପି ଜିଲ୍ଲା ସଭାପତି ଶଶାଙ୍କଶେଖର ସେଠୀ, ପୂର୍ବତନ ଜିଲ୍ଲା ସଭାପତି କିଶୋର ପଣ୍ଡା, ରାଜନଗର ବିଜେପି ନେତା ଲଳିତ ବେହେରା, ଗୀତାଞ୍ଜଳୀ ସେଠୀ, ପ୍ରତାପ ଚନ୍ଦ୍ର ଦାସ, ଉମାକାନ୍ତ ପଟ୍ଟନାୟକ, ଆଳି ବିଜେପି ନେତା କୃଷ୍ଣ ଚନ୍ଦ୍ର ପଣ୍ଡା, ଭୂବନମୋହନ ଜେନା, ନେହେରୁ ସାହୁ ପ୍ରମୁଖ ଉପସ୍ଥିତ ଥିଲେ। ଥାନପତି କମିଟିର ସଦସ୍ୟ ମାନେ କାର୍ଯ୍ୟକ୍ରମ ପରିଚାଳନାରେ ସହଯୋଗ କରିଥିଲେ।
