ରୋଗ ବାଣ୍ଟୁଛି ଜିଲ୍ଲା ଡାକ୍ତରଖାନାର ଡାଇରିଆ ୱାର୍ଡ , ସଫା ହେଉନି ପାଇଖନା, ଭଙ୍ଗା ବେଡରେ ରୋଗୀ

blank
କେନ୍ଦ୍ରାପଡ଼ା,୧୩ା୭ :କେନ୍ଦ୍ରାପଡ଼ା ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ ପରିସରରେ ଥିବା ଡାଇରିଆ ୱାର୍ଡ ଏବେ ରୋଗୀଙ୍କୁ ଉପଯୁକ୍ତ ଚିକିତ୍ସା ସେବା ଯୋଗାଇଦେଇ ରୋଗମୁକ୍ତ କରୁନାହିଁ ବରଂ ରୋଗୀଙ୍କ ରୋଗ ବଢାଇବାରେ ଲାଗିଛି। କାରଣ ଡାଇରିଆ ୱାର୍ଡରେ ରୋଗୀଙ୍କ ପାଇଁ ଯେଉଁ ବେଡ ପଡିଛି ସେ ବେଡର ଲୁହା ପ୍ଲେଟ ଜଅଁଙ୍କ ଖାଇ ନଷ୍ଟ ହୋଇଗଲାଣି। ସେହିପରି ପାଇଖାନା ଓ ପରିସ୍ରାଗାର ଗୁଡିକ ସଠିକ ଭାବରେ ଓ ଉପଯୁକ୍ତ ସମୟ ବ୍ୟବଧାନରେ ସଫାସୁତୁରା ହେଉନାହିଁ। ଡାଇରିଆ ରୋଗୀ ଯେଉଁ ପାଇଖାନା ବ୍ୟବହାର କରନ୍ତି ତାକୁ ନିୟମିତ ତଥା ୪ଘଣ୍ଟା ବ୍ୟବଧାନରେ ସଫା କରାଯିବା ଉଚିତ। କାରଣ ପାଇଖାନା ସଫା ନ ହେଲେ ତାହା ରୋଗୀଙ୍କୁ ସଂକ୍ରମିତ କରିବ। ଯେଉଁ ରୋଗୀମାନେ ପୂର୍ବରୁ ଥିବେ ସେମାନେ ସୁସ୍ଥ ହୋଇ ଫେରି ପାରିବେ ନାହିଁ। ସେହିପରି ଯେଉଁ ରୋଗୀମାନେ ନୂତନ ଭାବେ ଭର୍ତ୍ତି ହେବେ ସେମାନେ ଦୁର୍ଗନ୍ଧରେ ରହି ପାରିବେ ନାହିଁ। ତେଣୁ କେବଳ ଏହି ୱାର୍ଡରୁ ରୋଗ ନେଇ ଘରକୁ ଫେରିବା ସାର ହେବ ବୋଲି ରୋଗୀଙ୍କ ସଂପର୍କୀୟମାନେ ଅଭିଯୋଗ କରିଛନ୍ତି। ଭରତପୁର ଗ୍ରାମରୁ ଡାଇରିଆ ୱାର୍ଡରେ ଭର୍ତ୍ତି ହୋଇଥିବା ଚିତ୍ତରଞ୍ଜନ ଦାସ କହିଛନ୍ତି ତାଙ୍କର ଝାଡାବାନ୍ତି ହେବାରୁ ସେ ଗୁରୁବାର ହୋଇ ଏହି ୱାର୍ଡରେ ଭର୍ତ୍ତି ହୋଇଥିଲେ। କିନ୍ତୁ ବେଡଗୁଡିକରେ ପଡିଥିବା ଲୁହା ପ୍ଲେଟ ସବୁ ଜଅଁଙ୍କ ଖାଇ ଖାଇ ନଷ୍ଟ ହୋଇଗଲାଣି। ଏଥିସହ ସେହିସବୁ ବେଡ ଗୁଡିକରେ ଏତେ ମାତ୍ରାରେ ଓଡ଼ଶ ଅଛନ୍ତି ଯେ ରୋଗୀଙ୍କୁ ବେଡ୍‌ରେ ଶୁଆଇ ଦେଉ ନାହାଁନ୍ତି। ସେହିପରି ଶୌଚ ହେବା ପାଇଁ ପାଇଖାନାକୁ ଗଲେ ପାଇଖାନା ସାରା ମଳ ମୁତ୍ର ପଡିଛି। ସେସବୁକୁ ସଫା କରାଯାଉନାହିଁ। କେତେକ ରୋଗୀ ପାଇଖିନା ଚଟାଣରେ ଝାଡା କରି ଦେଇଛନ୍ତି। ହେଲେ ଡାକ୍ତରଖାନା କର୍ମଚାରୀ ସେଗୁଡିକୁ ସଫା କରୁନାହାଁନ୍ତି। ଯାହା ଫଳରେ ରୋଗୀମାନେ ଅଧିକ ଅସୁସ୍ଥ ହେଉଛନ୍ତି ବୋଲି ସେ କହିଛନ୍ତି। ସେହିପରି ଜମ୍ବୁରୁ ଆସିଥିବା ଅନ୍ୟ ଜଣେ ରୋଗୀ ସସ୍ମିତା ସ୍ୱାଇଁଙ୍କୁ ଏକ ଭଙ୍ଗା ବେଡ ପ୍ରଦାନ କରାଯାଇଛି। ସେହି ଭଙ୍ଗା ବେଡରୁ ବାହାରିଥିବା ଲୁହା ପ୍ଲେଟର ଖଣ୍ଡସବୁ ତାଙ୍କ ଦେହରେ ଫୁଟି ଯାଉଛି। ସେ ୮ ମାସର ଗର୍ଭବତୀ ଅଛନ୍ତି। ତେଣୁ ଅତ୍ୟନ୍ତ ଦୟନୀୟ ଅବସ୍ଥାରେ ରୋଗୀଙ୍କୁ ଏଠାରେ ରଖାଯାଇ ଚିକିତ୍ସା କରାଯାଉଛି ବୋଲି ସେ କହିଛନ୍ତି। ସେ କହିଛନ୍ତି ୱାର୍ଡକୁ ସଫା କରିବା ପାଇଁ ୪ ଜଣ ସଫେଇ କର୍ମଚାରୀ ନିଯୁକ୍ତି ପାଇଛନ୍ତି। କିନ୍ତୁ ସେମାନେ ଠିକ ଭାବେ ଡ୍ୟୁଟି କରୁନାହାଁନ୍ତି। ଯାହା ଫଳରେ ରୋଗୀମାନେ ବହୁ ସମସ୍ୟାର ସମ୍ମୁଖୀନ ହେଉଛନ୍ତି। ରୋଗୀମାନେ ବହୁ ଆଶା ଓ ଭରଷା ନେଇ ଦୂରଦୂରାନ୍ତରୁ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ଆସୁଛନ୍ତି। କିନ୍ତୁ ସେମାନଙ୍କୁ ଉପଯୁକ୍ତ ସୁବିଧା ସୁଯୋଗ ଏଠାରେ ମିଳୁନାହିଁ। ଏପରିକି ଡାକ୍ତରଖାନାରେ ମାଗଣା ଔଷଧ ମିଳିବାର ବ୍ୟବସ୍ଥା ସରକାର କରିଥିବା ବେଳେ ଏହି ଔଷଧ କିନ୍ତୁ ଅନେକ ସମୟରେ ଡାକ୍ତରଖାନାରେ ମିଳୁନାହିଁ। ତେଣୁ ରୋଗୀଙ୍କ ସଂପର୍କୀୟମାନେ ବାଧ୍ୟହୋଇ ବାହାରୁ ଔଷଧ କିଣି ଖର୍ଚ୍ଚାନ୍ତ ହେଉଛନ୍ତି। ସେହିପରି ରୋଗୀମାନେ କିପରି ଏଠାକୁ ନ ଆସିବେ ସେ ନେଇ କର୍ମଚାରୀମାନେ ବ୍ୟବସ୍ଥା କରୁଛନ୍ତି। ଜାଣିଶୁଣି ରୋଗୀଙ୍କୁ ହଇରାଣ ହରକତ କରାଯାଉଛି। ରୋଗୀଙ୍କ ଚପଲ ସବୁକୁ ଜାଣିଶୁଣି ସିଡିର ପାହାଚ ତଳକୁ ଫିଙ୍ଗି ଦିଆଯାଉଛି। ଫଳରେ ସେମାନେ ବିରକ୍ତ ହେଲେ ଆଉ ଏଠାକୁ ନ ଆସି ନିକଟରେ ଥିବା ନର୍ସିଂହୋମରେ ଚିକିତ୍ସିତ ହେବେ। ଘରୋଇ ନର୍ସିଂହୋମ ଓ ତଳିଆ କର୍ମଚାରୀଙ୍କ ଉତ୍ତମ ଯୋଗସୂତ୍ର ଥିବାରୁ ରୋଗୀଙ୍କୁ ଏଠାରେ ହଇରାଣ ହରକତ କରାଯାଉଛି। ଏହି ସବୁ ସମସ୍ୟା ସଂକ୍ରାନ୍ତରେ ଅତିରିକ୍ତ ଜିଲ୍ଲା ଚିକିତ୍ସାଧିକାରୀ ଡାକ୍ତର ପ୍ରମୋଦ କୁମାର ପ୍ରହରାଜଙ୍କୁ ପଚାରିବାରୁ ସେ କହିଲେ ବେଡ ପାଇଁ ସରକାରଙ୍କୁ ଅନୁରୋଧ କରାଯାଇଛି। ସଫାସୁତରା କିପରି ପ୍ରତି ଦୁଇ ଘଣ୍ଟା ବ୍ୟବଧାନରେ କରାଯିବ ସେଥିପାଇଁ କର୍ମଚାରୀଙ୍କୁ ଚେତାବନୀ ଦିଆଯିବ। ନିର୍ଦ୍ଦେଶ ନ ମାନିଲେ ରୋଗୀଙ୍କ ସ୍ୱାସ୍ଥ୍ୟକୁ ଗୌଣ ମନେ କଲେ ସେମାନଙ୍କ ପ୍ରତି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ।

