
ପଟ୍ଟାମୁଣ୍ଡାଇ ୨୨/୯ -କେନ୍ଦ୍ରାପଡ଼ା ଜିଲା ପଟ୍ଟାମୁଣ୍ଡାଇ ସହରରେ ଚାଲିଥିବା ଜବର ଦଖଲ ଉଛେଦ ଅଭିଯାନ ସୋମବାର ୩ୟ ଦିନରେ ପହଁଚିଛି । ଗତ ଶୁକ୍ରବାର ଠାରୁ ଆରମ୍ଭ ହୋଇଥିବା ଜବରଦଖଲ ଉଛେଦ ଅଭିଯାନ ରବିବାର ଛୁଟି ଦିନ ପାଇଁ ବନ୍ଦ ରହିଥିଲା । ସୋମବାର ପୂର୍ବାହ୍ନ ୧୦ଟାରୁ ଆରମ୍ଭହୋଇ ପଟ୍ଟାମୁଣ୍ଡାଇ ବିଦ୍ୟୁତ ବିଭାଗ ଅଫିସ ନିକଟରୁ ହୋଇ ଅପରାହ୍ନ ରେ ବାଳିକା ବିଦ୍ୟାଳୟ ପର୍ଯ୍ୟନ୍ତ ଜବରଦଖଲ ଅଭିଯାନ ଜାରି ରହିଥିଲ।। ଅନ୍ୟପକ୍ଷରେ ସହରର ରାସ୍ତାକଡ଼ରେ ଉଠା ପରିବା ଦୋକାନ ସଂପୂର୍ଣ୍ଣ ଭାଙ୍ଗିଯାଇଥିବାରୁ ସହରରେ ପରିବା ସଂଙ୍କଟ ଦେଖାଦେଇଛିା ଉଛେଦ ହୋଇଥିବା ଉଠା ଦୋକାନୀଙ୍କ ମଧ୍ୟରେ ଅସନ୍ତୋଷ ପ୍ରକାଶ ପାଇଛି ।
ପଟ୍ଟାମୁଣ୍ଡାଇ ପୌରପରିଷଦ ଓ ସ୍ଥାନୀୟ ପ୍ରଶାସନ ପକ୍ଷରୁ ଜବର ଦଖଲ ଉଛେଦ ଅଭିଯାନ ଜାରି ରହିଛି । ଉଠାଦୋକାନୀ ମାନଙ୍କୁ ଉପଯୁକ୍ତ ଥଇଥାନ ନକରି ଉଛେଦ କରାଯାଇଥିବାରୁ ଉଠା ଦୋକାନୀ ମାନଙ୍କ ମଧ୍ୟରେ ତୀବ୍ର ଅସନ୍ତୋଷ ପ୍ରକାଶ ପାଇଛି । ପଟ୍ଟାମୁଣ୍ଡାଇ ଉଠା ଦୋକାନୀ ସଂଘ ସଭାପତି ଗୋପୀ ବଲ୍ଲଭ ନାୟକ ଉପସଭାପତି ପ୍ରଭାତ ମଲିକ ସମ୍ପାଦକ ଗୋପୀନାଥ ତ୍ରିପାଠୀ ପ୍ରମୁଖ ପ୍ରଶାସନ ସହ ଆଲୋଚନା କରିବା ସହିତ ଏକ ଉଠାଦୋକାନୀମାନଙ୍କୁ ତୁରନ୍ତ ଥଇଥାନ ପାଇଁ ଏକ ଦାବୀପତ୍ର ପ୍ରଦାନ କରିଛନ୍ତି । ଉଛେଦ ହୋଇଥିବା ଉଠା ଦୋକାନୀଙ୍କ ଅସନ୍ତୋଷ ମଧ୍ୟରେ ସୋମବାର ପୁନଃରାୟ ଜବର ଦଖଲ ଉଛେଦ କରାଯାଇଛି । ପଟ୍ଟାମୁଣ୍ଡାଇ ବିଦ୍ୟୁତ ବିଭାଗ ଅଫିସ ନିକଟରୁ ସୋମବାର ଦିନ ୧୧ଟା ବେଳେ ଆରମ୍ଭ ହୋଇଥିବା ଜବରଦଖଲ ଅଭିଯାନ ଅପରାହ୍ନ ପର୍ଯ୍ୟନ୍ତ ଜାରି ରହିଥିଲ।। ପଟ୍ଟାମୁଣ୍ଡାଇ ବିଦ୍ୟୁତ ବିଭାଗ ଅଫିସ ଠାରୁ ପୂର୍ତ ବିଭାଗ ଅଫିସ, ସବ ଡିଭିଜନ ହସ୍ପିଟାଲ ଛକ ପର୍ଯ୍ୟନ୍ତ ଜବର ଦଖଲ ଉଛେଦ ପରେ ପ୍ରଶାସନ ପକ୍ଷରୁ ପଟ୍ଟାମୁଣ୍ଡାଇ ସହରର ବିଭିନ୍ନ ସ୍ଥାନରେ ଜବରଦଖଲ ଉଛେଦ କରାଯାଇଥିଲା । କୌଣସି ଜବରଦଖଲକାରୀକୁ କୌଣସି ପରିସ୍ଥିତିରେ ଛଡା ଯିବନାହିଁ ବୋଲି ପ୍ରଶାସନ ପକ୍ଷରୁ ସୂଚନା ଦିଆଯାଇଛି । ଏହି ଜବରଦଖଲ ଉଛେଦ ଅଭିଯାନରେ ପଟ୍ଟାମୁଣ୍ଡାଇ ଅତିରିକ୍ତ ତହସିଲଦାର ଦିଲ୍ଲୀପ ନାଏକ, ପୌର ପରିଷଦ ନିର୍ବାହୀ ଅଧିକାରୀ ରଞ୍ଜନ ଦାଶ ଓ ଆଦର୍ଶ ଥାନା ଆଇଆଇସି ବନ୍ଦନା ପାତ୍ର ପୋଲିସ ବାହିନୀ ସହିତ ସାମିଲ ହୋଇ ଜବରଦଖଲ ଉଛେଦ କରାଯାଇଥିଲ । ଅନ୍ୟପକ୍ଷରେ ପଟ୍ଟାମୁଣ୍ଡାଇ ସହରର ରାସ୍ତାକଡ଼ରେ ଉଠାଦୋକାନ କରି ପରିବା ବ୍ୟାବସାୟ କରୁଥିବା ଦୋକାନ ସଂପୂର୍ଣ୍ଣ ଭାଙ୍ଗିଯାଇଛି । ଯାହାକୁ ନେଇ ଆଜକୁ ୩/୪ ଦିନ ହେବ ପଟ୍ଟାମୁଣ୍ଡାଇ ସହରରେ ସମସ୍ତ ପରିବା ଦୋକାନ ଓ ଉଠା ପରିବା ଦୋକାନ ବନ୍ଦ କରିଛନ୍ତି । ଯାହା କ୍ଷତିଗସ୍ତ ପରିବା ବ୍ୟବସାୟୀ ଏକ ପ୍ରକାର ଧର୍ମଘଟ କଲାଭଳି ଜଣାପଡୁଛି । ଫଳରେ ସ୍ଥାନୀୟ ଅଂଚଳରେ ପରିବା ସଂକଟ ଦେଖାଦେଇଛି । ଯାହା କିଛି ପାଖ ଆଖ ବଜାରରେ ମିଳୁଛି ମାତ୍ରାଧିକ ଚଢା ଦରରେ ମିଳୁଥିବାରୁ ଖାଉଟି ମାନେ ନାହିଁନଥିବା ଅସୁବିଧାର ସମ୍ମୁଖୀନ ହେଉଛନ୍ତି । କେନ୍ଦ୍ରାପଡ଼ା ଜିଲାପାଳ ଓ ସ୍ଥାନୀୟ ପ୍ରଶାସନ ତୁରନ୍ତ ଦୃଷ୍ଟି ଦେଇ ପଟ୍ଟାମୁଣ୍ଡାଇ ସହରରୁ ପରିବା ସଂକଟ ଦୂର କରିବା ଦିଗରେ ପଦକ୍ଷେପ ନେବାକୁ ସାଧାରଣରେ ଦାବୀ ହେଉଛି ।
