- ଇନଭର୍ଟର ଓ ସୋଲାର କମ୍ପାନୀକୁ ଫାଇଦା
- କମ୍ପାନୀ ଅଧିକାରୀଙ୍କ ମଧୁଚନ୍ଦ୍ରିକା ନେଇ ଚର୍ଚ୍ଚା
- ପାଠପଢ଼ାରୁ ବ୍ୟବସାୟ ସବୁ ଠପ୍,

ପଟ୍ଟାମୁଣ୍ଡାଇ ୨୪/୯- କେନ୍ଦ୍ରାପଡ଼ା ଜିଲାର ପ୍ରମୁଖ ବାଣିଜ୍ୟିକ ସହର ପଟ୍ଟାମୁଣ୍ଡାଇ ଓ ଏହାର ଆଖପାଖ ଅଂଚଳରେ ଅଘୋଷିତ ବିଦ୍ୟୁତ କାଟ ସୀମା ପାର କରିଛି। ଦିନକ ମଧ୍ୟରେ ଅନେକ ଥର ବିଦ୍ୟୁତ ସେବା ବ୍ୟାହତ ହେଉଥିବାରୁ ସାଧାରଣ ଜନଜୀବନ ସମ୍ପୂର୍ଣ୍ଣ ଅସ୍ତବ୍ୟସ୍ତ ହୋଇପଡ଼ିଛି। ଛାତ୍ରୀଛାତ୍ରଙ୍କ ପାଠପଢ଼ାଠାରୁ ଆରମ୍ଭ କରି ବ୍ୟବସାୟୀଙ୍କ ବେପାର ବାଣିଜ୍ୟ ସବୁକିଛି ଏବେ ଠପ୍ ହୋଇଯାଇଛି । ବିଶେଷ କରି ବର୍ଷାଦିନିଆ ଗୁଳୁଗୁଳି ଓ ଅସହ୍ୟ ଗରମ ମଧ୍ୟରେ ଘନ ଘନ ବିଦ୍ୟୁତ ବିଭ୍ରାଟ ଯୋଗୁଁ ଛୋଟ ଶିଶୁ, ରୋଗୀ ଓ ବୃଦ୍ଧାବୃଦ୍ଧମାନେ ନାହିଁ ନଥିବା ସମସ୍ୟା ଭୋଗୁଛନ୍ତି। ବିଦ୍ୟୁତ ସଂଯୋଗ କଟିବା ନେଇ କୌଣସି ପୂର୍ବ ସୂଚନା ଦିଆଯାଉ ନଥିବା ବେଳେ ସମସ୍ୟାର ସ୍ଥାୟୀ ସମାଧାନ ପାଇଁ ବିଦ୍ୟୁତ ବିଭାଗ ଟିପିସିଓଡିଏଲ୍ କୌଣସି ବିହିତ ପଦକ୍ଷେପ ନେଉନାହିଁ। ଏପରିକି ଅଭିଯୋଗ ପାଇଁ ଉଦ୍ଦିଷ୍ଟ ଜରୁରୀକାଳୀନ ହେଲ୍ପଲାଇନ୍ ନମ୍ବର କିମ୍ବା ସ୍ଥାନୀୟ କାର୍ଯ୍ୟାଳୟରେ ଫୋନ୍ କଲେ କେହି ଉତର ଦେଉ ନଥିବା ଗ୍ରାହକମାନେ ଅଭିଯୋଗ କରିଛନ୍ତି।
ସାମାଜିକକର୍ମୀ ପ୍ରବୀର ନାୟକ, ବିଜୟ ଦାସ କୁହନ୍ତି ସହରର ବିଭିନ୍ନ ୱାର୍ଡ ଓ ଗ୍ରାମାଂଚଳରେ ଲୋ ଭୋଲଟେଜ୍ ସହ ପାୱାର କାଟ୍ ସାଧାରଣ ଘଟଣା ପାଲଟିଛି। ବିଦ୍ୟୁତ ସମସ୍ୟାର ସ୍ଥାୟୀ ସମାଧାନ ପରିବର୍ତେ ବିଭାଗୀୟ କର୍ତୃପକ୍ଷ ଆଖିବୁଜି ବସିଛନ୍ତି। ଏହି ନିରବତା ପଛରେ ଏକ ବଡ଼ ସପ୍ଲାୟର-ଅଫିସର ମଧୁଚନ୍ଦ୍ରିକା ଥିବା ନେଇ ବୁଦ୍ଧିଜୀବୀ ମହଲରେ ଚର୍ଚ୍ଚା ଜୋର ଧରିଛି। ଇନଭର୍ଟର ଓ ବ୍ୟାଟେରୀ କମ୍ପାନୀଗୁଡ଼ିକର ବ୍ୟବସାୟ ବୃଦ୍ଧି ପାଇଁ କେନ୍ଦ୍ରାପଡ଼ାର କିଛି ଉଚ୍ଚାଧିକାରୀ ସେମାନଙ୍କଠାରୁ ମୋଟା ଅଙ୍କର ଅନୁକମ୍ପା ନେଇ ଏପରି କୃତ୍ରିମ ସଙ୍କଟ ସୃଷ୍ଟି କରୁଛନ୍ତି ବୋଲି ସାଧାରଣରେ ଅଭିଯୋଗ ହେଉଛି। ଅନ୍ୟପପକ୍ଷେ, ଟାଟା ପାୱାର ନିଜର ରୁଫଟପ୍ ସୋଲାର ସିଷ୍ଟମ ଓ ଅନ୍ୟାନ୍ୟ ପ୍ରକଳ୍ପର ବିକ୍ରି ବଢ଼ାଇବା ଲକ୍ଷ୍ୟରେ ସାଧାରଣ ଲୋକଙ୍କୁ ନିୟମିତ ବିଦ୍ୟୁତ ଯୋଗାଣରୁ ବଂଚିତ କରୁଥିବା ନେଇ ସ୍ଥାନୀୟ ଅଂଚଳରେ ଆଲୋଚନା ଜୋର ଧରିଛି।
ବୁଦ୍ଧିଜୀବୀ ରମେଶ ଦେ କୁହନ୍ତି ୨୪ ଘଂଟାରୁ ପ୍ରାୟ ୧୮ ଘଂଟ।। ଅଘୋଷିତ ବିଦ୍ୟୁତ କାଟ ହେବା ଅତ୍ୟନ୍ତ ଚିନ୍ତାଜନକ। ସନ୍ଧ୍ୟା ନୋହୁଣୁ ଗ୍ରାମାଂଚଳରୁ ସହର ଅନ୍ଧାରରେ ବୁଡ଼ି ରହୁଛି । ଯାହାଫଳରେ ଚୋରି ଓ ଅସାମାଜିକ କାର୍ଯ୍ୟକଳାପ ବୃଦ୍ଧି ପାଇବାର ଭୟ ସୃଷ୍ଟି ହୋଇଛି। ସାଧାରଣ ଲୋକଙ୍କ ସୁରକ୍ଷା ଓ ସୁବିଧା ପାଇଁ ପ୍ରଶାସନ ଏବଂ ବିଦ୍ୟୁତ ବିଭାଗ ତୁରନ୍ତ ଦୃଢ଼ ପଦକ୍ଷେପ ନେବା ଜରୁରୀ।
ଅଣୁଉଦ୍ୟେଗୀ ପ୍ରଭୂପଦ ମହାନ୍ତି କୁହନ୍ତି ଘନ ଘନ ଅଘୋଷିତ ବିଦଙ୍କ୍ୟତ କାଟ ଯୋଗୁଁ ଆମ ପରି ଅଣୁଉଦ୍ୟୋଗୀଙ୍କ ବ୍ୟବସାୟ ସମ୍ପୂର୍ଣ୍ଣ ଠପ୍ ହୋଇଯାଇଛି। ସମୟରେ କାମ ସାରି ନପାରିବାରୁ ବ୍ୟାପକ କ୍ଷତି ସହିବାକୁ ପଡ଼ୁଛି। ଡିଜେଲ, ପେଟ୍ରୋଲ ମହଙ୍ଗା ପଡ଼ୁଥିବା ବେଳେ ଜେନେରେଟର ଚଳାଇବାକୁ ମନବଳାଉନି । ହେଲେ ବିଦ୍ୟୁତ ବିଭାଗର ନିଷ୍କ୍ରିୟତା ଆମ ରୋଜଗାର ଉପରେ ଚାବୁକ ପ୍ରହାର କରିଛି। ସହେିପରି ଅଂଚଳରେ ଥିବା ମହିଳା ସ୍ୱୟଂ ସହାୟକ ଗୋଷ୍ଠିଙ୍କ ଅଣୁ ଶିଳ୍ପ, ଫୋଟୋକପି ଦୋକାନ, ୱେଲ୍ଡିଂ ଗ୍ୟାରେଜ୍ ଆଦି କାମ କରୁଥିବା ବ୍ୟବସାୟୀମାନେ ନିଜର ଦୈନନ୍ଦିନ ରୋଜଗାର ହରାଉଛନ୍ତି।
