- ଖତ ଖାଉଛି ଲକ୍ଷାଧିକ ଟଙ୍କାର ଟିଏମସି ସାମଗ୍ରୀ
- ପଟ୍ଟମୁଣ୍ଡାଇ ଅଂଚଳର ବହୁ ପ୍ରବାସୀ ଆନ୍ଧ୍ରରେ କାର୍ଯ୍ୟରତ
- ଦୈନିକ ବସ ଯୋଗେ ଲାଗିଛି ଯିବା ଆସିବା

ପଟ୍ଟାମୁଣ୍ଡାଇ ୧୪/୭ -କକିଛିବର୍ଷର ବ୍ୟବଧାନ ପରେ ପୁଣି କୋଭିଡ୍ ସଂକ୍ରମଣ ବଢିବାରେ ଲାଗିଛି । ଯାହା ଦ୍ୱାରା ଆନ୍ଧ୍ରରେ ୨ଜଣଙ୍କ ମୃତ୍ୟୁ ହେବା ପରେ କେନ୍ଦ୍ରାପଡା ଜିଲାରେ ଚିନ୍ତା ବଢ଼ିଛି। ବିଶେଷ କରି ପଟ୍ଟମୁଣ୍ଡାଇ ଅଂଚଳର ହଜାର ହଜାର ପ୍ରବାସୀ ଶ୍ରମିକ ଏବେ ଆନ୍ଧ୍ରପ୍ରଦେଶରେ କାର୍ଯ୍ୟରତ ଥିବା ବେଳେ ଦୈନିକଯିବାଆସିବାରେ ଅଛନ୍ତି। ଯଦି ପରିସ୍ଥିତି ବିଗିଡ଼େ ତେବେ ପ୍ରବାସୀମାନେ ଭିଟାମାଟିକୁ ଫେରିବା ଆଶଙ୍କାକୁ ଏଡ଼ାଇ ଦିଆଯାଇନପାରେ। ମାତ୍ର ଏପରି ଏକ ସମ୍ବେଦନଶୀଳ ସମୟରେ ପଟ୍ଟମୁଣ୍ଡାଇ ବ୍ଲକ ଓ ପୌର ପ୍ରଶାସନର ଚରମ ଅବହେଳା ସାମ୍ନାକୁ ଆସିଛି। କୋଭିଡ ମହାମାରୀ ସମୟରେ ରୋଗୀଙ୍କ ସେବା ଓ ସଙ୍ଗରୋଧ ପାଇଁ ଲକ୍ଷାଧିକ ଟଙ୍କା ବ୍ୟୟରେ କ୍ରୟ କରାଯାଇଥିବା ଅସ୍ଥାୟୀ ସ୍ୱାସ୍ଥ୍ୟ କେନ୍ଦ୍ର (ଟିଏମସି)ର ସାମଗ୍ରୀ ଏବେ ପୌରମଣ୍ଡପ ଓ ଅଡିଟରିୟମ ଛାତ ଉପରେ ଅଳିଆ ଭଳି ପଡ଼ି ନଷ୍ଟ ହେବାରେ ଲାଗିଛି। ସରକାରୀ ଉଦାସୀନତା ଯୋଗୁଁ ଜନସାଧାରଣଙ୍କ ଟିକସ ପଇସାରେ କିଣାଯାଇଥିବା ଏହି ଉପକରଣ ଗୁଡ଼ିକ ଏବେ ଖତ ଖାଉଛି। ଯାହାକୁ ନେଇ ସାଧାରଣରେ ମତ ପ୍ରକାଶ ପାଇଛି ।
କେନ୍ଦ୍ରାପଡ଼ା ଜିଲା ପଟ୍ଟାମୁଣ୍ଡାଇ ଅଂଚଳର ଲୋକମାନଙ୍କ ଉପସ୍ଥିତି ଆନ୍ଧ୍ରାପ୍ରଦେଶ କର୍ନାଟକ ଓ କେରଳରେ ଥିବାରୁ ଚିନ୍ତା ବଢିବାରେ ଲାଗିଛି। ଦୈନିକ ବସ ଯୋଗେ ଲୋକେ ପଟ୍ଟାମୁଣ୍ଡାଇ ଅଂଚଳକୁ ଯିବା ଆସିବା କରୁଛନ୍ତି । କରୋନା ନୂଆ ଭାରିଆଂଟ ଯଦି ତା’ର କାୟା