Next Post

ଡେରାବିଶ ବ୍ଲକରେ ଜିଲା୍ଲସ୍ତରୀୟ ଜନଶୁଣାଣୀ ଶିବିର, ୩୯ ଅଭିଯୋଗରୁ ସାମୁହିକ ୬

Mon Jul 14 , 2025
ଡେରାବିଶ ୧୪ । ୦୭ (ବେବର୍ତା ଅଜୟ ଦାସ) – ଡେରାବିଶ ବ୍ଲକ ସଭାଗୃହରେ ସୋମବାର କେନ୍ଦ୍ରାପଡା ଜିଲ୍ଲସ୍ତରୀୟ ଜନ ଶୁଣାଣି ଶିବିର ଅନୁଷ୍ଠିତ ହୋଇଯାଇଛି। ଏହି ଶିବିରରେ ଜିଲ୍ଲାପାଳ ସ୍ମୃତିରଞ୍ଜନ ପ୍ରଧାନ ଓ ଏସପି ସିଦ୍ଧାର୍ଥ କଟାରିଆ ଯୋଗଦେଇ ମୋଟ ୩୯ ଗୋଟି ଅଭିଯୋଗର ଶୁଣାଣି କରିଥିଲେ। ଏଥିମଧ୍ୟରୁ ୬ ଗୋଟି ଅଭିଯୋଗ ସାମୁହିକ ଥିବା ବେଳେ ଅବଶିଷ୍ଟ ୩୩ ଟି ବ୍ୟକ୍ତିଗତ ଅଭିଯୋଗ ରହିଥିଲା। ଏହି ଅଭିଯୋଗ […]
blank

ଲୋକମତ

Breaking News

https://v3.adxpremium.services/dashboard/register-publisher

Discover more from Lokamata Odisha

Subscribe now to keep reading and get access to the full archive.

Continue reading