ମଦନପୁର କଲେଜରେ ବନ ମହୋତ୍ସବ

ପଟ୍ଟାମୁଣ୍ଡାଇ ୧୧/୭-ପଟ୍ଟାମୁଣ୍ଡାଇ ବ୍ଲକ ଅନ୍ତର୍ଗତ ମଦନପୁର କଲେଜ ପରିସରରେ ବନ ମହୋତ୍ସବ ଶୁକ୍ରବାର ପାଳିତ ହୋଇଯାଇଛି । କଲେଜର ୟୁଥ ରେଡକ୍ରସ ସଂଯୋଜକ ଅଧ୍ୟାପକ ପୁଷ୍ପ କୁମାର ବେହେରାଙ୍କ ପୌରହିତ୍ୟରେ ଆୟୋଜିତ ସ୍ୱତନ୍ତ୍ର ଉତ୍ସବରେ କଲେଜ ଅଧ୍ୟକ୍ଷ ଶ୍ରୀମନ୍ତ କୁମାର ଉପାଧ୍ୟାୟ ମୁଖ୍ୟଅତିଥି ଭାବେ ଯୋଗ ଦେଇ ବନ ମହୋତ୍ସବର ଲକ୍ଷ୍ୟ ଓ ଉଦେଶ୍ୟ ସମ୍ପର୍କରେ ଆଲୋକପାତ କରିଥିଲେ । ଖବରଦାତା ଭାସ୍କର ରାଉତରାୟ ମୁଖ୍ୟବକ୍ତା ଭାବେ ଯୋଗ ଦେଇ ଆମ ଜୀବନରେ ବୃକ୍ଷ ଓ ଜଙ୍ଗଲର ଗୁରୁତ୍ୱକୁ ହୃଦୟଙ୍ଗମ କରିବା ସହ ପରିବେଶର ସୁରକ୍ଷା ଦିଗରେ ସଚେତନତା ସୃଷ୍ଟି ପାଇଁ ୧୯୫୦ ମସିହାରୁ ଜୁଲାଇ ପ୍ରଥମ ସପ୍ତାହରେ ‘ବନ ମହୋତ୍ସବ ସପ୍ତାହ’ ପାଳନ କରାଯାଇଆସୁଛି। ଗଛ ଛାଇ ଯୋଗାଇବା, ମରୁଡ଼ି ପରିସ୍ଥିତି ହ୍ରାସ କରାଇବା, ଅଧିକ ବିକଳ୍ପ ଇନ୍ଧନ ଉତ୍ସ ପହଂଚାଇବା, ପରିବେଶ ସନ୍ତୁଳନ ଆଣିବା, ଖାଦ୍ୟ ଉତ୍ପାଦନ ବୃଦ୍ଧି ଓ ମୃତିକା କ୍ଷୟ ହ୍ରାସ କରାଇବା ଆଦି ଅଗଣିତ ହିତ ସାଧନ କରିଥାଏ। ମାତ୍ର ଗତ ଦୁଇଦଶନ୍ଧି ହେଲା ସହରି କରଣ ଓ ଉନ୍ନତି କରଣ ପାଇଁ କେବଳ ଗଛକଟା ହେଉଥିବାରୁ ଦେଶରେ ଜଙ୍ଗଲ ପରିମାଣ ୧୬ ପ୍ରତିଶତ କମି ଆସିଛି। ତେଣୁ ପୂର୍ବାପେକ୍ଷା ଏବେ ମାନବିକ କାର୍ଯ୍ୟକଳାପ ଯୋଗୁଁ ଜଙ୍ଗଲ ଓ ବୃକ୍ଷରାଜି ପ୍ରତି ଅଧିକ ବିପଦ ରହିଥିବାରୁ ବନ ମହୋତ୍ସବ ପାଳନ ଅନେକ ଗୁରୁତ୍ୱ ବହନ କରୁଛି। ବିଶ୍ୱର ତାପମାତ୍ରା ବୃଦ୍ଧି ରୋକିବା ଓ ପ୍ରଦୂଷଣ ହ୍ରାସ ଦିଗରେ ବୃକ୍ଷରୋପଣ ହିଁ ଶ୍ରେଷ୍ଠ ବିକଳ୍ପ ହୋଇଥିବାରୁ ଏହାକୁ ଏକ ମହୋତ୍ସବର ଅଂଶବିଶେଷ କରାଯାଇଛି। ତେଣୁ ଚଳିତ ବର୍ଷାଋତୁରେ ସମେସ୍ତେ ତିନିଟି ବୃକ୍ଷ ରୋପଣ କରିବା ସହିତ ଅନ୍ୟମାନଙ୍କୁ ୩ ଟି ଗଛ ଲଗାଇବାକୁ କୁହନ୍ତୁ ବୋଲି ସେ ନିବେଦନ କରିିଥିଲେ । ଏହି କାର୍ଯ୍ୟକ୍ରମରେ ପ୍ରାଧ୍ୟାପକ ସବ୍ୟସାଚୀ ତ୍ରିପାଠୀ, ,ପ୍ରାଧ୍ୟାପକ ଦିଲ୍ଲୀପ ମହାପାତ୍ର ଗୌରାଙ୍ଗ ପଣ୍ଡା, ଅରୁଣ ଦାଶ, ଶୁଭକାନ୍ତ ନାୟକ ଅଧ୍ୟାପିକା ରଶ୍ମିରାଣୀ ପ୍ରଧାନ, ଦିପ୍ତିମୟୀ ସ୍ୱାଇଁ ଓ ପ୍ରଦୀପ ଦାସ ପ୍ରମୁଖ ସମ୍ମାନିତ ଅତିଥି ଭାବେ ଯୋଗ ଦେଇଥିଲେ । ଏଇ ଅବସରରେ କଲେଜ ଅଧ୍ୟକ୍ଷ, ଅଧ୍ୟାପିକା ଅଧ୍ୟାପକ ଓ ଛାତ୍ରୀଛାତ୍ର କଦମ୍ବ, ଆକାଶୀ, ଡାଳିମ୍ବ, ବଉଳ ପ୍ରଭୃତି ବୃକ୍ଷରୋପଣ କରିଥିଲେ । ଏହି କାର୍ଯ୍ୟକ୍ରମକୁ ଗୁରୁ ଚରଣ ବରାଳ ଓ ସୁଧୀର ବେହେରାଙ୍କ ସମେତ ୟୁଥ ରେଡକ୍ରସ ସଦସ୍ୟମାନେ ପରିଚାଳନା କରିଥିଲେ ।
