
ପଟ୍ଟାମୁଣ୍ଡାଇ ୮/୯ – କେନ୍ଦ୍ରାପଡା ଜିଲା ପଟ୍ଟାମୁଣ୍ଡାଇ ବ୍ଲକ ବ୍ରାହ୍ମଣୀ ନଦୀ ବନ୍ୟା ଜଳରେ ବୁଡ଼ି ବୃଦ୍ଧଙ୍କ ମୃତ୍ୟୁ ଘଟିଛି । ମୃତକ ଜଣକ ଶ୍ରୀରାମପୁର ଗାଁର ରତ୍ନାକର ରାଉତ ( ୬୨)ବୋଲି ଜଣାପଡ଼ିଛି । ଡ଼ଙ୍ଗାରେ ପାର ହେବା ପାଇଁ ଯାଇଥିବା ବେଳେ ଭାରସାମ୍ୟ ହରାଇ ଡଙ୍ଗାରୁ ଖସି ପଡି ପାଣିରେ ପଡ଼ିଯାଇଥିଲେ । ଫଳରେ ବନ୍ୟା ସ୍ରୋତରେ ବୁଡି ଭାସି ଯାଇଥିଲେ । ସ୍ଥାନୀୟ ଲୋକମାନେ ତାଙ୍କୁ ତତ୍କାଳ ଚିକିତ୍ସା ପାଇଁ ପଟ୍ଟାମୁଣ୍ଡାଇ ସବଡିଭିଜନ ହସ୍ପିଟାଲ ଆଣିଥିଲେ । ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ । ମୃତ ପରିବାରକୁ ସହାୟତା ପାଇଁ ପଟ୍ଟାମୁଣ୍ଡାଇ ବ୍ଲକ ଅଧ୍ୟକ୍ଷ ପ୍ରଦ୍ୟୁମ୍ନ ସାମନ୍ତରାୟଙ୍କ ସମେତ ଗ୍ରାମବାସୀ ଦାବୀ କରିଛନ୍ତି । ପଟ୍ଟାମୁଣ୍ଡାଇ ଅଂଚଳରେ ଦେଖା ଦେଇଥିବା ବ୍ରାହ୍ମଣୀ ନଦୀର ୪ର୍ଥ ବନ୍ୟା ସ୍ଥିତିରେ ସୁଧାର ଆସିଛି । ସୋମବାର ସକାଳୁ ବନ୍ୟା ପାଣି ଧୀରେ ଧୀରେ କମୁଥିବା ବେଳେ ସଂନ୍ଧ୍ୟା ପାଣି ବଢୁଥିବା ଦେଖିବାକୁ ମିଳିଛି । ଅଳଭା ନିକଟରେ ସଂନ୍ଧ୍ୟା ୭ଟା ସୁଧା ସାଢେ ୧୬ ଫୁଟ ପାଣି ପ୍ରବାହିତ ହେଉଛି ।
