
କେନ୍ଦ୍ରାପଡା,୩୧ା୩: ଡେରାବିଶ ମଣ୍ଡଳ ଶିକ୍ଷା ଅଧିକାରୀଙ୍କ କାର୍ଯ୍ୟାଳୟ ସଭାଗୃହରେ ଆଜି ଇଦ୍ ପର୍ବ ଉପଲେକ୍ଷ ଏକ ଶାନ୍ତି ସଦ୍ଭାବନା ଓ ପିଲାମାନଙ୍କ ମଧ୍ୟରେ ଧର୍ମ, ବର୍ଣ୍ଣ, ଜାତି ନିର୍ବିଶେଷରେ ସମସ୍ତେ ଭାରତୀୟ ଓ ରାଷ୍ଟ୍ରର ଉନ୍ନତି ସର୍ବାଗ୍ରେ ଭାବନା ସୃଷ୍ଟି ଉଦ୍ଦେଶ୍ୟ ନେଇ କାର୍ଯ୍ୟକ୍ରମଟି ଆୟୋଜିତ କରାଯାଇଥିଲା । ଏହି ସଦ୍ଭାବନା ଓ ଭାଇଚାରା ପର୍ବ ଇଦ୍ର ମର୍ମକୁ ମଣ୍ଡଳ ଶିକ୍ଷା ଅଧିକାରୀ ଶ୍ରୀକାନ୍ତ ବେହେରା ବୁଝାଇବାକୁ ଯାଇ କହିଲେ ଯେ ସବୁ ଧର୍ମରେ ମାନବିକତା ଓ ଦେଶପ୍ରେମ ମୁଖ୍ୟ । ଏହି କାର୍ଯ୍ୟକ୍ରମରେ ଡେରାବିଶ ଶିକ୍ଷା ମଣ୍ଡଳର ମଣ୍ଡଳ ଶିକ୍ଷା ସମ୍ପାଦକ ଦେବଦତ୍ତ ଶତପଥୀ ନିଜ ବକ୍ତବ୍ୟରେ କହିଥିଲେ ଯେ ଭାରତ ଦେଶ ଏକ ପୁଷ୍ପଗୁଚ୍ଛ ଯେଉଁଥିରେ ସବୁ ଧର୍ମ, ଭାଷା, ସଂସ୍କୃତିର ଫୁଲ ସୁସଜ୍ଜିତ ହୋଇ ଶୋଭାମଣ୍ଡନ କରିଛି ଏବଂ ବିଭିନ୍ନତା ମଧ୍ୟରେ ଏକତା ହିଁ ଆମ ଦେଶର ବଳ ଓ ଶକ୍ତି । ଡେରାବିଶ ବ୍ଲକର ସହ ଶିକ୍ଷା ଅଧିକାରୀ ସଚ୍ଚିକାନ୍ତ ମିଶ୍ର ଡେରାବିଶ ବ୍ଲକରେ ହିନ୍ଦୁ ଓ ମୁସ୍ଲିମ୍ ଶିକ୍ଷକ/ଶିକ୍ଷୟିତ୍ରୀମାନେ ନିଜ ନିଜ ଭିତରେ ସହଯୋଗର ସହ ସମସ୍ତ କାର୍ଯ୍ୟ କରିବା କଥା ଜଣାଇଥିଲେ । ଅନ୍ୟତମ ଅତିଥି ତଥା ଏହି ବ୍ଲକର ଅବସରପ୍ରାପ୍ତ ଶିକ୍ଷକ ଅଶୋକ କୁମାର ମହାପାତ୍ର ରମଜାନ୍ ଓ ଇଦ୍ ପର୍ବର ସାରମର୍ମକୁ ବ୍ୟକ୍ତ କରିଥିଲେ । ଡେରାବିଶ ଶିକ୍ଷା ମଣ୍ଡଳର ନୋଡାଲ ସିଆରସିସି ରମେଶ ଚନ୍ଦ୍ର ପତି ନିଜ ଭାଷଣରେ ହିନ୍ଦୁ ଓ ମୁସ୍ଲିମ୍ ଧର୍ମରେ ଥିବା ସାମଞ୍ଜସ୍ୟକୁ ବର୍ଣ୍ଣନା କରିଥିଲେ । ଏହି ସଭା କାର୍ଯ୍ୟକ୍ରମକୁ ଶିକ୍ଷକ ତ୍ରିଲୋଚନ ମଲ୍ଲିକ ପରିଚାଳନା କରିଥିଲେ । ଏହି କାର୍ଯ୍ୟକ୍ରମ ଓଲଢି ଉର୍ଦ୍ଦୁ ପ୍ରାଥମିକ ବିଦ୍ୟାଳୟର ଶିକ୍ଷକ ସେକ୍ ବରକାତୁଲ୍ଲାଙ୍କ ପ୍ରତ୍ୟକ୍ଷ ତତ୍ତ୍ୱାବଧାନରେ ଅନୁଷ୍ଠିତ ହୋଇଥିଲା । ଏହି କାର୍ଯ୍ୟକ୍ରମରେ ଡେରାବିଶ ବ୍ଲକରେ କାର୍ଯ୍ୟରତ ଶିକ୍ଷକ/ଶିକ୍ଷୟିତ୍ରୀ ଓ ସିଆରସିସିମାନେ ଯୋଗ ଦେଇଥିଲେ । ଏମାନଙ୍କ ମଧ୍ୟରେ ମୀର ଅମିରୁଲ୍ଲା, ସେକ୍ ନଇମ ଅଖତର, ସେକ୍ ହସରତ, କନକଲତା ପୃଷ୍ଟି, ମାମୁନି ସେଠି, ଅୟଶକାନ୍ତ ରାଉତ, ବେଣୁଧର ପ୍ରଧାନ, ନୁରୁଲ ଇସଲାମ, ବିଶ୍ୱଜିତ୍ ମୁଦୁଲି, ସେକ୍ ଜିଆଉଲ, କରିମ ପ୍ରମୁଖ ସକ୍ରିୟ ଭାଗ ନେଇଥିଲେ । ଡେରାବିଶ ମଣ୍ଡଳ ଶିକ୍ଷା କାର୍ଯ୍ୟାଳୟର ଏମଆଇଏସ ମୁଖ୍ୟ ପ୍ରଦୀପ କୁମାର ମହାନ୍ତି କାର୍ଯ୍ୟକ୍ରମରେ ଯୋଗଦାନ କରି ନିଜ ବକ୍ତବ୍ୟ ପ୍ରଦାନ କରି ଧନ୍ୟବାଦ ଅର୍ପଣ କରିଥିଲେ ।
