
କେନ୍ଦ୍ରାପଡ଼ା,୨୭ା୧୧:ତିନିମୁହାଣୀ ନିକଟ ଭାରତ ପେଟ୍ରୋଲ ଟାଙ୍କି ସମ୍ମୁଖରେ ଏକ ଚଳନ୍ତା କାର ଜଳି ଯାଇଛି। ହେଲେ ପେଟ୍ରୋଲ ଟାଙ୍କିକୁ ଏହା କୌଣସି କ୍ଷତି ପହଞ୍ଚାଇ ପାରିନାହିଁ। ଖବର ପାଇ ଅଗ୍ନିଶମ ବିଭାଗ ଘଟଣା ସ୍ଥଳରେ ପହଞ୍ଚିଥିଲା। କିନ୍ତୁ ଅଗ୍ନିଶମ ବିଭାଗ ଏହାକୁ ଲିଭାଇବାରେ ସକ୍ଷମ ହୋଇ ପାରିଲା ନାହିଁ। ସହରର ଏକ ପେଟ୍ରୋଲ ଟାଙ୍କିରେ ଥିବା ଅଗ୍ନି ନିର୍ବାପକ ଯନ୍ତ୍ରକୁ ବ୍ୟବହାର କରାଯାଇଥିଲା। ଏହା ନିଆଁ ଲିଭାଇବାରେ କିଛି ମାତ୍ରାରେ ସହାୟକ ହୋଇଥିଲା। ଘଟଣା ସ୍ଥଳରେ ଉପସ୍ଥିତ ଥିବା ପ୍ରତ୍ୟକ୍ଷଦର୍ଶୀ ତ୍ରିଲୋଚନ ସାହୁ କହିଛନ୍ତି କାରଟି ଆଳି ଯାଇଥିଲା। ରାତି ପ୍ରାୟ ୨ଟାରେ କେନ୍ଦ୍ରାପଡ଼ା ଫେରୁଥିଲା। କାରଟି ଛିଡା ହୋଇଥିବା ଏକ ବାଲି ଟ୍ରକ ପଛରେ ପିଟି ହୋଇ ଏଥିରେ ନିଆଁ ଲାଗି ଯାଇଥିଲା। ଭୟରେ କାର ଚାଳକ ଓ କାରରେ ଥିବା ଅନ୍ୟ ଦୁଇ ଜଣ ବ୍ୟକ୍ତି ବାହାରକୁ ପଳାଇ ଆସିଥିଲେ। ଫଳରେ କେହି ମୃତାହତ ହୋଇ ନଥିଲେ। ଖବର ପାଇ ସଦର ଥାନା ଓ ଟାଉନ୍ ଥାନା ପୋଲିସ ଓ ଦମକଳ ବାହିନୀ ଘଟଣା ସ୍ଥଳରେ ପହଞ୍ଚି ନିଆଁ ଲିଭାଇବା ପାଇଁ ଉଦ୍ୟମ କରିଥିଲେ। ରାତିରେ ପ୍ରବଳ କୁହୁଡି ହେଉଛି। ଏହାସହ ବାଲି ମାଫିଆମାନେ ବେଆଇନ୍ ବାଲି ଖାଦାନରୁ ବାଲି ଉଠାଇ ମନଇଚ୍ଛା ରାସ୍ତା କଡ଼ରେ ରଖୁଛନ୍ତି। ସକାଳ ହେଲେ ବାଲି ଗାଡିଗୁଡିକ ସେମାନଙ୍କ ଗନ୍ତବ୍ୟ ସ୍ଥଳକୁ ଯାଉଛନ୍ତି। ଏହାଦ୍ୱାରା ଦୁର୍ଘଟଣା ଘଟୁଛି ବୋଲି ସ୍ଥାନୀୟ ଲୋକେ କହିଛନ୍ତି।
