
କେନ୍ଦ୍ରାପଡ଼ା,୭ା୩: ଅବସରପ୍ରାପ୍ତ କର୍ମଚାରୀ ସଙ୍ଘ ନହଙ୍ଗର ଏକ ବୈଠକ ମା’ମଙ୍ଗଳାଙ୍କ ମନ୍ଦିର ପରିସରରେ ଅନୁଷ୍ଠିତ ହୋଇଯାଇଛି। ସଙ୍ଘର ସ୍ଥାୟୀ ସଭାପତି ଆର୍ତ୍ତତ୍ରାଣ ପାତ୍ର ବୈଠକରେ ସଭାପତିତ୍ୱ କରିଥିଲେ। ସମ୍ପାଦକ ଅଭିମନ୍ୟୁ ସାହୁ ପୂର୍ବ ବୈଠକର ବିବରଣୀ ପାଠ କରିଥିଲେ। ସଙ୍ଘର ଉତ୍ତମ ପରିଚାଳନା ନିମନ୍ତେ ଉପସଭାପତି ଭାବେ ଦିବାକର ନାୟକ ଓ ସହସମ୍ପାଦକ ଭାବେ ନିକୁଞ୍ଜବିହାରୀ ପୃଷ୍ଟିଙ୍କୁ ମନୋନିତ କରାଯାଇଥିଲା। ଆଞ୍ଚଳିକ ସାମାଜିକ ସମସ୍ୟା ମଧ୍ୟରେ ଷଣ୍ଢ, ମାଙ୍କଡ ଓ ବୁଲା କୁକୁରଙ୍କ ଦୈାରାତ୍ମ୍ୟରେ ଲୋକମାନେ ଅତିଷ୍ଟ ହୋଇପଡିଛନ୍ତି। କୃଷି କ୍ଷେତ୍ରରେ ଉତ୍ପାଦନ କମିକମି ଯାଉଛି। ଗ୍ରାମାଞ୍ଚଳରେ ମାଙ୍କଡଙ୍କ ସଂଖ୍ୟା ଅଧିକ ହେବାରୁ ଚାଷୀମାନେ ବହୁ କ୍ଷତିର ଶିକାର ହେଉଛନ୍ତି। ଏପରିକି ରାସ୍ତାରେ ବାଟୋଇ ଓ ଛାତ୍ରଛାତ୍ରୀମାନେ ସ୍କୁଲକୁ ଯାଇ ପାରୁ ନାହାନ୍ତି। ଏହି ସମସ୍ୟାର ତୁରନ୍ତ ସମାଧାନ କରାଯିବାକୁ ଜିଲ୍ଲାପାଳଙ୍କୁ ନିବେଦନ କରାଯାଇଥିଲା। ବିଗତ କରୋନା ସମୟର ସରକାର ବନ୍ଦ ରଖିଥିବା ୩ଟି ମହଙ୍ଗା ଭତ୍ତାକୁ ତୁରନ୍ତ ପ୍ରଦାନ କରାଯିବାକୁ ଦାବି କରାଯାଇଥିଲା। ସଙ୍ଘର ବାର୍ଷିକ ଉତ୍ସବ ଚଳିତମାସ ୩୦ତାରିଖରେ ନହଙ୍ଗ ମା’ମଙ୍ଗଳାଙ୍କ ପୀଠରେ କରାଯିବାକୁ ନିଷ୍ପତ୍ତି ଗ୍ରହଣ କରାଯାଇଥିଲା। ଶେଷରେ ସଭାପତିଙ୍କ ଧନ୍ୟବାଦ ପ୍ରସ୍ତାବ ପରେ ସଭା ସାଙ୍ଗ କରାଯାଇଥିଲା।