ବିସ୍ତାର କରେ ତାହାହେଲେ ପଟ୍ଟାମୁଣ୍ଡାଇ ପକ୍ଷେ ମୁକାବିଲା କରିବା କଷ୍ଟସାଧ୍ୟ ହୋଇପଡିବ । କରୋନା କାଳରେ ପ୍ରତିଷ୍ଠା କରାଯାଇଥିବା ଟେମ୍ପରାରି ହେଲଥ ସେଂଟର(ଟିଏମସି) ସାମଗ୍ରୀ ଏବେ ଖତ ଖାଉଥିବା ବେଳେ ଅଧିକାଂଶ ମୂଲ୍ୟବାନ ସାମଗ୍ରୀ ଗାଏବ ହୋଇଯାଇଛି ବୋଲି ସାଧାରଣରେ ମତ ପ୍ରକାଶ ପାଇଛି। ପୁଣି ଥରେ ଆନ୍ଧ୍ରାରେ କରୋନା ବ୍ୟାପିବା ଓ ସେଠାରୁ ଫେରୁଥିବା ପ୍ରବାସୀମାନଙ୍କୁ ପ୍ରଶାସନ କିପରି ମୁକାବିଲା କରିବ ତାହା ପ୍ରଶ୍ନବାଚୀ ସୃଷ୍ଟି କରିଛି।
କୋଭିଡ-୧୯ ସମୟରେ କେନ୍ଦ୍ରାପଡା ଜିଲାର ଅନ୍ୟ ବ୍ଲକ ତୁଳନାରେ ପଟ୍ଟାମୁଣ୍ଡାଇ ଅଂଚଳକୁ ସର୍ବାଧିକ ୮,୪୭୯ ଜଣ ପ୍ରବାସୀ ଫେରିଥିଲେ। ଏଥିନେଇ ୧୬୬ଟି ଅସ୍ଥାୟୀ ସ୍ୱାସ୍ଥ୍ୟକେନ୍ଦ୍ର ଖୋଲା ଯାଇଥିଲା। ସେଥିପାଇଁ ୬,୪୭୨ଟି ଖଟିଆ କିଣା ଯାଇଥିଲା। ଏସବୁ ଟିଏମ୍ସି ସ୍କୁଲ, କଲେଜ, ଅଙ୍ଗନୱାଡି କେନ୍ଦ୍ରଗୁଡିକରେ ହୋଇଥିଲା । ପ୍ରତ୍ୟେକ ଅସ୍ଥାୟୀ ସଙ୍ଗରୋଧ କେନ୍ଦ୍ର ପାଇଁ ଖଟ, ବେଡ୍ସିଟ୍, ତକିଆ, ଇନଭର୍ଟର, ପାନୀୟ ଜଳ ପାଇଁ ଆକ୍ୱାଗାର୍ଡ଼, ଡଷ୍ଟବିନ୍, ବିଶୋଧନ ଲାଗି ସାନିଟାଇଜର ଯନ୍ତ୍ର କିଣାଯାଇଥିଲା। ସେହିପରି ୨ଟି କୋଭିଡ଼୍ କେୟାର ସେଂଟର ଓ ଡେଡ଼ିକେଟେଡ଼ କୋଭିଡ଼୍ ହସ୍ପିଟାଲ ପ୍ରତିଷ୍ଠା କରାଯାଇ ୧୦୦/୧୦୦ ଶଯ୍ୟାର ବ୍ୟବସ୍ଥା କରାଯାଇଥିଲା। ଡେଡ଼ିକେଟେଡ଼ କୋଭିଡ଼୍ ହସ୍ପିଟାଲରେ ପାଇଁ ଏ ସି, ଆକୁଆଗାର୍ଡ ଖଟ ଅନ୍ୟାନ ମେଡିକାଲ ସାମଗ୍ରୀ କିଣା ଯାଇଥିଲା । ତେବେ କରୋନା ଟ୍ରେଣ୍ଡ ଖସିବା ପରେ ସମସ୍ତ ସାମଗ୍ରୀ ଯେମିତି ଅଦରକାରୀ ହୋଇ ପୌର ମଣ୍ଡପ ଓ ଅଡିଟରିୟମରେ ପଡ଼ିଛି।
