
ପଟ୍ଟାମୁଣ୍ଡାଇ ତା ୫/୯-ସମ୍ପ୍ରତି ବାରମ୍ବାର ଲଘୁ ଚାପଜନିତ ଲଗାଣବର୍ଷା ଓ ରେଙ୍ଗାଲି ପାଣି ଛାଡିବା ଯୋଗୁଁ ବ୍ରାହ୍ମଣୀ, ବୈତରଣୀ ଓ କାଣୀ ନଦୀରେ ବନ୍ୟା ପରିସ୍ଥିତି ସୃଷ୍ଟି ହୋଇଛି । ପଟ୍ଟାମୁଣ୍ଡାଇ ବ୍ଲକର ସବୁଠାରୁ ଦୁର୍ଗମ ଅଂଚଳ ଭାବେ ପରିଚିତ ସିଂହଗାଁ ପଂଚାୟତରେ ଚଳିତବର୍ଷର ୪ର୍ଥ ବନ୍ୟା ଜଳ ପ୍ରବେଶ କରିଛି । ପଟ୍ଟାମୁଣ୍ଡାଇ ବ୍ଲକର ଦୁର୍ଗମ ଅଂଚଳ ସିଂହଗାଁ ବାହ୍ୟଜଗତରୁ ବିଛିନ୍ନ ହୋଇ ପଡିଛି ସିଂହଗାଁ ଲୋକମାନଙ୍କ ଯାତାୟାତ ପାଇଁ ପାୱାର ବୋଟ ଯୋଗାଇ ଦେବାକୁ ଦାବୀ ହେଉଛି । ସିଂହଗାଁ ପଂଚାୟତର କୃଷ୍ଣଦାସପୁର ରାଉଳିଆଡିଆ, ପାଣିସାଉଁଳିଆ ଆଦି ଅଂଚଳରେ ବନ୍ୟା ଜଳ ପ୍ରବେଶ କରିଛିI ସେହିପରି ଅଳପୁଆ ପଂଚାୟତ ଗୋଜିଆକଣ, ବିଲମଳିକସାହି, ବେହେରାସାହି, ମିଶ୍ରବାଗ,ଶାସନ ସେଠୀସାହି, ଜେନାସାହି, ପାହାନ୍ତାସିଂହ ସାହି,ତରଡ଼ିପାଳ ପଂଚାୟତର ପୋଖରୀକୂଳ,ଗୋପାଳପୁର,ଜେନାସାହି, ବିଶ୍ୱାଳସାହି, ନାଥସାହି, ମଳିକସାହି,ଘାଗରା ଡିଆ, ପେଣ୍ଠପାଳ ପଂଚାୟତର କୂଳସାହି, କୋଳଥିଆ, ବାଲିକିରା, ଦାଣ୍ଡିସାହି,ଅଣ୍ଢରା ପଂଚାୟତର ବ୍ରହ୍ମପୁର,ବିଷ୍ଣୁପୁର, ବ୍ରାହ୍ମଣସାହି, ଦାଣ୍ଡିଉପର, ଅମୃତମଣୋହି ପଂଚାୟତର ନୂଆଡିଆ, ଜଗନ୍ନାଥପୁର, ଶାନ୍ତିପଡା, ସିଦ୍ଧବାଲି, ବଲୁରିଆ ପଂଚାୟତର ଫୁଲପାଟଣା ଆଦି ଅଂଚଳର ଶହ ଶହ ଏକର ଚାଷଜମିରେ ବନ୍ୟା ପାଣି ମାଡି ଯାଇଛି । ସେହିପରି ପଟ୍ଟାମୁଣ୍ଡାଇ ବ୍ଲକର ଶ୍ରୀରାମପୁର, ଡାମରପୁର, ନୀଳକଣ୍ଠପୁର, ବାଲିପାଟଣା, ବାଛରା, ବଳଭଦ୍ରପୁର ଶାସନ ଆଦି ପଂଚାୟତର ଚାଷ ଜମିରେ ବନ୍ୟା ଜଳ ମାଡିଯାଇଛି। ଏହାଛଡା ପଟ୍ଟାମୁଣ୍ଡାଇ ପୌରାଞ୍ଚଳର ବାଲିପଡ଼ା, କଷଣଅଣ୍ଟା, ତଳବାଲିପଡ଼ା, ସିଦ୍ଧପାଟଣା, ବଳଦେବନଗର, ତନୁପୁର, ନନ୍ଦିନୀନଗର, କାକୁଡିପଲ୍ଲୀ, ନୂଆଗାଁ ଅଳଭା, ଷଣ୍ଢପଲ୍ଲୀ ଆଦି ଅଂଚଳର ଚାଷ ଜମିରେ ବନ୍ୟା ଜଳ ପ୍ରବେଶ କରିଛି । ବ୍ରାହ୍ମଣୀରେ ବାରମ୍ବାର ବନ୍ୟା ଆସିବା ଫଳରେ ବ୍ୟାପକ ଫସଲହାନୀ ଯୋଗୁଁ ଚାଷୀଙ୍କ ମେରୁଦଣ୍ଡ ଭାଙ୍ଗି ଯାଇଛି । ପୁଣି ୪ର୍ଥ ଥର ପାଇଁ ବ୍ରାହ୍ମଣୀ ନଦୀରେ ବନ୍ୟା ଆସି ଥିବାରୁ ଧୋୟାଞ୍ଚଳ ଲୋକମାନଙ୍କ ମଧ୍ୟରେ କୁମ୍ଭୀର ଭୟ ଦେଖା ଦେଇଛି ।