ଆଇନଜିବୀ କ୍ଷୀରୋଦ ପ୍ରଧାନ କୁହନ୍ତି ଅତୀତରେ ବିଦ୍ୟୁତ ବିଭାଗର ଭିତିଭୂମି ଦୁର୍ବଳ ଥିଲା ଏବଂ ଉପଭୋକ୍ତାଙ୍କଠାରୁ ଅପେକ୍ଷାକୃତ କମ୍ ବିଲ୍ ଆଦାୟ କରାଯାଉଥିଲା। ହେଲେ ସେତେବେଳେ ବିଦ୍ୟୁତ ସରବରାହ ପ୍ରାୟ ସବୁସମୟରେ ସ୍ୱାଭାବିକ ରହୁଥିଲା। କିନ୍ତୁ ବର୍ତମାନ ଟାଟା ପାୱାର ଦାୟିତ୍ୱ ନେବା ପରେ ନିୟମିତ ଚଢ଼ା ବିଲ୍ ଆଦାୟ କରାଯାଉଥିଲେ ସୁଦ୍ଧା ସେବା ନାମରେ ଶୂନ୍ୟ ଅନିକମ୍ପା ଦେଖାଦେଇଛି । କମ୍ପାନୀର ଏପରି ମନମୁଖୀ ଓ ଜନବିରୋଧୀ ନୀତି ଯୋଗୁଁ ସାଧାରଣ ଜନତାଙ୍କ ମଧ୍ୟରେ ତୀବ୍ର ଅସନ୍ତୋଷ ପ୍ରକାଶ ପାଇଛି। ଯଦି ଆଗାମୀ ଦିନରେ ବିଦ୍ୟୁତ ଯୋଗାଣ ସ୍ୱାଭାବିକ ନହୁଏ, ତେବେ ସ୍ଥାନୀୟ ଲୋକେ ରାଜରାସ୍ତାକୁ ଓହ୍ଲାଇବା ସହ ବ୍ୟାପକ ଆନ୍ଦୋଳନ କରିବାକୁ ଚେତାବନୀ ଦେଇଛନ୍ତି। ବିଭାଗୀୟ ଉଚ୍ଚକର୍ତୃପକ୍ଷ ଏଥିପ୍ରତି ତୁରନ୍ତ ଦୃଷ୍ଟି ଦେଇ ସମସ୍ୟାର ସମାଧାନ କରିବାକୁ ସାଧାରଣରେ ଦାବି ହୋଇଛି।
ଏନେଇ ଟିପିସିଓଡିଏଲ୍ ପଟ୍ଟାମୁଣ୍ଡାଇ ସବ୍-ଡିଭିଜନ୍ ଏସଡିଓ ସନ୍ତୋଷ କୁମାର ଖୁଣ୍ଟିଆଙ୍କୁ ପଚାରିବାରୁ ଖରାପ ପାଗ ଓ ବାରମ୍ବାର ବର୍ଷା ଯୋଗୁଁ ବିଦ୍ୟୁତ୍ ଲାଇନ୍ରେ ତ୍ରୁଟି ଦେଖାଦେଉଛି। ସୁରକ୍ଷା ଦୃଷ୍ଟିରୁ କେତେକ ସ୍ଥାନରେ ପାୱାର କଟ୍ କରାଯାଉଛି। ମରାମତି କାର୍ଯ୍ୟ ଦ୍ରୁତଗତିରେ ଚାଲିଛି ଏବଂ ଶୀଘ୍ର ସ୍ୱାଭାବିକ ବିଦ୍ୟୁତ୍ ସେବା ଯୋଗାଇ ଦିଆଯିବ।