ଜନସାଧାରଣଙ୍କ ଟିକସ ପଇସାରେ କିଣାଯାଇଥିବା ଏହି ଆସବାବପତ୍ର ଓ ବୈଦ୍ୟୁତିକ ସାମଗ୍ରୀର ଏଭଳି ଦୁରାବସ୍ଥାକୁ ନେଇ ସ୍ଥାନୀୟ ବୁଦ୍ଧିଜୀବୀ ଓ ଜନସାଧାରଣଙ୍କ ମଧ୍ୟରେ ତୀବ୍ର ଅସନ୍ତୋଷ ପ୍ରକାଶ ପାଇଛି। ଦାମୀ ଆକୁଆଗାର୍ଡ ଏବଂ ଏସିର ଏକୌଣସି ପତାନାହିଁ। ଏହି ସାମଗ୍ରୀ ଗୁଡ଼ିକ କୁଆଡ଼େ ଗଲା, ସେ ନେଇ ସାଧାରଣରେ ବଡ଼ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି। ଏଥିରେ କୌଣସି ବଡ଼ ଧରଣର ହରିଲୁଟ୍ ହୋଇଥିବା ନେଇ ସ୍ଥାନୀୟ ଲୋକେ ସନ୍ଦେହ କରୁଛନ୍ତି। ଜିଲା ପ୍ରଶାସନ ତୁରନ୍ତ ଏଥିପ୍ରତି ଦୃଷ୍ଟି ଦେଇ ସାମଗ୍ରୀଗୁଡ଼ିକୁ ସୁରକ୍ଷିତ ସ୍ଥାନକୁ ସ୍ଥାନାନ୍ତର କରିବା ସହ ଗାଏବ ହୋଇଥିବା ସାମଗ୍ରୀର ଉଚ୍ଚସ୍ତରୀୟ ତଦନ୍ତ କରିବାକୁ ଦାବି କରିଛନ୍ତି।
କୋଭିଡ ଭୟାବହତା ପୁଣି ବଢୁଥିବା ସମୟରେ ଯଦି ପୁଣି ଥରେ ଟିଏମସି କାର୍ଯ୍ୟକ୍ଷମ କରିବାକୁ ପଡ଼େ, ତେବେ ଏହି ନଷ୍ଟ ହୋଇଯାଇଥିବା ସାମଗ୍ରୀ ଗୁଡ଼ିକ କେଉଁ କାମରେ ଆସିବ ବୋଲି ବୁଦ୍ଧିଜୀବୀ ମହଲରେ ପ୍ରଶ୍ନ ଉଠିଛି। ପୌର ପ୍ରଶାସନର ଏଭଳି ଦାୟିତ୍ୱହୀନ ମନୋଭାବକୁ ନେଇ ସ୍ଥାନୀୟ ବାସିନ୍ଦାଙ୍କ ମଧ୍ୟରେ ତୀବ୍ର ଆକ୍ରୋଶ ପ୍ରକାଶ ପାଇଛି। ଏତେ ବଡ଼ ଅବହେଳା ପାଇଁ ଦାୟୀ କିଏ ଏବଂ କାହା ଛତ୍ରଛାୟାରେ ଲକ୍ଷ ଲକ୍ଷ ଟଙ୍କାର ସରକାରୀ ସମ୍ପତି ବରବାଦ ହେଉଛି, ତାହାର ତଦନ୍ତ କରି ତୁରନ୍ତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ଦାବି ହେଉଛି। ଏ ବାବଦରେ ପଟ୍ଟାମୁଣ୍ଡାଇ ପୌରନିର୍ବାହୀ ଅଧିକାରୀ ରଞ୍ଜନ ଦାଶ କୁହିଛନ୍ତି ଯେଉଁମାନେ ଆନ୍ଧ୍ରାରୁ ବସ୍ ଯୋଗେ ଆସୁଛନ୍ତି ସେମାନଙ୍କର ମାଣ୍ଡାଟୋରି ଟେଷ୍ଟ କରାଇବାକୁ ଚଠି କରି ଜିଲାପାଳଙ୍କୁ ବିନମ୍ର ଅନୁରୋଧ କରୁବି।
