
ପଟ୍ଟାମୁଣ୍ଡାଇ ୧/୮ – ଓଡ଼ିଶା ସରକାର ଜଳ ସମ୍ପଦ ବିଭାଗ ପକ୍ଷରୁ ଆନୁଷ୍ଠାନିକ ବିଜ୍ଞପ୍ତି ପ୍ରକାଶିତ ଏବଂ ରାଜ୍ୟପାଳଙ୍କ ଅନୁମୋଦନ ଅନୁଯାୟୀ, କେନ୍ଦ୍ରାପଡ଼ା ଜିଲା ପଟ୍ଟାମୁଣ୍ଡାଇ ଅଂଚଳର ସୁଯୋଗ୍ୟ ସନ୍ତାନ ତଥା ମୁଖ୍ୟ ଯନ୍ତ୍ରୀ ଅବିନାଶ ରାଉଳଙ୍କୁ ‘ଇଞ୍ଜିନିୟର-ଇନ୍-ଚିଫ୍-କମ୍-ସ୍ପେଶାଲ୍ ସେକ୍ରେଟାରୀ ପଦବୀକୁ ପଦୋନ୍ନତି ପ୍ରଦାନ କରାଯାଇଛି। ରାଜ୍ୟ ଶାସନତନ୍ତ୍ର ଓ କାରିଗରୀ କ୍ଷେତ୍ରର ଏହି ଶୀର୍ଷ ପଦବୀରେ ଜଣେ ସ୍ଥାନୀୟ ବ୍ୟକ୍ତିବିଶେଷ ଅଧିଷ୍ଠିତ ହେବା ପଟ୍ଟାମୁଣ୍ଡାଇ ସମେତ ସମଗ୍ର ଜିଲ୍ଲା ପାଇଁ ଏକ ଅଶେଷ ଗୌରବ ଓ ଆନନ୍ଦର ବିଷୟ ହୋଇପଡ଼ିଛି। ଇଞ୍ଜିନିୟର ଅବିନାଶ ରାଉଳ ହେଉଛନ୍ତି ପଟ୍ଟାମୁଣ୍ଡାଇ କଲେଜର ଅବସରପ୍ରାପ୍ତ ଅଧ୍ୟକ୍ଷ, ବିଶିଷ୍ଟ ଶିକ୍ଷାବିତ୍ ପ୍ରଫେସର ଅନିରୁଦ୍ଧ ରାଉଳଙ୍କ ସୁପୁତ୍ର। ବାପା ପ୍ରଫେସର ରାଉଳ ଦୀର୍ଘ ବର୍ଷ ଧରି ଶିକ୍ଷାଦାନ ଓ ଶାସନ କ୍ଷେତ୍ରରେ ନିଜର ଅତୁଳନୀୟ ଯୋଗଦାନ ଦେଇ ସ୍ଥାନୀୟ ଅଂଚଳରେ ଜଣେ ଆଦରଣୀୟ ଓ ସମ୍ମାନାସ୍ପଦ ବ୍ୟକ୍ତିତ୍ୱ ଭାବେ ପରିଚିତ। ପାରିବାରିକ ଶାନ୍ତ, ଶୃଙ୍ଖଳିତ ଏବଂ ଶିକ୍ଷାନୁକୂଳ ପରିବେଶ ମଧ୍ୟରେ ବଢ଼ିଥିବା ଅବିନାଶ ପିଲାଟି ଦିନରୁ ଜଣେ ମେଧାବୀ ଓ କର୍ତବ୍ୟପରାୟଣ ଛାତ୍ର ଥିଲେ। ନିଜର ଆପ୍ରାଣ ଉଦ୍ୟମ, କଠିନ ପରିଶ୍ରମ ଏବଂ କାରିଗରୀ ଶିକ୍ଷାରେ ଶ୍ରେଷ୍ଠତା ପ୍ରଦର୍ଶନ କରି ସେ ଓଡ଼ିଶା ସରକାରଙ୍କ ଜଳ ସମ୍ପଦ ବିଭାଗରେ ଯନ୍ତ୍ରୀ ଭାବେ ନିଜର କର୍ମମୟ ଜୀବନ ଆରମ୍ଭ କରିଥିଲେ। ସେ ଜଣେ ସଫଳ ଇଞ୍ଜିନିୟର ଭାବେ ସରକାରୀ ସେବାରେ ଯୋଗଦେଇ ବିଭିନ୍ନ ଗୁରୁତ୍ୱପୂର୍ଣ୍ଣ ପଦପଦବୀରେ କାର୍ଯ୍ୟ କରିଆସିଛନ୍ତି। ନିଜ କାର୍ଯ୍ୟକାଳ ମଧ୍ୟରେ ରାଜ୍ୟର ଅନେକ ବୃହତ୍ ଭିତିଭୂମି ବିକାଶ ଓ ପ୍ରକଳ୍ପ କାର୍ଯ୍ୟକାରୀ କରିବାରେ ତାଙ୍କର ପ୍ରମୁଖ ଯୋଗଦାନ ରହିଛି। ସରକାରୀ ସେବାରେ ତାଙ୍କର ଉଲ୍ଲେଖନୀୟ ଅବଦାନ, ବୈଷୟିକ ଦକ୍ଷତା ଏବଂ ସୁପରିଚାଳନା କ୍ଷମତାକୁ ବିଚାର କରି ଓଡ଼ିଶା ସରକାର ଜଳ ସମ୍ପଦ ବିଭାଗ ଭୁବନେଶ୍ୱର ପକ୍ଷରୁ ୩୧ ଜୁଲାଇ ୨୦୨୬ ଡ୍ବ୍ଲୁଆର-ଏଫଇଆଇ-ଏଚଆର-ସଂଖ୍ୟା ୦୦୦୪-୨୦୨୬- ୨୩୦୪୭ ଡ୍ବ୍ଲୁଆର, ମୁଖ୍ୟ ଯନ୍ତ୍ରୀ ଅବିନାଶଙ୍କୁ ଇଞ୍ଜିନିୟର-ଇନ୍-ଚିଫ୍ ପଦବୀକୁ ପଦୋନ୍ନତି କାରାଯାଇଛି । ଇଂଜିନିୟର-ଇନ୍-ଚିଫ୍-କମ୍-ସ୍ପେଶାଲ ସେକ୍ରେଟାରୀ ଭାବେ ଇଂ-ରାଉଳ ନୂତନ ଦାୟିତ୍ୱ ଗ୍ରହଣ କରିବା ପରେ ସେ ରାଜ୍ୟର ପ୍ରମୁଖ ନିର୍ମାଣ ଓ ବୈଷୟିକ ଯୋଜନାଗୁଡ଼ିକର ସୂଚାରୁ ପରିଚାଳନା କରିବେ। ତାଙ୍କର ଏହି ନୂତନ ଭୂମିକା ରାଜ୍ୟର ବିକାଶ ପ୍ରକ୍ରିୟାକୁ ଆହୁରି କ୍ରିୟାଶୀଳ ଓ ପ୍ରଭାବଶାଳୀ କରିବ ବୋଲି ପଟ୍ଟାମୁଣ୍ଡାଇର ବୁଦ୍ଧିଜୀବୀ ମହଲରେ ମତପ୍ରକାଶ ପାଇଛି। ପଟ୍ଟାମୁଣ୍ଡାଇର ଜଣେ ସୁସନ୍ତାନ ଭାବେ ରାଜ୍ୟ ସରକାରଙ୍କ ଏତେ ବଡ଼ ଦାୟିତ୍ୱପୂର୍ଣ୍ଣ ପଦବୀରେ ଅଧିଷ୍ଠିତ ହେବା ଖବର ପ୍ରଚାରିତ ହେବା ପରେ ନିଜ ସହର ଓ ଜିଲାରେ ଖୁସିର ଲହରୀ ଖେଳିଯାଇଛି। ପଟ୍ଟାମୁଣ୍ଡାଇ ଅବସରପ୍ରାପ୍ତ କର୍ମଚାରୀ ବରଷ୍ଠନାଗରିକ, ସ୍ଥାନୀୟ ବୁଦ୍ଧିଜୀବୀ, ସମାଜସେବୀ, ନେତୃବୃନ୍ଦ ଏବଂ ଗ୍ରାମବାସୀ ପ୍ରଫେସର ରାଉଳ ଓ ତାଙ୍କ ପରିବାରକୁ ଗଭୀର ଶୁଭେଚ୍ଛା ଜଣାଇଛନ୍ତି। ଅବିନାଶଙ୍କର ଏହି ସଫଳତା ପଟ୍ଟାମୁଣ୍ଡାଇ ଅଂଚଳର ଯୁବପିଢ଼ି ଓ ନବୀନ ଇଞ୍ଜିନିୟରମାନଙ୍କ ପାଇଁ ପ୍ରେରଣାର ଉତ୍ସ ସାଜିଛି। ନିଜର ଶୃଙ୍ଖଳା, ପରିଶ୍ରମ ଓ ସାଧୁତା ବଳରେ ଜଣେ ବ୍ୟକ୍ତି କିପରି ସଫଳତାର ଶୀର୍ଷରେ ପହଁଚିପାରେ, ଇଂ-ରାଉଳ ତାହାର ଏକ ଜ୍ୱଳନ୍ତ ଉଦାହରଣ ବୋଲି ଅଂଚଳବାସୀ ପ୍ରକାଶ କରିଛନ୍ତି। ନୂତନ ଦାୟିତ୍ୱରେ ସେ ସଫଳତାର ସହ କାର୍ଯ୍ୟ କରି ରାଜ୍ୟ ତଥା ନିଜ ଅଂଚଳର ନାମ ଆହୁରି ଉଜ୍ଜ୍ୱଳ କରିବେ ବୋଲି ସମସ୍ତେ ଆଶା ବ୍ୟକ୍ତ କରିଛନ୍ତି।
