
ପଟ୍ଟାମୁଣ୍ଡାଇ ୮/୯-ବ୍ରାହ୍ମଣୀ ନଦୀରେ ଦେଖା ଦେଇଥିବା ୪ର୍ଥ ବନ୍ୟା ସ୍ଥିତିରେ ସୁଧାର ଆସିଛି । ଧିରେ ଧିରେ ବନ୍ୟା କମୁୁଥିବା ବେଳେ ବନ୍ୟା ବିପନ୍ନଙ୍କ ଦୁର୍ଦଶା ବଢ଼ିବାରେ ଲାଗିଛି । ଅଳଭା ଠାରେ ବନ୍ୟାଜଳ ପତନ ୧୬. ୫ଫୁଟ ଥିବାବେଳେ ଏଠାରେ ବିପଦ ସଂକେତ ସରକାରୀ ଭାବେ ବ୍ରିଟିଶ ଅମଳରୁ ୧୬ ଫୁଟ ରହିଛି ।ବିପନ୍ନ ଅଂଚଳରେ ଅତ୍ୟାବଶ୍ୟକ ସାମଗ୍ରୀର ଅଭାବ ଦେଖାଦେଇଛି । ରାସ୍ତାଘାଟ ବୁଡି ଯାଇଥିବାରୁ ଗମନା ଗମନ ବାଧାପ୍ରାପ୍ତ ହୋଇଛି । ବନ୍ୟା ଯୋଗୁଁ ଗରିବ ଖଟିଖିଆ ମୁଲିଆ ଶ୍ରେଣୀର ଲୋକମାନେ କାମକୁ ଯାଇ ନପାରି ଭୋକ ଉପାସରେ କାଳାତିପାତ କରୁଛନ୍ତି । ବିଦ୍ୟୁତ ଓ ଟେଲି ସେବା ପ୍ରଭାବିତ ହୋଇଛି । ଚାଷ ଜମି ବୁଡି ଯାଇଥିବାରୁ ଗାଇ ଗୋରୁ ଛେଳି ମେଣ୍ଢାମାନେ ଚରିବାକୁ ଯାଇନପାରି ଡହଳବିକଳ ହେଉଛନ୍ତି । ସରକାରୀ ସହାୟତା ମିଳୁ ନଥିବାରୁ ବନ୍ୟା ଅଂଚଳରେ ଅସନ୍ତୋଷ ପ୍ରକାଶ ପାଇଛି ।
ବ୍ରାହ୍ମଣୀ ନଦୀରେ ଦେଖା ଦେଇଥିବା ୪ର୍ଥ ବନ୍ୟାରେ ପଟ୍ଟାମୁଣ୍ଡାଇ ବ୍ଲକର ସିଂହ ଗାଁ, ଶ୍ରୀରାମପୁର, ଡାମରପୁର, ବଳଭଦ୍ରପୁର ଓ ବାଛରା ପଂଚାୟତର ଅନେକ ଗାଁ ବାହ୍ୟଜଗତରୁ ବିଛିନ୍ନ ହୋଇରହିଛି । ପଟ୍ଟାମୁଣ୍ଡାଇ ବ୍ଲକ ଓ ପୌରାଂଚଳର ବିଭିନ୍ନ ଅଂଚଳରେ ଥିବା ଚାଷ ଜମିରେ ପ୍ରାୟ ୧ମାସ ଧରି ବନ୍ୟାଜଳ ବୁଡି ରହି ଥିବାରୁ ଧାନ, ପନିପରିବା ଫସଲ ପଚି ସମୂଳେ ନଷ୍ଟ ହେବା ସହିତ ପୁତି ଗନ୍ଧମୟ ପରିସ୍ଥିତି ସୃଷ୍ଟି ହୋଇଛି । ବନ୍ୟାଂଚଳରେ ପରିବେଶ ଦୂଷିତ ଯୋଗୁଁ ବିଭିନ୍ନ ସଂକ୍ରାମକ ରୋଗ ଦେଖା ଦେଇଛି । ବିଶୁଦ୍ଧ ପିଇବା ପାଣି ସଂକଟ ଦେଖା ଦେଇଛି । ପଟ୍ଟାମୁଣ୍ଡାଇ ବ୍ଲକର ଦୁର୍ଗମ ଅଂଚଳ ଭାବେ ପରିଚିତ ସିଂହ ଗାଁ ପଂଚାୟତ ବାହ୍ୟଜଗତରୁ ବିଛିନ୍ନ ହୋଇପଡ଼ିଥିବା ବେଳେ ମାଳିପୁର ରାସ୍ତାରେ ବନ୍ୟା ସ୍ରୋତ ପ୍ରବାହିତ ଯୋଗୁଁ ଶ୍ରୀରାମପୁର ଡାମରପୁର ଓ ବଳଭଦ୍ରପୁର ଲୋକେ ଡଙ୍ଗାକୁ ସହାର କରିଛନ୍ତି । ସେହିପରି ବାଛରା-ମଣ୍ଡପଡା ରାସ୍ତାରେ ବନ୍ୟାର ପ୍ରଖର ସ୍ରୋତ ପ୍ରବାହିତ ହେଉଥିବାରୁ ଜରୁରି ଯାତାୟତ ଠପ ହୋଇଯାଇଛି । ବ୍ରାହ୍ମଣୀ, ବୈତରଣୀ ଓ କାଣୀ ନଦୀରେ ବନ୍ୟା ଆସି ବ୍ୟାପକ କ୍ଷୟକ୍ଷତି ସାଙ୍ଗକୁ ଫସଲହାନୀ ଘଟି ଗରିବ ଖଟିଖିଆ ଓ ଚାଷୀଙ୍କ ମେରୁଦଣ୍ଡ ଭାଙ୍ଗି ଦେଇଥିଲା । ବନ୍ୟା ଯୋଗୁଁ ଜଳମଗ୍ନ ହୋଇଥିବା ଅଂଚଳରୁ ବନ୍ୟା ପାଣି ଛାଡି ଯାଇଥିଲେ ମଧ୍ୟ ଚାଷଜମି ଗୁଡିକ ବୁଡି ରହିଥିଲା । ବନ୍ୟାଂଚଳରେ କୁମ୍ଭୀର ଭୟ ଲାଗି ରହିଛି । ବ୍ରାହ୍ମଣୀ ଓ କାଣୀ ନଦୀରେ ବନ୍ୟା ଆସିବା ଫଳରେ ପଟ୍ଟାମୁଣ୍ଡାଇ ବ୍ଲକର ୧୪ ପଂଚାୟତ ଓ ପୌରାଂଚଳର ୧୧ଟି ୱାର୍ଡର ହଜାର ହଜାର ଏକର ଜମି ଜଳମଗ୍ନ ହୋଇରହିଛି । ବନ୍ୟା ବିପନ୍ନ ଲୋକମାନଙ୍କୁ ଆବଶ୍ୟକ ଡ଼ଙ୍ଗା, ଗୋଖାଦ୍ୟ, କିରୋସିନ, ବ୍ଲିଚିଙ୍ଗ ଓ ଅତ୍ୟାବଶ୍ୟକ ସାମଗ୍ରୀ ଯୋଗାଇ ଦେବାକୁ ସାଧାରଣରେ ଦାବୀ ହେଉଛି ।
